28.1 C
Bhubaneswar
Thursday, March 28, 2024
Homeଓଡିଶାମୟୁରଭଞ୍ଜହାତୀ ଆକ୍ରମଣରେ ଜଣେ ନାବାଳିକାଙ୍କ ସମେତ ୪ଜଣଙ୍କ ମୃତ୍ୟୁ

ହାତୀ ଆକ୍ରମଣରେ ଜଣେ ନାବାଳିକାଙ୍କ ସମେତ ୪ଜଣଙ୍କ ମୃତ୍ୟୁ

ମୟୂରଭଞ୍ଜ : ଉଗ୍ର ହେଉଛି ହାତୀ,ଅସହାୟ ମଣିଷ। ନେଉଛି ଜୀବନ,ଭାଙ୍ଗୁଛି ଘରଦ୍ୱାର, ଉଜାଡୁଛନ୍ତି ଫସଲ। କିନ୍ତୁ ୪ ଲକ୍ଷଟଙ୍କା ମଣିଷ ଜୀବନର ମୂଲ୍ୟ ଧାର‌୍ୟ୍ୟକରି ସରକାର ଦାୟିତ୍ବମୁକ୍ତ କେମିତି ବୋଲି ଅଭିଯୋଗ ହେଉଛି। ମୟୂରଭଞ୍ଜ ଜିଲ୍ଲାର ଗାଁ ଠୁ ସହର ସବୁଠି ଘୁରିବୁଲୁଛି ହାତୀ। ଦେଖିଲେ ଆଶ୍ଚର‌୍ୟ୍ୟ ଲାଗିବ ଗୋରୁଛେଳି ଭଳି ଘୁରିବୁଲୁଛି ହାତୀପଲ। ହାତୀପଲ ପାଇଁ ମୟୂରଭଞ୍ଜ ଜିଲ୍ଲାର ରାସ୍ତାଘାଟ ଏବେ ବିପଦମୁକ୍ତ ନୁହେଁ। ଏମିତି କି ମୁଖ୍ୟରାସ୍ତା ଉପରକୁ ଆସି ହାତୀ କୋଉଠି ଧାନ ବୋଝେଇ ଗାଡିକୁ ଅଟକାଇ ଧାନ ଖାଉଛି ତୋ ପୁଣି କୋଉଠି ଯାତ୍ରୀବାହୀ ବସ ଉପରେ ଆକ୍ରମଣ କରୁଛି। ଆଉ କୋଉଠି ଯାତ୍ରୀବାହୀ ବସକୁ ପଛରୁ ଠେଲି ଠେଲି ନେଉଛି ଉତ୍ତେଜିତ ଦନ୍ତାହାତୀ। ଗତକାଲି ଏବଂ ଆଜିକୁନେଇ ୪ଜଣଙ୍କ ଜୀବନ ନେଇଛି ହାତୀ। ମୟୂରଭଞ୍ଜ ଜିଲ୍ଲା ସଦର ଏବଂ କରଞ୍ଜିଆ ଉପଖଣ୍ଡକୁ ନେଇ ୪ଜଣଙ୍କ ଜୀବନ ନେଲାଣି ହାତୀ। ତେବେ ମୋରଡା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାମ ଧରୁନଥିବା ବେଳେ ହାତୀ ଉପଦ୍ରବରେ ବ୍ୟାପକକ୍ଷୟକ୍ଷତି ଘଟୁଥିବା ଦେଖିବାକୁ ମିଳିଛି। ସେହିପରି ହାତୀ ଆକ୍ରମଣରେ ନିରୀହ ଲୋକଙ୍କ ଜୀବନହାନୀ ମଧ୍ୟ ବୃଦ୍ଧି ପାଇଚାଲିଛି। ଖବରରୁ ପ୍ରକାଶ ଆଜି ଏକ ଦନ୍ତାହାତୀ ରାସଗୋବିନ୍ଦପୁର ରେଞ୍ଜ ଅଧିନ ମୋରଡା ବ୍ଲକର ହଳଦୀପାଳ ପଞ୍ଚାୟତ ଅନ୍ତର୍ଗତ ସମାଇଡ଼ିହି ଗ୍ରାମରେ ବିଳମ୍ବିତରାତିରେ ପ୍ରବେଶ କରି ଲୋକଙ୍କୁ ଆତଙ୍କିତ କରିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇ ଗୋଟିଏ ନିରୀହା ନାବାଳିକାକୁ ଅତ୍ୟନ୍ତ ନିର୍ମମଭାବେ କଚାଡି ଜୀବନରୁ ମାରି ଦେଇଥିବା ଜଣାପଡିଛି। ଉକ୍ତ ଗ୍ରାମର ପିତାମ୍ବର ପରମାଣିକଙ୍କ ପରିବାର ଖାଇପିଇ ଶୋଇଥିବା ବେଳେ ହଠାତ ଏକ ଦନ୍ତାହାତୀ ପିତାମ୍ବରଙ୍କ ଘର ଉପରେ ଆକ୍ରମଣ କରିବା ସହ ପିତାମ୍ବରଙ୍କ ନାବାଳିକା ଝିଅ ଗୁନୁ ପରମାଣିକକୁ ଶୁଣ୍ଢରେ ଉଠାଇ କଚାଡି ଗୋଡ଼ରେ ଦଳି ଜୀବନରୁ ମରିଦେଇଛି । ଉକ୍ତ ନାବାଳିକା ଜଣଙ୍କ ଦିବ୍ୟାଙ୍ଗ ଥିବା ବେଳେ ତାଙ୍କ ମାଆ ଝିଅକୁ ଧରି ଦୌଡି ପଳାଉଥିବା ବେଳେ ଦନ୍ତାହାତୀ ଶୁଣ୍ଡରେ ଟାଣିଆଣି କଚାଡିବାରୁ ମାଆ ଆହତ ହୋଇ ପଡିବା ସମୟରେ ଝିଅ ଗୁନୁକୁ କଚାଡି ଦଳି ଦେଇ ମାରିଥିଲା ହାତୀ। ଅପରପକ୍ଷରେ ମୋରଡା ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅଧିନ ତାଡକି ଗ୍ରାମର ଖଡିଆସାହିରେ ହାତୀ ପକ୍କାଘର କାନ୍ଥ ଠେଲି ଦେବାରୁ କାନ୍ଥପଡି ଚାପି ବୃଦ୍ଧ ଦେବ ଦେହୁରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ବେତନଟୀ ରେଞ୍ଜର ଘନଶ୍ୟାମ ସିଂ । ତେବେ ଗୋଟିଏ ପଟେ ନାବାଳିକାଙ୍କ ପରିବାର ସମ୍ପୂର୍ଣ୍ଣ ଦୁଃଖରେ ଭାଙ୍ଗିପଡିଥିବା ବେଳେ ଅନ୍ୟପଟେ ବୃଦ୍ଧାଙ୍କ ମୃତ୍ୟୁରେ ତାଙ୍କ ପରିବାର ବି ଭାଙ୍ଗି ପଡିଛନ୍ତି । ହାତୀ ଭୟରେ ଗ୍ରାମବାସୀମାନେ ଆତଙ୍କିତ ଏବଂ ଉଜାଗରରେ ରହିବା ସହିତ ଆତ୍ମରକ୍ଷା ପାଇଁ କିଏ ମୋବାଇଲ ଟାୱାରରେ ଚଢି ଯାଉଛି ଆଉ କିଏ ଗଛ ଉପରେ ଚଢ଼ି ଆତ୍ମରକ୍ଷା କରୁଛି ଆଉ କୋଉଠି ଲୋକେ ପକାଘର ଛାତ ଉପରେ ତମ୍ବୁ ଖାଞ୍ଚି ରାତି କଟାଉଥିବା ଜଣାପଡିଛି। ସେହିପରି କରଞ୍ଜିଆ ବନଖଣ୍ଡର ୫୦ ରୁ ଉର୍ଦ୍ଧ୍ବ ଗାଁ ରେ ହାତୀ ଆତଙ୍କ ଲାଗିରହିଛି । ଏକ ସପ୍ତାହ ହେବ କରଂଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଇପଡିଛି । ଗତକାଲି କରଂଜିଆ ବନଖଣ୍ଡର ଦୁଧିଆଣି ରେଞ୍ଜ ଅଞ୍ଚଳରେ ୨୩ଟିକିଆ ହାତୀପୋଲ ଉପଦ୍ରବ କରିଥିଲେ । ଉପଦ୍ରବରେ ଦେଉଳି ଗ୍ରାମର ଗୋଟିଏ ଏବଂ ଦରି ଗ୍ରାମରେ ଗୋଟିଏ ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଏକ ସପ୍ତାହ ହବ କରଂଜିଆ ରେଞ୍ଜର ବଡଦେଉଳି, ସାନଦେଉଳି,ରସମତଳା,କଦମବେଡା ,ଛାଞ୍ଚବଣି ସହିତ ଦୁଧିଆଣି ରେଞ୍ଜର ମତା, ଡୁମୁରିଆ, ଦରୀ, ଦେଉଳି, ଶିରମଣିପୁର ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି ।ବନବିଭାଗ ହାତୀ ଘଉଡେଇବା ପାଇଁ ପ୍ରୟାସ ଜାରି ରଖିଥିଲେ ବି ହାତୀ ଘଉଡେଇବା ଦିଗରେ ସଫଳ ହୋଇ ପାରିନି । ହାତୀପଲ ଦିନ ବେଳେ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ସମୟରେ ଗାଁ ଅଭିମୁଖେ ଆସି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ବର୍ତ୍ତମାନ ଦୁଧିଆଣି ରେଞ୍ଚ ଅଧୀନରେ ଥିବା ଦରି ଅଞ୍ଚଳରେ ୧୮ ଟି ହାତୀ ଥିବା ବେଳେ ବଳା କାଜୁ ଜଙ୍ଗଲରେ ୫ ଟି ହାତୀ ଥିବାର ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି କିଛି ସମୟ ପୂର୍ବରୁ ବଳା କାଜୁ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ଗୁରୁତ୍ୱ ଅବସ୍ଥାରେ କରଞ୍ଜିଆ ଡାକ୍ତରଖାନାକୁ ନେବା ସମୟରେ ମୃତ୍ୟୁ ହେଇଥିବାର କରଞ୍ଜିଆ ଇମଲ ଫାଲଗୁନି ବେହେରା ସୂଚନା ଦେଇଛନ୍ତି।ମୃତବ୍ୟକ୍ତିଙ୍କ ନାଁ ହେଉଛି ନୀଳକଣ୍ଠ ସଂଖିଆଳ (୧୮) ତାଙ୍କ ଘର ବଳା ଗ୍ରାମର ମଝିସାହି ଅଞ୍ଚଳର ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking