ଭୁବନେଶ୍ୱର: ରାପିଡ଼ୋ ବୁକିଂ ଖାରଜ କରିଦେବାରୁ ସମ୍ପୃକ୍ତ ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ସହ ଅଶ୍ଲିଳ ଫଟୋ ପଠାଇଥିବା ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଡ୍ରାଇଭରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଡ୍ରାଇଭର ଜଣକ ହେଲେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ମୈତ୍ରୀ ବିହାରରେ ରହୁଥିବା ଗଞ୍ଜାମର ଜିତେନ୍ଦ୍ର କୁମାର ଭୁୟାଁ(୨୯) । ତା’ ନିକଟରୁ ୨ଟି ମୋବାଇଲ ଫୋନ୍, ରାପିଡ଼ୋରେ ବ୍ୟବହୃତ ବାଇକ୍ ଜବତ ହୋଇଛି । ଏନେଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ସୂଚନା ଅନୁଯାୟୀ, ଗତ ଜାନୁୟାରୀ ୨୧ ତାରିଖ ସନ୍ଧ୍ୟାରେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ସତ୍ୟବିହାରରେ ରହୁଥିବା ତମସା ପଟ୍ଟନାୟକ ନିଜ ଘରକୁ ଯିବା ଲାଗି ଅନଲାଇନ୍ରେ ରାପିଡ଼ୋ ବାଇକ୍ ବୁକ୍ କରିଥିଲେ । ମାତ୍ର ବାଇକ୍ ଚାଳକ ଜିତେନ୍ଦ୍ର ସେଠାରେ ପହଞ୍ôଚ ୫୦ଟଙ୍କା ଅଧିକ ଅତିରିକ୍ତ ଚାର୍ଜ ମାଗିଥିଲା । ତେଣୁ ତମସା ଅତିରିକ୍ତ ଚାର୍ଜ ଦେବାକୁ ମନା କରିବା ସହ ବୁକିଂ ଖାରଜ କରିଦେଇଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ଜିତେନ୍ଦ୍ର ତାଙ୍କୁ ର୍ଦୁବ୍ୟବହାର କରି ସେଠାରୁ ଚାଲିଯାଇଥିଲା ।
ହେଲେ ତା’ ପରଠୁ ଜିତେନ୍ଦ୍ର ସବୁବେଳେ ତମସାଙ୍କ ମୋବାଇଲ ଫୋନକୁ ବିଭିନ୍ନ ନମ୍ବରରୁ କଲ୍ କରି ଦୁର୍ବ୍ୟବହାର କରୁଥିଲେ । ଏମିତିକି ମୋବାଇଲକୁ ବିଭିନ୍ନ ପ୍ରକାର ଅଶ୍ଳିଳ ଫଟୋ ମଧ୍ୟ ପଠାଉଥିଲେ । ଖାଲି ଏତିକି ନୁହେଁ, ତମସା ଅଫିସ ଯିବାବେଳେ ସେ ପିଛା କରୁଥିଲା। ଏଥିରେ ଅତିଷ୍ଠ ହୋଇ ତମସା ମାର୍ଚ୍ଚ ୩୦ତାରିଖରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।