ନୂଆଦିଲ୍ଲୀ:ଆସନ୍ତା ୫ ବର୍ଷ ମଧ୍ୟରେ ବିଶ୍ୱର ହାରାହାରି ତାପମାତ୍ରା ବୃଦ୍ଧି ପାଇ ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିପାରେ କିମ୍ବା ଏହା ପାଖାପାଖି ରହିପାରେ। ବ୍ରିଟେନ୍ର ମେଟ୍ ଅଫିସ୍ ଦ୍ୱାରା ଗୁରୁବାର ପ୍ରକାଶିତ ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍ଓ)ର ରିପୋର୍ଟରେ ଏହି ଆଶଙ୍କା କରାଯାଇଛି। ଏହାସହିତ ଆର୍କଟିକ ଅଞ୍ଚଳ (ପୃଥିବୀର ଉତ୍ତର ଭାଗରେ ଥିବା ଅତି ଶୀତଳ ଅଞ୍ଚଳ)ରେ ତାପମାତ୍ରାର ଅସ୍ବାଭାବିକତା ବିଶ୍ୱର ହାରାହାରି ତାପମାତ୍ରା ଅପେକ୍ଷା ଅଧିକ ରହିବ ବୋଲି ଏଥିରେ କୁହାଯାଇଛି।ରିପୋର୍ଟ ଅନୁଯାୟୀ, ଆଗାମୀ ୫ ବର୍ଷ ମଧ୍ୟରେ ହାରାହାରି ତାପମାତ୍ରା ପ୍ରାକ୍-ଶିଳ୍ପାୟନ ସ୍ତର (ପ୍ରି-ଇଣ୍ଡଷ୍ଟ୍ରିଆଲ ଲେଭଲ) ତୁଳନାରେ ୧.୫ ଡିଗ୍ରୀ ସେଲସିୟସ୍ରୁ ଅଧିକ ହେବାର ସମ୍ଭାବନା ରହିଛି। ତେବେ ଏହାକୁ ପ୍ୟାରିସ୍ ଚୁକ୍ତିନାମାର ଉଲ୍ଲଂଘନ ବୋଲି କୁହାଯାଇପାରିବ ନାହିଁ, କାରଣ ପ୍ୟାରିସ୍ ଚୁକ୍ତିନାମାରେ ସାଧାରଣତଃ ୨୦ ବର୍ଷର ଦୀର୍ଘକାଳୀନ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ହିଁ ବିଚାରକୁ ନିଆଯାଇଥାଏ। ୨୦୨୬ ରୁ ୨୦୩୦ ମଧ୍ୟରେ ବାର୍ଷିକ ବିଶ୍ୱର ହାରାହାରି ପୃଷ୍ଠଭାଗ ତାପମାତ୍ରା ୧୮୫୦-୧୯୦୦ର ହାରାହାରି ତାପମାତ୍ରା ତୁଳନାରେ ୧.୩ ରୁ ୧.୯ ଡିଗ୍ରୀ ସେଲ୍ସିୟସ ଅଧିକ ରହିବା ନେଇ ପୂର୍ବାନୁମାନ କରାଯାଇଛି।
୨୦୨୬ରୁ ୨୦୩୦ ମଧ୍ୟରେ ଯେକୌଣସି ଗୋଟିଏ ବର୍ଷ, ପୂର୍ବର ସବୁଠାରୁ ଗରମ ବର୍ଷ ଥିବା ୨୦୨୪ର ରେକର୍ଡକୁ ଭାଙ୍ଗି ସବୁଠାରୁ ଗରମ ବର୍ଷ ସାବ୍ୟସ୍ତ ହେବାର ୮୬% ସମ୍ଭାବନା ଅଛି। ସେହିପରି ୯୧% ସମ୍ଭାବନା ରହିଛି ଯେ ୨୦୨୬-୨୦୩୦ ମଧ୍ୟରେ ଅନ୍ତତଃ ପକ୍ଷେ ଏକ ବର୍ଷ ପାଇଁ ବିଶ୍ୱର ହାରାହାରି ପୃଷ୍ଠଭାଗ ତାପମାତ୍ରା ଅସ୍ଥାୟୀ ଭାବେ ୧.୫ ଡିଗ୍ରୀ ସେଲ୍ସିୟସ ସୀମା ଅତିକ୍ରମ କରିଯିବ। ଏହି ସୀମା ପୂର୍ବରୁ ୨୦୨୪ ମସିହାରେ ମଧ୍ୟ ଅସ୍ଥାୟୀ ଭାବେ ଅତିକ୍ରମ କରିଥିଲା, ଯେତେବେଳେ ବିଶ୍ୱର ହାରାହାରି ପୃଷ୍ଠଭାଗ ତାପମାତ୍ରା ପ୍ରାକ୍-ଶିଳ୍ପାୟନ ସ୍ତରଠାରୁ ପ୍ରାୟ ୧.୫୫ ଡିଗ୍ରୀ ସେଲସିୟସ ଅଧିକ ଥିଲା।










