ରାଉରକେଲା: ରାଉରକେଲାର କଲୁଙ୍ଗା ଶିଳ୍ପାଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ । କାବେରୀ ପେଣ୍ଟସ କାରଖାନାରେ ହଠାତ୍ ଲାଗିଛି ନିଆଁ । ପ୍ରାଥମିକ ସୂଚନା ଅନୁସାରେ, ସଟ୍ ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ତେବେ ଏହାର ପ୍ରକୃତ କାରଣ ନେଇ ତଦନ୍ତ ପରେ ସ୍ପଷ୍ଟ ହେବ । କାରଖାନାରେ ରଙ୍ଗ ଓ ଇଥାନଲ ଭଳି ଦହନଶୀଳ ସାମଗ୍ରୀ ରହିଥିବାରୁ ନିଆଁ ଖୁବ୍ ଶୀଘ୍ର ଚାରିଆଡ଼କୁ ବ୍ୟାପିଯାଇଥିଲା । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛି । ନିଆଁକୁ ଆୟତ୍ତ କରିବା ପାଇଁ ମୋଟ ୫ଟି ଦମକଳ ନିୟୋଜିତ ହୋଇଛି । ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ସମୟ ଧରି ନିଆଁ ଲିଭାଇବାରେ ଲାଗିଛନ୍ତି ।ତେବେ ବର୍ତ୍ତମାନ ସୁଦ୍ଧା ନିଆଁ ସମ୍ପୂର୍ଣ୍ଣ ଭାବେ କାବୁକୁ ଆସିପାରିନାହିଁ । ଅନ୍ୟପଟେ ଅଗ୍ନିକାଣ୍ଡର ଖବର ପାଇ କାରଖାନା ମାଲିକ ପପୁ ଜସ୍ୱାଲ ଓ ତାଙ୍କ ସହଯୋଗୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କାରଖାନାରେ କେହି ଫସିଛନ୍ତି କି ନାହିଁ, କେତେ ପରିମାଣର କ୍ଷୟକ୍ଷତି ହୋଇଛି ଏବଂ ଅଗ୍ନିକାଣ୍ଡର ପ୍ରକୃତ କାରଣ କଣ—ସେନେଇ ତଦନ୍ତ ଜାରି ରହିଛି । ବର୍ତ୍ତମାନ ଅଗ୍ନିଶମ ବାହିନୀର ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ଦହନଶୀଳ ସାମଗ୍ରୀ ଯୋଗୁଁ ଦ୍ରୁତ ଗତିରେ ବ୍ୟାପୁଥିବା ନିଆଁକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆଣିବା ।










