25.1 C
Bhubaneswar
Saturday, May 2, 2026
Homeଓଡିଶାଜାତୀୟ ରାଜପଥ ଓ ଆର୍‌ଓବି ପ୍ରକଳ୍ପ ଅଗ୍ରଗତି ନେଇ ସମୀକ୍ଷା ବୈଠକ

ଜାତୀୟ ରାଜପଥ ଓ ଆର୍‌ଓବି ପ୍ରକଳ୍ପ ଅଗ୍ରଗତି ନେଇ ସମୀକ୍ଷା ବୈଠକ

ଭୁବନେଶ୍ୱର: ରାସ୍ତାଘାଟ ଏବଂ ଭିତ୍ତିଭୂମି ସୁଦୃଢ଼ୀକରଣ ଜରିଆରେ ରାଜ୍ୟର ପ୍ରଗତିକୁ ତ୍ୱରାନ୍ୱିତ କରିବା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ବିଭାଗୀୟ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବା ଲାଗି ଅର୍ଥର ଅଭାବ ନାହିଁ । ତେବେ ଜାତୀୟ ରାଜପଥ ଠାରୁ ଆରମ୍ଭ କରି ରାଜ୍ୟ ରାଜପଥ ଏବଂ ରେଲେୱ ଓଭର ବ୍ରିଜ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟ ତ୍ୱରିତ ବେଗରେ ଆଗେଇ ନେଇ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଶେଷ କରିବା ଉପରେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ଗୁରୁତ୍ୱ ଦେଇଛନ୍ତି ।

ଆଜି ଲୋକସେବା ଭବନସ୍ଥିତ ନିର୍ମାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପୃଥକ ପୃଥକ ବୈଠକରେ ସମୀକ୍ଷା କରି ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ରାଜ୍ୟରେ କାର୍ଯ୍ୟକାରୀ ଜାତୀୟ ରାଜପଥ ପ୍ରକଳ୍ପ, ରାଜ୍ୟ ରାଜପଥ ପ୍ରକଳ୍ପ ଏବଂ ରେଲେୱ ଓଭର ବ୍ରିଜ ପ୍ରକଳ୍ପର ସମୀକ୍ଷା କରିଥିଲେ । ବୈଠକରେ କ୍ୟାପିଟାଲ ରିଜିୟନ୍‌ ରିଂ ରୋଡ଼୍‌, ସମ୍ବଲପୁର ବାଇପାସ୍‌, ଚଣ୍ଡିଖୋଲ-ପାରାଦୀପ ରାସ୍ତା, ଡୁବୁରୀ-ଚଣ୍ଡିଖୋଲ ରାସ୍ତା, ଉପକୂଳ ରାଜପଥର ସମୀକ୍ଷା କରିଥିଲେ । ସେହିଭଳି ଭଞ୍ଜନଗର-ଆସ୍କା ଜାତୀୟ ରାଜପଥ, ବ୍ରହ୍ମପୁର ବାଇପାସ୍‌, ଖୋର୍ଦ୍ଧା ବାଇପାସ୍‌, ନୟାଗଡ଼ ଟାଉନ୍‌ ବାଇପାସ୍‌, ଜୟପୁର ବାଇପାସ୍‌, କନ୍ଦରପୁର-ବାଲିକୁଦା ରାସ୍ତା, କୋଟପାଡ଼ ବାଇପାସ୍‌, ବାଘମାରି ବାଇପାସ୍‌, ବଲାଙ୍ଗିର ଟାଉନ୍‌ ବାଇପାସ୍‌ ସହ କୁଆଖିଆ-ମଙ୍ଗଳପୁର ରାସ୍ତାର ପ୍ରଶସ୍ତିକରଣ, ଝରିକେଲା-ପାନ୍‌ପୋସ ରାସ୍ତାର ଉନ୍ନତି ଓ ପ୍ରଶସ୍ତିକରଣ, ନବରଙ୍ଗପୁର ବାଇପାସ୍‌ ରୋଡ୍‌, ଧର୍ମଗଡ଼ ବାଇପାସ୍‌, ବୋରିଗୁମା ବାଇପାସ୍‌ ସହ ବୈତରଣୀ, ତେଲ ଆଦି ନଦୀ ସମେତ ବିଭିନ୍ନ ସ୍ଥାନରେ ହାଇଲେବଲ୍‌ ସେତୁର ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ଜମି ଅଧିଗ୍ରହଣ, ଜଙ୍ଗଲଜମି ଅଧିଗ୍ରହଣ ଏବଂ ୟୁଟିଲିଟି ସିଫଟିଂ ସମସ୍ୟାର ତୁରନ୍ତ ସମାଧାନ ସହ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରିତ ଗତିରେ ଆଗେଇ ନେବା ପାଇଁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ବିଭାଗୀୟ ଅଧିକାରୀ, ମୁଖ୍ୟଯନ୍ତ୍ରୀ ଏବଂ ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଅନ୍ୟପକ୍ଷରେ ଆର୍‌ଓବି ସମ୍ପର୍କିତ ଅନ୍ୟ ଏକ ବୈଠକରେ ରାଜ୍ୟରେ ଥିବା ୧୬୫ଟି ରେଲ୍‌ୱେ ଓଭର ବ୍ରିଜର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ କାର୍ଯ୍ୟଭାର ହସ୍ତାନ୍ତର ନେଇ ସମୀକ୍ଷା ହୋଇଥିଲା । ଏଥିରେ ଭୁବନେଶ୍ୱର, କଟକ, ଭଦ୍ରକ, ଗଞ୍ଜାମ, ଝାରସୁଗୁଡ଼ା, ସୁନ୍ଦରଗଡ଼, ରାଉରକେଲା, ବାଲେଶ୍ୱର ଆଦି ବିଭିନ୍ନ ଜିଲ୍ଲାରେ ନିର୍ମାଣ ହେବାକୁ ଥିବା ଆର୍‌ଓବି ପ୍ରକଳ୍ପର ସ୍ଥିତି ସମୀକ୍ଷା କରାଯାଇଥିଲା । ବିଶେଷ କରି, ଜମି ଅଧିଗ୍ରହଣ ସମସ୍ୟାକୁ ଜିଲ୍ଲାପାଳ ଏବଂ ଜମି ଅଧିଗ୍ରହଣକାରୀ ଆଧିକାରୀଙ୍କ ସହଯୋଗରେ କାର୍ଯ୍ୟ ଆଗେଇ ନେବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ବୈଠକରେ ସ୍ୱତନ୍ତ୍ର ଶାସନ ସଚିବ ଇଂ ଏଲ୍‌.କେ. ପାଢ଼ୀ, ସର୍ବୋଚ୍ଚ ଯନ୍ତ୍ରୀ (ବ୍ରିଜ୍‌) ଇଂ ଅରବିନ୍ଦ ତ୍ରିପାଠୀ, ଉପଶାସନ ସଚିବ ଇଂ ସୁନ୍ଦର ମାଧବ ପାଢ଼ୀ, ମୁଖ୍ୟଯନ୍ତ୍ରୀ ଏନ୍‌.ଏଚ୍‌ ଇଂ ନାରାୟଣ ପଟେଲ, ଅର୍ଥ ପରାମର୍ଶଦାତା ଶ୍ରୀ ରତିକାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ବିଭିନ୍ନ ଜିଲ୍ଲାର ମୁଖ୍ୟଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ପ୍ରମୁଖ ଆଭାସି ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking