ଗଞ୍ଜାମ: କରୋନାର ଦ୍ୱିତୀୟ ଲହର ପ୍ରାଦୁର୍ଭାବ ପ୍ରତିହତ କରିବା ନିମନ୍ତେ ଟିକାକରଣ ଏକାନ୍ତ ଅପରିହାର୍ଯ୍ୟ । ମୋବାଇଲ୍ ଟିମ୍ ଗଠନ କରି ଦୁର୍ଗମ ପାହାଡିଆ ଅଞ୍ଚଳ, ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୪୫ ବର୍ଷରୁ ଉର୍ଦ୍ଧ୍ୱ ବୁଲା ବିକାଳି, ପରିବା ବିକ୍ରେତା, ସେଲୁନ୍ବାଲା, ତେଜରାତି ଦୋକାନୀ, ଗ୍ୟାରେଜ୍ରେ କାମ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ବିଡିଓ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ଜନ ଗହଳିପୂର୍ଣ୍ଣ ଅଞ୍ଚଳ, ଛକଜାଗା, ଘନ ବସତି ଅଞ୍ଚଳ, ଦୁର୍ଗମ ଅଞ୍ଚଳରେ ନିର୍ବାଚନ ଢାଞ୍ଚାରେ ଟିକାକରଣ କେନ୍ଦ୍ର କରି ଜନ ସାଧାରଣଙ୍କୁ ଟିକାକରଣ କରାଇବେ । ଗ୍ରାମଞ୍ଚଳ ଗୁଡିକରେ ସରପଞ୍ଚ ଓ ସହରାଞ୍ଚଳରେ କାଉନସିଲରଙ୍କ ସହ ମିଶି ଟିକା ନେବାକୁ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଦିନକ ପୂର୍ବରୁ ଚିରୁକୁଟି ଦେବାପାଇଁ ଜିଲ୍ଲାପାଳ କହିଥିଲେ ।
ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୈନିକ ଏହାର ସମୀକ୍ଷା କରିବା ସହ ତଦାରଖ କରିବା ପାଇଁ ଜିଲ୍ଲାପାଳ କହିଥିଲେ । କରୋନା ଚେନ୍ ରୋକିବା ନିମନ୍ତେ ତହସିଲଦାର ପୂର୍ବାହ୍ନ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଗୁଡିକରେ ସାମାଜିକ ଦୂରତ୍ୱ ରକ୍ଷା କରିବା ଦିଗରେ ତଦାରଖ କରିବେ । ବୃଦ୍ଧ, ବୃଦ୍ଧା ଓ ଅକର୍ମଣ୍ୟ ବ୍ୟକ୍ତିଙ୍କୁ ଗାଡ଼ିରେ ଆଣି ଟିକାକରଣ କରାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଅନ୍ଲାଇନ୍ ଓ ଅଫ୍ ଲାଇନ୍ରେ ରେଜିଷ୍ଟ୍ରେସନ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଟିକା ଦିଆଯିବ । ଟିକାକରଣ କାର୍ଯ୍ୟ ଜିଲ୍ଲାରେ ଶତପ୍ରତିଶତ ସଫଳତା ହାସଲ ପ୍ରତି ସମସ୍ତ ଅଧିକାରୀ, କର୍ମଚାରୀ ତତ୍ପରତା ପ୍ରକାଶ କରିବାକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ ।
ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡ. ସିଦ୍ଧେଶ୍ୱର ବଳିରାମ ବନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସା, ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।