29.1 C
Bhubaneswar
Thursday, May 2, 2024
Homeଓଡିଶାରାଇଗୁଡ଼ାରେ ଅନ୍ଧବିଶ୍ୱାସ : ଦୁର୍ଘଟଣାରେ ୱାର୍ଡସଭ୍ୟଙ୍କ ମୃତ୍ୟୁ, ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ହତ୍ୟା ଉଦ୍ୟମ

ରାଇଗୁଡ଼ାରେ ଅନ୍ଧବିଶ୍ୱାସ : ଦୁର୍ଘଟଣାରେ ୱାର୍ଡସଭ୍ୟଙ୍କ ମୃତ୍ୟୁ, ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ହତ୍ୟା ଉଦ୍ୟମ

ଗଞ୍ଜାମ: ଦିଗପହଣ୍ଡି ବ୍ଳକ ତଥା କେ. ନୂଆଗାଁ ଥାନା ଅନ୍ତର୍ଗତ ରାଇଗୁଡା ଆଦିବାସୀ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଗୁଣିଆ ସନ୍ଦେହରେ ଜଣେ ଯୁବକଙ୍କ ଉପରେ ପଥର ଛେଚି ହତ୍ୟା ଉଦ୍ୟମ ଘଟଣା ଦିଗପହଣ୍ଡି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଗତ ମାସ ୪ ତାରିଖରେ ଗ୍ରାମର ୱାର୍ଡସଭ୍ୟଙ୍କ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏହି ଘଟଣା ଗୁଣିଗାରେଡ଼ିର ଅଲୌକିକ କାଣ୍ଡ ଯୋଗୁଁ ଘଟିଥିବା ସନ୍ଦେହ କରି ସମ୍ପୃକ୍ତ ଯୁବକ ଉପରେ ହତ୍ୟା ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ କେ.ନୂଆଗାଁ ଥାନାରେ ଏତଲା ହୋଇଛି । ଏତଲାକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିବା କେ.ନୂଆଗାଁ ଥାନା ଅଧିକାରୀ ମାଧବାନନ୍ଦ ନାଏକ ସୂଚନା ଦେଇଛନ୍ତି । ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ନାମ ଟୁନା ପାଇକ ।

ଟୁନା ପାଇକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ତାଙ୍କ ପରିବାର ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବମକେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ ବୋଲି ଟୁନା ପାଇକଙ୍କ ଭାଇ ଅଞ୍ଚଳ ପାଇକଙ୍କ ଠାରୁ ସୂଚନା ମିଳିଛି । ଏହି ଆକ୍ରମଣରେ ଗ୍ରାମର ଦୁଇଜଣ ତାଙ୍କ ଭାଇକୁ ଗୁଣିଆ ସନ୍ଦେହରେ ପଥର ଛେଚି ହତ୍ୟା ଉଦ୍ୟମ କରିଥିବା ଏତଲାରେ ଦର୍ଶାଯାଇଛି ।

ଟୁନା ପାଇକର ମା’ ପଦ୍ମା ପାଇକଙ୍କ ଅଭିଯୋଗ ପ୍ରକାରେ ଆଜି ସକାଳ ୭ଟାରେ ଟୁନା ତାଙ୍କ ଘର ବାରିପଟ ଏକ ପରିତ୍ୟକ୍ତ କୂଅ ଭିତରେ ପଶି ଗାଧୋଉଥିଲେ । ଏହି ସମୟରେ ଦୁଇ ଯୁବକ ବଡ଼ ପଥର ଖଣ୍ଡ ଛେଚି ଦେଇଥିଲେ । ଟୁନା କୂଅ ଭିତରେ ରକ୍ତ ଜୁଡୁବୁଡ ହୋଇ ପ୍ରାଣ ବିକଳରେ ଚିତ୍କାର କରିଥିଲା । ପୁଅର ଏଭଳି ଚିତ୍କାର ଶୁଣି କୂଅ ପାଖକୁ ମା’ ପଦ୍ମା ଦୌଡିଯାଇଥିଲେ । ଟୁନା ପାଇକ ବହୁ କଷ୍ଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ କୂଅରୁ ବାହାରିଥିଲେ । ଏହି ସମୟରେ ଦୁଇ ଅଭିଯୁକ୍ତ ଯୁବକ ଘଟଣାସ୍ଥଳରୁ ଦୌଡି ପଳାଇଥିଲେ ବୋଲି ପଦ୍ମା ଅଭିଯୋଗ କରିଛନ୍ତି । ଗୁଣିଆ ସନ୍ଦେହରେ ତାଙ୍କ ପୁଅ ଉପରେ ଏଭଳି ଆକ୍ରମଣ ହୋଇଥିବା ଅଭିଯୋଗ କହିଛନ୍ତି । ଟୁନା ପାଇକ ଜଣେ ନୃସିଂହ ଠାକୁରଙ୍କ ଭକ୍ତ । ଗତ ମାସ ୪ ତାରିଖରେ ତାଙ୍କ ଗ୍ରାମର ୱାର୍ଡସଭ୍ୟ ଜାନୀ ବାଇକ ଘୋଡ଼ାହାଡ଼ ଡ୍ୟାମ ଠାରୁ ନିଜ ଗ୍ରାମକୁ ବାଇକ୍ ଯୋଗେ ଫେରୁଥିବା ସମୟରେ ଗୋଲଣ୍ଡା-ବୋରିପଦର ଗାଁ ମଧ୍ୟରେ ଏକ ଗଛରେ ପଟିହୋଇ ମୃତ୍ୟୁ ବରଣ କରିଥିଲେ।

ଏହି ଘଟଣା ଟୁନା ପାଇକ ଗୁଣିକରି ଏପରି ଘଟାଇଥିବା ରାଇଗୁଡା ଗ୍ରାମବାସୀଙ୍କ ମନରେ ସନ୍ଦେହ ଘନିଭୂତ ହୋଇଥିଲା । ଏହାକୁ ନେଇ ଗତ ତିନିଦିନ ତଳେ ଗ୍ରାମରେ ଏକ ସଭା ବସିଥିଲା । ସଭାକୁ ଟୁନା ପାଇକଙ୍କୁ ମଧ୍ୟ ଡକାଯାଇଥିଲା । ଦୁର୍ଘଟଣାରେ ୱାର୍ଡସଭ୍ୟଙ୍କ ମୃତ୍ୟୁ ଗୁଣିଆର ଅଲୌକିକ କାଣ୍ଡ ଯୋଗୁଁ ହୋଇଛି ବୋଲି ଟୁନା ଉପରେ ଦୋଷ ଲଗାଇଲେ । ଏହାକୁ ଟୁନା ଅସ୍ୱୀକାର କରିଥିଲେ ମଧ୍ୟ କେହି ମାନିନଥିଲେ । ଏହି ଆକ୍ରୋଶରେ ତାଙ୍କ ପୁଅ ଉପରେ ଆକ୍ରମଣ କରିଥିବା ମା’ ପଦ୍ମା ପାଇକ ଅଭିଯୋଗ କରିଛନ୍ତି । ତାଙ୍କ ପରିବାରକୁ ସୁରକ୍ଷା ଦେବା ପାଇଁ ପୁଲିସ ନିକଟରେ ଦାବି କରିଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking