ପୁରୀ: ଆସନ୍ତା ୩୦ ତାରିଖରୁ ମହାପ୍ରଭୁଙ୍କ ରାଜାନ୍ଦ୍ରିଭିଷେକ ପଡୁଥିବା ବେଳେ ସେହି ଦିନ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ଚୁଡାନ୍ତ କରିଛି ଛତିଶା ନିଯୋଗ । ଶୃଙ୍ଖଳିତ ନୀତି କାନ୍ତି ସହ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା କିଭଳି ସୁରୁଖୁରୁରେ ସମ୍ପନ୍ନ ହେବ ସେନେଇ ଛତିଶା ନିଯୋଗ ସେବାୟତ ସଦସ୍ୟଙ୍କ ସହଯୋଗ ଲୋଡିଛି ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତା ୪ ତାରିଖରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ବିଶେଷ ନୀତି କାନ୍ତି ଥିବାରୁ ଏହାକୁ କିଭଳି ଶୃଙ୍ଖଳିତ ଭାବେ ପରିଚାଳିତ କରାଯିବ ସେନେଇ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ତେବେ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜୋର ସୋରରେ ଆଗେଇ ଚାଲିଛି । ତେବେ ରଥଯାତ୍ରା ପୂର୍ବରୁ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ମତ ପ୍ରକାଶ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ଭକ୍ତ ମାନଙ୍କୁ କେବଳ ସିଂହଦ୍ୱାରରେ ପ୍ରବେଶ ଅନୁମତି ଥିବାରୁ ଭକ୍ତ ଓ ସହରବାସୀ ମାନେ ଅନେକ ଅସୁବିଧାର ସଂମୁଖିନ୍ନ ହେଉଛନ୍ତି । ତେଣୁ ଭକ୍ତ ମାନଙ୍କୁ ଚାରି ଦ୍ୱାରରେ ପ୍ରବେଶ ପାଇଁ ଅନୁମତି ମିଳୁ ବୋଲି ବୈଠକରେ ସେବାୟତଙ୍କ ପକ୍ଷରୁ ଦାବି ହୋଇଥିଲା ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରିବା ପରେ ଏନେଇ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ । ସେପଟେ ଖୁବଶୀଘ୍ର ଭକ୍ତ ମାନଙ୍କୁ ଚାରି ଦ୍ୱାରରେ ପ୍ରବେଶ ଅନୁମତି ଦିଆଯାଉ ବୋଲି ଦାବି କରିଛନ୍ତି ସେବାୟତ । ଆସନ୍ତା ସ୍ନାନ ପୂର୍ଣ୍ଣିମା ଓ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ସେବାୟତ ।