21.1 C
Bhubaneswar
Thursday, January 23, 2025
Homeଖେଳଫିଫା ମହିଳା ବିଶ୍ୱକପ୍ ଉଦ୍‌ଘାଟିତ; ଇତିହାସ ରଚିଲା ନ୍ୟୁଜିଲାଣ୍ଡ୍‌, ଆୟର୍ଲାଣ୍ଡ୍‌କୁ ହରାଇଲା ଅଷ୍ଟ୍ରେଲିଆ

ଫିଫା ମହିଳା ବିଶ୍ୱକପ୍ ଉଦ୍‌ଘାଟିତ; ଇତିହାସ ରଚିଲା ନ୍ୟୁଜିଲାଣ୍ଡ୍‌, ଆୟର୍ଲାଣ୍ଡ୍‌କୁ ହରାଇଲା ଅଷ୍ଟ୍ରେଲିଆ

ଅକ୍‌ଲାଣ୍ଡ୍ : ଗୁରୁବାରଠାରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍‌ରେ ମିଳିତ ଭାବେ ଆରମ୍ଭ ହୋଇଛି ଫିଫା ମହିଳା ବିଶ୍ୱକପ୍ । ଏଥିରେ ପ୍ରଥମ ଦିନରେ ଦୁଇଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଉଭୟ ଆୟୋଜକ ଦଳ ବିଜୟ ସହ ସେମାନଙ୍କ ଅଭିଯାନ ଆରମ୍ଭ କରିଛନ୍ତି । ଗୋଟିଏ ପଟେ ଉଦ୍‌ଘାଟନୀ ମ୍ୟାଚ୍‌ରେ ଗ୍ରୁପ୍‌-ଏ’ରେ ନ୍ୟୁଜିଲାଣ୍ଡ୍ ନରୱେକୁ ୧-୦ ଗୋଲ୍‌ରେ ପରାସ୍ତ କରିଥିବା ବେଳେ ଗ୍ରୁପ୍‌-ବି’ରେ ଆୟର୍ଲାଣ୍ଡ୍ ବିପକ୍ଷରେ ଅଷ୍ଟ୍ରେଲିଆ ମଧ୍ୟ ସମାନ ବ୍ୟବଧାନରେ ବିଜୟୀ ହୋଇଛି ।

ଅକ୍‌ଲାଣ୍ଡ୍‌ର ଇଡେନ୍ ପାର୍କଠାରେ ଖେଳାଯାଇଥିବା ବିଶ୍ୱକପ୍‌ର ଏହି ନବମ ସଂସ୍କରଣ ପ୍ରଥମ ମ୍ୟାଚ୍‌ରେ ପୂର୍ବତନ ଚାମ୍ପିଅନ୍ ନରୱେକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ୍ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ କୌଣସି ବିଜୟ ହାସଲ କରିବାରେ ସକ୍ଷମ ହୋଇଛି । ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧରେ ହନ୍ନାହ ୱିଲ୍‌କିନ୍‌ସନ୍‌ଙ୍କ ଗୋଲ୍ ମାଧ୍ୟମରେ ଦଳ ଏହି ଐତିହାସିକ ସଫଳତା ହାସଲ କରିଛି । ଦଳ ବିଶ୍ୱକପ୍‌ରେ ତା’ର ଷୋଡ଼ଶ ମ୍ୟାଚ୍‌ରେ ପ୍ରଥମ ବିଜୟର ସ୍ୱାଦ ଚାଖିପାରିଛି । ପ୍ରଥମ କ୍ୱାର୍ଟର୍‌ଟି ଗୋଲ୍ ଶୂନ୍ୟ ଭାବେ ଶେଷ ହେବା ପରେ ଦ୍ୱିତୀୟାର୍ଦ୍ଧ ଖେଳର ପ୍ରାରମ୍ଭିକ ସମୟରେ ଅର୍ଥାତ୍ ମ୍ୟାଚ୍‌ର ୪୮ତମ ମିନିଟ୍‌ରେ ଜାକ୍ୟୁଇ ହ୍ୟାଣ୍ଡ୍‌ଙ୍କ ଏକ ଦ୍ରୁତ ବେଗର ପାସ୍‌କୁ ୱିଲ୍‌କିନ୍‌ସନ୍ ଗୋଲ୍‌ରେ ପରିଣତ କରି ଘରୋଇ ଦର୍ଶକଙ୍କୁ ଖୁସି ମନାଇବାର ସୁଯୋଗ ଦେଇଥିଲେ । ବିଜୟ ସହ ଦଳ ଅଭିଯାନ ଆରମ୍ଭ କରିବା ସହ ପ୍ରତିଯୋଗିତାର ଦ୍ୱିତୀୟ ରାଉଣ୍ଡ୍‌ରେ ପହଞ୍ଚିବାର ସମ୍ଭାବନା ସୃଷ୍ଟି କରିଛି । ଦଳ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ଆସନ୍ତା ମଙ୍ଗଳବାର ଡେବ୍ୟୁଟାଣ୍ଟ୍ ଫିଲିପାଇନ୍ସକୁ ୱେଲିଂଟନ୍‌ଠାରେ ଭେଟିବ । ସେହିପରି ନରୱେ ଉକ୍ତ ଦିନର ଅନ୍ୟତମ ମ୍ୟାଚ୍‌ରେ ହାମିଲଟନ୍‌ଠାରେ ସ୍ୱିଜରଲାଣ୍ଡ୍ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ ।

