ଆଣ୍ଟିଗୁଆ : ସ୍ଥାନୀୟ ସାର୍ ଭିଭିଆନ୍ ରିଚାର୍ଡ୍ସ ଷ୍ଟାଡିୟମ୍ରେ ବୁଧବାର ଆରମ୍ଭ ହୋଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ପ୍ରାରମ୍ଭିକ ଝଟକା ପରେ ଇଂଲଣ୍ଡ ମଜଭୁତ ସ୍ଥିତିରେ ପହଞ୍ଚିଛି । ୪୮ ରନ୍ରେ ୪ଟି ୱିକେଟ୍ ହରାଇଥିବା ଇଂଲଣ୍ଡ ଜନ୍ନି ବେୟାର୍ଷ୍ଟୋଙ୍କ ଶତକ ସହାୟତାରେ ଦ୍ୱିତୀୟ ଦିନ ପ୍ରଥମ ଇନିଂସ୍ରେ ୩୧୧ ରନ୍ କରିଛି । ଜବାବରେ ୱେଷ୍ଟଇଣ୍ଡିଜ୍ ଲଞ୍ଚ୍ ବ୍ରେକ୍ ସୁଦ୍ଧା କୌଣସି ୱିକେଟ୍ ନହରାଇ ୪୪ ରନ୍ କରିଛି । କ୍ୟାପ୍ଟେନ୍ କ୍ରେଗ୍ ବ୍ୟାଥ୍ୱେଟ୍ ୨୯ ଓ ଜନ୍ କ୍ୟାମ୍ପବେଲ୍ ୧୪ ରନ୍ରେ ବ୍ୟାଟିଂ କରୁଥିଲେ । ଟସ୍ ଜିତି ବ୍ୟାଟିଂ ନେଇଥିବା ଇଂଲଣ୍ଡର ଶୀର୍ଷକ୍ରମ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲା ଏବଂ ୧୬ ଓଭର୍ ମଧ୍ୟରେ ୪ ଜଣ ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିୟନ୍ ଫେରିଥିଲେ । ଏହାପରେ ବେୟାର୍ଷ୍ଟୋ ଓ ବେନ୍ ଷ୍ଟୋକ୍ସ ଟିମ୍କୁ ବିପଦରୁ ଉଦ୍ଧାର କରିବା ସହ ୫ମ ୱିକେଟ୍ ପାଇଁ ୬୭ ରନ୍ ଯୋଗକରି ସ୍କୋର୍ ୧୦୦ ରନ୍ ପାର୍ କରାଇଥିଲେ । ଷ୍ଟୋକ୍ସ (୩୬) ଜାୟଦେନ୍ ସିଲ୍ସଙ୍କ ଦ୍ୱାରା ଆଉଟ୍ ହେବା ପରେ ବେୟାର୍ଷ୍ଟୋ ୱିକେଟ୍କିପର୍ ବେନ୍ ଫୋକ୍ସ (୪୨)ଙ୍କ ସହ ୯୯ ରନ୍ର ପାର୍ଟନରଶିପ୍ କରି ସ୍କୋର୍ ୨୦୦ ରନ୍ ପାର୍ କରାଇଥିଲେ ।
ପରେ କ୍ରିସ୍ ୱକ୍ସଙ୍କ ମିଶି ନିଜର ଅଷ୍ଟମ ଟେଷ୍ଟ ଶତକ ପୂରଣ କରିଥିଲେ । ପ୍ରଥମ ଦିନ ଖେଳ ଶେଷ ବେଳକୁ ସେ ୨୧୬ ବଲ୍ରେ ୯ ଚୌକା ସହାୟତାରେ ୧୦୯ ରନ୍ କରିଥିଲେ । ଦ୍ୱିତୀୟ ଦିନ ୨୬୮/୬ ଅସମାପ୍ତ ଇନିଂସ୍ ଆରମ୍ଭ କରିଥିବା ଇଂଲଣ୍ଡ ୧୯ ରନ୍ ଯୋଗ କରିବା ପରେ ତିନିଟି ବଲ୍ ମଧ୍ୟରେ ୱକ୍ସ (୨୮) ଓ କ୍ରେଗ୍ ଓଭର୍ଟନ୍ (୦)ଙ୍କ ୱିକେଟ୍ ହରାଇଥିଲା । ବେୟାର୍ଷ୍ଟୋ ୧୪୦ ରନ୍ କରି ଶେଷରେ ଆଉଟ୍ ହୋଇଥିଲେ । ତାଙ୍କର ୨୫୯ ବଲ୍ର ଏହି ଇନିଂସ୍ରେ ୨୧ଟି ଚୌକା ସାମିଲ ଥିଲା । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଜାୟଦେନ୍ ସିଲ୍ସ ସର୍ବାଧିକ ୪ଟି ୱିକେଟ୍ ହାସଲ କରିଥିବା ବେଳେ ଜେସନ୍ ହୋଲ୍ଡର୍, କେମାର ରୋଚ୍ ଓ ଆଲ୍ଜାରୀ ଜୋସେଫ୍ ୨ଟି ଲେଖାଏଁ ସଫଳତା ପାଇଥିଲେ ।