ନୂଆଦିଲ୍ଲୀ: ଆଗାମୀ ୨ଦିନ ପାଇଁ ଉଡାଣ ବନ୍ଦ ଘୋଷଣା କଲା ଗୋଫାଷ୍ଟ ଏୟାରଲାଇନ୍ସ । ଗୋଫାଷ୍ଟ ସିଇଓ କୌଶିକ ଖୋନାଙ୍କ ଅନୁଯାୟୀ, ପାଣ୍ଠିର ଅଭାବ ହେତୁ ମେ’ ୩ ଓ ୪ରେ ବିମାନ ଉଡ଼ାଣ ସାମୟିକ ଭାବେ ସ୍ଥଗିତ ରହିବ । ଗୋଫାଷ୍ଟକୁ ଦେବାଳିଆ ଘୋଷଣା କରିବାକୁ ଆମେ ନ୍ୟାସନାଲ କମ୍ପାନି ଲ’ ଟ୍ରିବ୍ୟୁନାଲଙ୍କ ନିକଟରେ ଆବେଦନ କରିଛୁ । ପ୍ରାଟ୍ ଆଣ୍ଡ୍ ହ୍ୱିଟନି ( ପି ଆଣ୍ଡ୍ ଡବ୍ଲ୍ୟୁ) ଠିକ ସମୟରେ ଇଞ୍ଜିନ୍ ଯୋଗାଣ ନକରିବା କାରଣରୁ ଗୋଫାଷ୍ଟ ୨୮ଟି ବିମାନ ଉଡ଼ାଣ କରି ନପାରି ଠିଆ ହୋଇ ରହିଛି । ଏହି କାରଣରୁ ଆର୍ôଥକ ସଙ୍କଟର ସମ୍ମୁଖୀନ ହୋଇଛି ଏୟାର ଲାଇନ୍ସ । ଏଥି ସହିତ, ଗୋଫାଷ୍ଟ ଏୟାରଲାଇନ୍ସର ୬୦ପ୍ରତିଶତରୁ ଅଧିକ ବିମାନର ଉଡ଼ାଣ ବନ୍ଦ କରାଯାଇଛି ବୋଲି ସୂତ୍ରରୁ ଜଣାପଡ଼ିଛି ।
ଏଥିପାଇଁ ଅନେକ ରୁଟରେ ବିମାନ ବୁକିଂ ବାତିଲ କରାଯାଉଛି । ହଠାତ୍ ଏୟାରଲାଇନର ଏଭଳି ନିଷ୍ପତ୍ତି ପାଇଁ ଟିକେଟ ବୁକ୍ କରିଥିବା ଯାତ୍ରୀ ସୋସିଆଲ ମିଡିଆରେ ବିରକ୍ତି ପ୍ରକାଶ କରିଛନ୍ତି । ଜଣେ ଯାତ୍ରୀ ଟ୍ୱିଟ କରି କହିଛନ୍ତି ଯେ, ଗୋଫାଷ୍ଟରେ ଟିକେଟ ବୁକ୍ କରିବା ପରେ ଉଡ଼ାଣର ଗୋଟିଏ ଦିନ ପୂର୍ବରୁ ସେମାନେ ଟିକେଟ ବାତିଲ କରିଛନ୍ତି । ମୋତେ ଟଙ୍କା ଫେରସ୍ତ ମିଳିବ ବୋଲି କମ୍ପାନି କହିଛି । ଏବେ ମୁଁ ସେହି ଟଙ୍କାକୁ ନେଇ ଅନ୍ୟ କମ୍ପାନିର ବିମାନ ଟିକେଟ କଲେ ମୋତେ ଆହୁରି ଦୁଇଗୁଣ ଟଙ୍କା ଦେବାକୁ ହେବ । ଗୋଫାଷ୍ଟର ଏଭଳି ନିଷ୍ପତ୍ତି ମୋ ଛୁଟିକୁ ଖରାପ କରିଛି । ଅନ୍ୟଜଣେ ବ୍ୟବହାରକାରୀ ଲେଖିଛନ୍ତି, ସବୁଠାରୁ ଖରାପ ବିମାନ ସେବା, ସବୁ ସମୟରେ ବିମାନ ବିଳମ୍ବ କିମ୍ବା ବାତିଲ କରୁଛି ଗୋଫାଷ୍ଟ ।