ନୂଆଦିଲ୍ଲୀ: ଗୁରୁବାର ଭାରତୀୟ ପୁରୁଷ ଫୁଟବଲ୍ ଦଳ ସଦ୍ୟ ଘୋଷିତ ଫିଫା ର୍ୟାଙ୍କିଙ୍ଗ୍ରେ ୯୯ତମ ସ୍ଥାନକୁ ଉନ୍ନୀତ ହୋଇଛି । ଗତ ମାସରେ ଦଳ ୧୦୦ତମ ସ୍ଥାନରେ ଥିବା ବେଳେ ଚଳିତ ମାସରେ ଗୋଟିଏ ସ୍ଥାନରେ ଉନ୍ନତି ଘଟାଇପାରିଛି । ଏନେଇ ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫ୍ଏଫ୍) ପକ୍ଷରୁ ସୂଚନା ଦିଆଯାଇଛି । ନିକଟରେ ଏକାଧିକ ଟୁର୍ଣ୍ଣାମେଣ୍ଟ୍ରେ ଚାମ୍ପିଅନ୍ ହେବା ଫଳରେ ଭାରତକୁ ଫିଫା ର୍ୟାଙ୍କିଙ୍ଗ୍ରେ ଉଲ୍ଲେଖନୀୟ ଉନ୍ନତି ମିଳିଛି । ବେଙ୍ଗାଲୁରୁଠାରେ ଚଳିତ ମାସର ପ୍ରାରମ୍ଭରେ ଖେଳାଯାଇଥିବା ସାଫ୍ ଚାମ୍ପିଅନ୍ଶିପ୍ରେ ଭାରତ ଲେବାନନ୍ ଓ କୁଏତ୍ ପରି ଶକ୍ତିଶାଳୀ ଦଳକୁ ଯଥାକ୍ରମେ ସେମିଫାଇନାଲ୍ ଓ ଫାଇନାଲ୍ରେ ପେନାଲ୍ଟି ଶୁଟ୍ଆଉଟ୍ରେ ପରାସ୍ତ କରି ନିଜର ଅସଲ ଦକ୍ଷତା ପ୍ରଦର୍ଶନ କରିଥିଲା । ଏହି ବିଜୟ ଫଳରେ ଭାରତ ତା’ର ମୋଟ ର୍ୟାଙ୍କିଙ୍ଗ୍ ପଏଣ୍ଟ୍କୁ ୧୨୦୮.୬୯ରେ ପହଞ୍ଚାଇପାରିଥିଲା । ଏଥିସହ ଭାରତ ଗତ ୨୦୧୮ ପରେ ଫିଫା ର୍ୟାଙ୍କିଙ୍ଗ୍ରେ ସର୍ବଶ୍ରେଷ୍ଠ ସ୍ଥାନରେ ପହଞ୍ଚିଛି ।
ଲେବାନନ୍ ପୂର୍ବ ମାସ ତୁଳନାରେ ଦୁଇଟି ସ୍ଥାନରେ ଉନ୍ନତି ଘଟାଇ ୧୦୦ତମ ସ୍ଥାନରେ ପହଞ୍ଚିଥିବା ବେଳେ କୁଏତ୍ ୪ଟି ସ୍ଥାନ ଉପରକୁ ଉଠି ୧୩୭ତମ ସ୍ଥାନ ହାସଲ କରିଛି । ଫିଫା ର୍ୟାଙ୍କିଙ୍ଗ୍ରେ ଭାରତ ଗତ ୧୯୯୬ରେ ସର୍ବଶ୍ରେଷ୍ଠ ୯୪ତମ ସ୍ଥାନରେ ରହିଥିଲା । ଏହା ପୂର୍ବରୁ ଦଳ ୧୯୯୩ରେ ମଧ୍ୟ ୯୯ତମ ସ୍ଥାନରେ ଏବଂ ୨୦୧୭ ଓ ୨୦୧୮ରେ ୯୬ତମ ସ୍ଥାନରେ ପହଞ୍ଚିପାରିଥିଲା । ସେହିପରି ଗତ ମାସରେ ଦଳ ୧୦୦ତମ ସ୍ଥାନ ହାସଲ କରିଥିଲା । ଅନ୍ୟପକ୍ଷରେ ବିଶ୍ୱ ଚାମ୍ପିଅନ୍ ଆର୍ଜେଣ୍ଟିନା ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଫ୍ରାନ୍ସ, ବ୍ରାଜିଲ୍, ଇଂଲଣ୍ଡ ଓ ବେଲଜିୟମ୍ ଯଥାକ୍ରମେ ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି । ଏସୀୟ ଦେଶମାନଙ୍କ ମଧ୍ୟରେ ଜାପାନ ସର୍ବଶ୍ରେଷ୍ଠ ସ୍ଥାନ ୨୦ରେ ରହିଛି । ଏହାଛଡ଼ା ଇରାନ୍ ୨୨ତମ, ଅଷ୍ଟ୍ରେଲିଆ ୨୭ତମ, କୋରିଆ ୨୮ତମ ଓ ସାଉଦି ଆରବ ୫୪ତମ ସ୍ଥାନରେ ରହି ଏସୀୟ ଦେଶ ମଧ୍ୟରେ ସର୍ବଶ୍ରେଷ୍ଠ ୫ଟି ସ୍ଥାନ ହାସଲ କରିଛନ୍ତି ।