ସେହିପରି ସିଡ୍‌ନୀର ଷ୍ଟାଡିୟମ୍ ଅଷ୍ଟ୍ରେଲିଆଠାରେ ଖେଳାଯାଇଥିବା ସଂସ୍କରଣର ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଷ୍ଟେଫ୍ କାଟ୍‌ଲୀଙ୍କ ପେନାଲ୍‌ଟି ଗୋଲ୍ ବିଜୟ ଦେଇଛି । ମ୍ୟାଚ୍‌ର ପ୍ରାରମ୍ଭିକ ସମୟରେ ଅଷ୍ଟ୍ରେଲିଆ ଯଥେଷ୍ଟ ସଂଘର୍ଷ କରୁଥିବା ପରିଲକ୍ଷିତ ହୋଇଥିଲା । ବିଶେଷକରି ଦଳର ଅଧିନାୟିକା ସାମ୍ କେର୍‌ଙ୍କ ଅନୁପସ୍ଥିତି କାରଣରୁ ଖେଳାଳିମାନେ ସମନ୍ୱୟ ରକ୍ଷା କରିବାରେ ବିଫଳ ହୋଇଥିଲେ । କେର୍‌ଙ୍କ ଆହତ ଷ୍ଟାଡିୟମ୍‌ରେ ମହଜୁଦ ଥିବା ରେକର୍ଡ ୭୫ ହଜାର ୭୮୪ ଦର୍ଶକଙ୍କୁ ବେଶ୍ ମର୍ମାହତ କରିଥିଲା । କେର୍ ବୁଧବାର ଅଭ୍ୟାସ ସମୟରେ ଆହତ ହେବାରୁ ୠୁରୁବାରର ମ୍ୟାଚ୍ ଖେଳିପାରିନାହାନ୍ତି ।

ତା’ଛଡ଼ା ସେ ଆସନ୍ତା ସପ୍ତାହରେ ବ୍ରିସ୍‌ବେନ୍‌ଠାରେ ହେବାକୁ ଥିବା ଦଳର ନାଇଜେରିଆ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ଉପଲବ୍ଧ ହେବେ ନାହିଁ ବୋଲି ମଧ୍ୟ ଟିମ୍ ମ୍ୟାନେଜ୍‌ମେଣ୍ଟ୍ ସ୍ପଷ୍ଟ କରିସାରିଛି । ତେବେ କେର୍‌ଙ୍କ ଅନୁପସ୍ଥିତିରେ କାଟ୍‌ଲୀ ଦଳର ନେତୃତ୍ୱ ନେଇ ନିଜକୁ ମ୍ୟାଚ୍ ବିଜେତା ସାବ୍ୟସ୍ତ କରିଛନ୍ତି । ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଖେଳରେ କୌଣସି ଗୋଲ୍ ହୋଇ ନ ଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ୫୨ତମ ମିନିଟ୍‌ରେ ତାଙ୍କ ପେନାଲ୍‌ଟି ଗୋଲ୍ ନିର୍ଣ୍ଣାୟକ ହୋଇଥିଲା । ପ୍ରଥମାର୍ଦ୍ଧ ଖେଳରେ ଆୟର୍ଲାଣ୍ଡ୍‌ର ଡିଫେନ୍ସ ବିଭାଗର ଖେଳାଳିମାନେ ଅଷ୍ଟ୍ରେଲୀୟ ଖେଳାଳିମାନଙ୍କୁ ବିଶେଷ ଆକ୍ରମଣର ସୁଯୋଗ ଦେଇ ନ ଥିଲେ । ତା’ଛଡ଼ା ମ୍ୟାଚ୍‌ର ଅନ୍ତିମ ଭାଗରେ ଦଳ ପାଖରେ ସ୍ଥିତି ବରାବର କରିବାର ସୁଯୋଗ ମଧ୍ୟ ଉପନୀତ ହୋଇଥିଲା । କିନ୍ତୁ ଅଷ୍ଟ୍ରେଲିଆର ଡିଫେନ୍ସ ବିଭାଗ ବେଶ୍ ସଶକ୍ତ ସାବ୍ୟସ୍ତ ହେବାରୁ ଦଳ ଏହି ସୁଯୋଗ ହାତଛଡ଼ା କରିଥିଲା । ସୂଚନାଯୋଗ୍ୟ ଯେ ବିଶ୍ୱକପ୍‌ର ଏହି ସଂସ୍କରଣରେ ୩୨ଟି ଟିମ୍ ଅଂଶଗ୍ରହଣ କରୁଛନ୍ତି ଓ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ୍‌ର ଆୟୋଜନ ଏକକାଳୀନ ଦୁଇଟି ଦେଶ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking