ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ତିରୁବନନ୍ତପୁରମ୍-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସର ଏସି କୋଚରେ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳ ପ୍ରାୟ ୫ଟା ୩୦ ମିନିଟ ସମୟରେ କୋଟା ଡିଭିଜନର ଲିନିରିଛା –ବିକ୍ରମାଗଡ଼ ଆଲୋଟ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଦେଖିବାକୁ ମିଳିଛି । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ କୋଟା ରେଳ ଡିଭିଜନର ରିଲିଫ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡକୁ ଆୟତ୍ତ କରିଛନ୍ତି । ସୂଚନାନୁଯାୟୀ, “ଥିରୁବନନ୍ତପୁରମ-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସ ନଂ. ୧୨୪୩୧ର B-୧ କୋଚରେ (SLR ଏଣ୍ଡ ନିକଟରେ) ଲୁନି ରିଚା (LNR) ଏବଂ ବିକ୍ରମଗଡ଼ ଆଲୋଟ୍ (VMA) ମଧ୍ୟରେ Km 729/02 (ଲୋକୋ) ଏବଂ 728/14-16 (SLR) ରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ପରେ ଟ୍ରେନରେ ଥିବା RPF କର୍ମଚାରୀ ଏବଂ ଅନ୍ୟମାନେ ତୁରନ୍ତ ଯାତ୍ରୀମାନଙ୍କୁ ଓହ୍ଲାଇବା ଆରମ୍ଭ କରିଥିଲେ । ପ୍ରାୟ ୧୫ ମିନିଟ୍ ମଧ୍ୟରେ ସମ୍ପୂର୍ଣ୍ଣ କୋଚକୁ ଖାଲି କରାଯାଇଥିଲା । ଦୁର୍ଘଟଣା ସମୟରେ କୋଚରେ ଥିବା ୬୮ ଜଣ ଯାତ୍ରୀ ଏବେ ସୁରକ୍ଷିତ ରହିଥିବା ଜଣାପଡିଛି । ଅନ୍ୟପଟେ ଦିଲ୍ଲୀ-ମୁମ୍ବାଇ ରେଳ ଟ୍ରାକରେ ଯାତାୟାତ ବନ୍ଦ କରାଯାଇଛି । ଟ୍ରେନର ବିଦ୍ୟୁତ ଯୋଗାଣ ମଧ୍ୟ ବନ୍ଦ କରାଯାଇଛି। ସୂଚନା ପାଇବା ପରେ କୋଟା ଡିଭିଜନର ବରିଷ୍ଠ ଅଧିକାରୀ ଏବଂ ବୈଷୟିକ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ତେଣୁ ଏହି ମାମଲା ବର୍ତ୍ତମାନ ତଦନ୍ତାଧୀନ ରହିଛି।










