କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ବାତ୍ୟା ଅର୍ଣ୍ଣବ ଜନିତ ଲଗାଣ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷ କରି ରାଇକିଆ ବ୍ଲକ ମାଣିକେଶ୍ୱରୀ ପଞ୍ଚାୟତର ଡାଙ୍ଗେଶି ଗାଁରେ ସ୍ଥିତି ସାଂଘାତିକ ହୋଇପଡ଼ିଛି । ପ୍ରବଳ ବର୍ଷା ଓ ବନ୍ୟାଜଳରେ ଗାଁର ୧୫ଟି ଘର ସମ୍ପୂର୍ଣ୍ଣ ଧୋଇଯାଇଥିବା ସୂଚନା ମିଳିଛି । ସବୁଠାରୁ ଚିନ୍ତାଜନକ କଥା ହେଉଛି, ଗାଁର ୩ ଜଣ ବ୍ୟକ୍ତି ନିଖୋଜ ଅଛନ୍ତି । ସେମାନଙ୍କର ଏଯାଏଁ କୌଣସି ଖୋଜଖବର ମିଳିପାରିନାହିଁ ।ଘଟଣାର ଖବର ପାଇବା ପରେ କନ୍ଧମାଳ ଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟକ୍ଷତିର ଆକଳନ କରାଯାଉଛି । ସେହିପରି ଜି. ଉଦୟଗିରି ବ୍ଲକର ବଲିଙ୍ଗିଆ ଓ କତିଙ୍ଗିଆ ଅଞ୍ଚଳରେ ଭୂସ୍ଖଳନ ହୋଇଛି। ପାହାଡ଼ରୁ ମାଟି ଓ ପଥର ଖସିବା ଯୋଗୁଁ ଅନେକ ଘର ଏବଂ ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ବଲିଙ୍ଗିଆ ଅଞ୍ଚଳର ୧୨ଟି ପରିବାରର ୪୦ ଜଣଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।










