ନୂଆଦିଲ୍ଲୀ : ଖରାପ ପାଗ ଓ ପାଇଲଟ୍ଙ୍କ ତ୍ରୁଟି ଯୋଗୁଁ ଦେଶର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ୍ ରାୱତ୍ଙ୍କ ହେଲିକପ୍ଟର୍ କ୍ରାଶ୍ ହୋଇଛି ବୋଲି ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଛି । ଟ୍ରାଇ ସର୍ଭିସେଜ୍ କୋର୍ଟ ଅଫ୍ ଇନ୍କ୍ୱାରୀ ନିଜର ପ୍ରାରମ୍ଭିକ ବିଶ୍ଲେଷଣ ଆଧାରରେ ଏହି ରିପୋର୍ଟ ପ୍ରଦାନ କରିଛି । ଉପଲବ୍ଧ ଡାଟା ରେକର୍ଡର ଓ କକ୍ପିଟ୍ ଭଏସ୍ ରେକର୍ଡର୍କୁ ବିଶ୍ଲେଷଣ କରାଯାଇ ଦୁର୍ଘଟଣାର କାରଣ ପାଇଲଟ୍ଙ୍କ ତ୍ରୁଟି ବୋଲି କୁହାଯାଇଛି । ଦୁର୍ଘଟଣାର ମୁଖ୍ୟ କାରଣ ପାଗର ଅପ୍ରତ୍ୟାଶିତ ପରିବର୍ତ୍ତନ ବୋଲି ଭାରତୀୟ ବାୟୁସେନା କହିଛି । ରିପୋର୍ଟରେ କୁହାଯାଇଛି ଯେ ହଠାତ୍ ପାଗରେ ପରବର୍ତ୍ତନ ଆସିବାରୁ ହେଲିକପ୍ଟରଟି ମେଘଖଣ୍ଡ ମଧ୍ୟରେ ପ୍ରବେଶ କରିଯାଇଥିଲା । ମେଘଖଣ୍ଡ ଯୋଗୁଁ ପାଇଲଟ କିଛି ଦେଖିପାରି ନଥିଲେ ।
ଫଳରେ ସେ ସମ୍ପୂୂର୍ଣ୍ଣ ଭାବେ ହଡ଼ବଡ଼େଇ ଯାଇଥିଲେ ଓ ହେଲିକପ୍ଟର ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଏହାପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ହେଲିକପ୍ଟର ଦୁର୍ଘଟଣା ପଛରେ କୌଣସି ଯାନ୍ତ୍ରିକ ତ୍ରୁଟି, ଷଡ଼ଯନ୍ତ୍ର କିମ୍ବା ଅବହେଳା ନାହିଁ । ଭାରତୀୟ ଏୟାର ଫୋର୍ସ ମୁଖ୍ୟ ଚିଫ୍ ଏୟାର ମାର୍ଶଲ ଭିଆର୍ ଚୌଧୁରୀ ଓ ଏୟାର ମାର୍ଶଲ୍ ମନଭେନ୍ଦ୍ର ସିଂହ ଏହି ରିପୋର୍ଟକୁ ଜାନୁଆରୀ ୫ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ପ୍ରଦାନ କରିଥିଲେ । ଏଥିରେ କୁହାଯାଇଛି ଯେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ପାଇଲଟ୍ଙ୍କ ନିୟନ୍ତ୍ରଣରେ ଥିଲା । କିନ୍ତୁ ମେଘଖଣ୍ଡ ଯୋଗୁଁ ସେ ଏହା ଉପରୁ ନିୟନ୍ତ୍ରଣ ହରାଇଥିଲେ । ପରେ ଏହା କ୍ରାଶ୍ ହୋଇଥିଲା ।
ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ ଗହଳିଆ ଜଙ୍ଗଲ, କମ୍ ଭିଜିବିଲିଟି ଓ ପାହାଡ଼ିଆ ଅଞ୍ଚଳ ବୋଲି କୁହାଯାଇଛି । ଲୋ ଭିଜିବିଲିଟି ଯୋଗଁ ହେଲିକପ୍ଟରକୁ କମ୍ ଉଚ୍ଚତାରେ ପାଇଲଟ୍ ଉଡ଼ାଉଥିଲେ । ଫଳରେ କ୍ରଶ୍ଲ୍ୟାଣ୍ଡିଂ ହୋଇଥିଲା । ଆମେରିକାର ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ଅନୁଯାୟୀ ଏପରି ଦୁର୍ଘଟଣାରେ ପାଇଲଟ୍ କିମ୍ବା କ୍ରୁ ସଦସ୍ୟମାନେ ପୂର୍ବରୁ ବିପଦ ବିଷୟରେ ଆଦୌ ଜାଣିପାରନ୍ତି ନାହିଁ । ସୂଚନାଯୋଗ୍ୟ, ଡିସେମ୍ବର ୮ରେ ସିଡିଏସ୍ ରାୱତ, ତାଙ୍କ ପତ୍ନୀ ମଧୁଲିକା ଓ ଅନ୍ୟ ୧୨ ଜଣ ସେନା କର୍ମଚାରୀ ହେଲିକପ୍ଟର ଯୋଗେ ସୁଲୁର ଏୟାରବେସ୍ରୁ ୱେଲିଙ୍ଗଟନ୍ ଯାଉଥିଲେ ।
ତେବେ ସେଠାରେ ପହଞ୍ଚିବାର କିଛି ମିନିଟ୍ ପୂର୍ବରୁ କୁନ୍ନୁରଠାରେ ବଡ଼ ଅଘଟଣ ଘଟିଥିଲା । ହେଲିକପ୍ଟର କ୍ରାଶ୍ କରିବାରୁ ଏଥିରେ ଥିବା ସମସ୍ତ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା । ହେଲିକପ୍ଟରର୍ ପାଇଲଟ୍ ଗ୍ରୁପ୍ କ୍ୟାପ୍ଟେନ୍ ର୍ୟାଙ୍କ୍ର ଥିଲେ, ଫଳରେ ମାନବୀୟ ତ୍ରୁଟିର ଆଶଙ୍କା ନଥିଲା । ଅପରପକ୍ଷରେ ହେଲିକପ୍ଟର୍ରେ ଦୁଇଟି ଇଞ୍ଜିନ୍ ଥିବା ଯୋଗୁଁ ଇଞ୍ଜିନ୍ ଫେଲ୍ ହେବାର ସମ୍ଭାବନା ମଧ୍ୟ ନଥିଲା ।