ନୂଆଦିଲ୍ଲୀ: ଭାରତ ମଙ୍ଗଳବାର ପ୍ରକାଶିତ ଏଫ୍ଆଇଏଚ୍ ପୁରୁଷ ବିଶ୍ୱ ର୍ୟାଙ୍କିଙ୍ଗ୍ର ଗୋଟିଏ ସ୍ଥାନ ତଳକୁ ଖସି ଚତୁର୍ଥରେ ପହଞ୍ଚିଛି । ଭାରତର ପଏଣ୍ଟ୍ ୨୭୬୧ ରହିଛି । ଏଫ୍ଆଇଏଚ୍ ହକି ଅଲିମ୍ପିକ୍ କ୍ୱାଲିଫାୟର୍ସରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଜର୍ମାନ ତୃତୀୟ ସ୍ଥାନକୁ ଉଠିଛି । ଗତବର୍ଷ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ଭାରତ ସିଧା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିବାରୁ ନିକଟରେ ଶେଷ ହୋଇଥିବା ଅଲିମ୍ପିକ୍ କ୍ୱାଲିଫାୟର୍ସରେ ଟିମ୍ ଖେଳିନଥିଲା । ଓମାନ୍ରେ ଅନୁଷ୍ଠିତ କ୍ୱାଲିଫାୟର୍ସର ଅଜୟ ଥିବା ଜର୍ମାନୀର ପଏଣ୍ଟ୍ ୨୭୮୬ ହୋଇଛି । ନେଦରାଣ୍ଡ୍ସ (୩୦୬୦ ପଏଣ୍ଟ୍) ପୂର୍ବପରି ଶୀର୍ଷ ସ୍ଥାନରେ କାଏମ୍ ରହିଥିବା ବେଳେ ବେଲ୍ଜିୟମ୍ (୨୮୪୮) ଦ୍ୱିତୀୟ ସ୍ଥାନ ବଜାୟ ରଖିଛି । ଭାରତରେ ଆୟୋଜିତ ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ଚମତ୍କାର ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲିଆ (୨୭୫୭) ଇଂଲଣ୍ଡ (୨୭୨୦)କୁ ପଛରେ ପକାଇ ପଞ୍ଚମ ସ୍ଥାନରେ ପହଞ୍ଚିଛି ।
ଅନ୍ୟପକ୍ଷରେ ଆର୍ଜେଣ୍ଟିନା (୨୫୨୪) ଓ ସ୍ପେନ୍ (୨୨୯୬) ଯଥାକ୍ରମେ ସପ୍ତମ ଓ ଅଷ୍ଟମ ସ୍ଥାନରେ କାଏମ ରହିଛନ୍ତି । ଫ୍ରାନ୍ସ (୨୦୮୫) ନବମ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ (୨୦୨୫) ଟପ୍-୧୦ର ଶେଷ ସ୍ଥାନକୁ ଉଠିଛି । ମହିଳା ର୍ୟାଙ୍କିଙ୍ଗ୍ରେ ପ୍ୟାରିସ୍ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନରେ ବିଫଳ ହୋଇଥିବା ଭାରତ (୨୨୧୫) ନବମ ସ୍ଥାନରେ ରହିଛି । ନେଦରଲାଣ୍ଡ୍ ୩୪୨୨ ପଏଣ୍ଟ୍ ସହ ଏହି ସୂଚୀର ଶୀର୍ଷରେ କାଏମ୍ ଥିବାବେଳେ ଅଷ୍ଟ୍ରେଲିଆ (୨୬୭୮)କୁ ପଛରେ ପକାଇ ଆର୍ଜେଣ୍ଟିନା (୨୮୨୭) ଓ ଜର୍ମାନୀ (୨୭୩୨) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନକୁ ଉଠିଛନ୍ତି । ବେଲ୍ଜିୟମ୍ (୨୪୯୯) ଗୋଟିଏ ସ୍ଥାନ ତଳକୁ ଖସି ପଞ୍ଚମରେ ପହଞ୍ଚିଥିବା ବେଳେ ଇଂଲଣ୍ଡ (୨୩୦୪) ଷଷ୍ଠରେ କାଏମ୍ ରହିଛି । ଭାରତ ଉପରେ ସ୍ପେନ୍ (୨୨୪୪) ଓ ଚୀନ୍ (୨୨୨୬) ଯଥାକ୍ରମେ ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି ।