ଭୁବନେଶ୍ୱର: ବିଘ୍ନବିନାଶକ ପ୍ରଭୁ ଗଣେଶଙ୍କ ଆଗମନ ପରେ ଉତ୍ସବମୁଖର ହୋଇଛି ରାଜଧାନୀ ଭୁବନେଶ୍ୱର । ସହରର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ତୋରଣ, ରଙ୍ଗବେରଙ୍ଗ ଆଲୋକମାଳା ଓ ସୁନ୍ଦର ସାଜସଜ୍ଜା ଶ୍ରଦ୍ଧାଳୁଙ୍କ ମନ ମୋହୁଛି । ସନ୍ଧ୍ୟା ହେଲେ ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ଆହୁରି ବଢ଼ିଯାଉଛି ।କେଉଁଠି ବିଶାଳକାୟ ଗଣେଶ ମୂର୍ତ୍ତି ଦର୍ଶନ ପାଇଁ ଲୋକଙ୍କ ଗହଳି ଜମୁଛି, ତ ଆଉ କେଉଁଠି ଛୋଟ ଓ ନିଆରା ମୂର୍ତ୍ତି ଭକ୍ତଙ୍କୁ ଆକର୍ଷିତ କରୁଛି । ପ୍ରତ୍ୟେକ ମଣ୍ଡପରେ ଭିନ୍ନ ଭିନ୍ନ ଥିମ୍ ଓ ସାଜସଜ୍ଜା ଦେଖିବାକୁ ମିଳୁଛି । ଏହାସହ ଭକ୍ତମାନେ ଶ୍ରଦ୍ଧାର ସହ ପ୍ରଭୁଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରୁଛନ୍ତି ।ବିଶେଷ ଆକର୍ଷଣ ପାଲଟିଛି ଗଣପତି କ୍ଲବ୍ ପକ୍ଷରୁ ପୂଜା ପାଉଥିବା ପ୍ରଭୁ ଗଜାନନଙ୍କ ମୂର୍ତ୍ତି। ଏହି ମୂର୍ତ୍ତି ସୁଦୂର ମହାରାଷ୍ଟ୍ରରୁ ଅଣାଯାଇଛି । ନିଆରା ରୂପ ଓ ଆକର୍ଷଣୀୟ ସାଜସଜ୍ଜା ପାଇଁ ଏଠାରେ ଲୋକଙ୍କ ଭିଡ଼ ଜମୁଛି । ପରିବାର ସହ ଲୋକେ ଆସି ପ୍ରଭୁଙ୍କ ଦର୍ଶନ କରିବା ସହ ଗଣେଶ ପୂଜାର ଉତ୍ସବକୁ ଉପଭୋଗ କରୁଛନ୍ତି । ରାଜଧାନୀରେ ଏବେ ସବୁଠି ଶୁଭୁଛି ଗଣପତି ବାପ୍ପାଙ୍କ ଜୟଧ୍ୱନି ।










