ଭୁବନେଶ୍ୱର: ଭୁବନେଶ୍ୱରରୁ ହାୱଡ଼ା ଯାଉଥିବା ଜନଶତାବ୍ଦୀରେ ଅଗ୍ନିକାଣ୍ଡ । କଟକ ଷ୍ଟେସନରେ ଟ୍ରେନ୍ରେ ଗୋଟିଏ ବଗି ତଳେ ନିଆଁ ଲାଗିଥିବା ସୂଚନା ମିଳିଛି । ଏବେ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବର ପାଇବା ପରେ ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ କରାଯାଇଛି ।
ଯାତ୍ରୀଙ୍କ କହିବା ଅନୁସାରେ ହଠାତ୍ ଟ୍ରେନ୍ର ବ୍ରେକ୍ ଜାମ୍ ହୋଇ ଯାଇଥିଲା । ଆଉ ସେଥିରୁ ହିଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନିଆଁ ଲାଗିବା ପରେ ଯାତ୍ରୀମାନେ ଭୟଭୀତ ହୋଇ ତୁରନ୍ତ ଟ୍ରେନ୍ରୁ ଓହ୍ଲାଇ ପଡ଼ିଥିଲେ । ତେବେ ରେଳ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ଅଗ୍ନିଶମ ବାହିନୀ ମଧ୍ୟ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ତେବେ ସୌଭାଗ୍ୟର କଥା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି, କାହାର କୌଣସି କ୍ଷୟକ୍ଷତି ହୋଇନାହିଁ । ଗୋଟିଏ ବଡ଼ ଦୁର୍ଘଟଣାରୁ ସମସ୍ତେ ବର୍ତ୍ତି ଯାଇଥିବା କଥା କୁହାଯାଇଛି ।
ସେପଟେ କଟକର ୨ ନମ୍ବର ପ୍ଲାଟଫର୍ମରେ ଠିଆ ହୋଇଥିବା ଏହି ଟ୍ରେନ୍ରେ ନିଆଁ ଲାଗିବା ପରେ ଅନ୍ୟ ଟ୍ରେନ୍ ଗୁଡ଼ିକ ମଧ୍ୟ ଅଟକି ରହିଛି । ଏବେ ସୁଦ୍ଧା ଟ୍ରେନ୍ ଛାଡ଼ିବା ପାଇଁ ଘୋଷଣା ହୋଇସାରିଥିବା କହିଛନ୍ତି ଯାତ୍ରୀ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଟ୍ରେନ୍ ଛାଡ଼ି ନାହିଁ । ରେଲୱେ କର୍ତ୍ତୃପକ୍ଷଙ୍କ ଅନୁସାରେ, ଟେକ୍ନିକାଲ ଟିମ୍ର ଅନୁମତି ପରେ ଟ୍ରେନ୍ ଛାଡ଼ିବ ।