ଧାନ ବିକ୍ରିରେ ଅଚଳାବସ୍ଥା : ପଡ଼ି ରହିଲା ୩୦ ହଜାର ବସ୍ତା ଧାନ

ବରଗଡ଼: ଖରିଫ ଧାନ ବିକ୍ରିରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଗୁରୁବାର ଜିଲ୍ଲାରେ ପୁଣି ଚାଷୀ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଭେଡେନ ବ୍ଲକ୍ ରେଶମ ମାର୍କେଟ ୟାର୍ଡରେ ଧାନ ବିକ୍ରିରେ ଅଚଳାବସ୍ଥା ଯୋଗୁଁ ୩୦ ହଜାର ବସ୍ତା ଧାନ ପଡ଼ି ରହିଥିଲା । ଫଳରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବା ସହ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିଲେ । ପରେ ଅତିରିକ୍ତ ଜିଲ୍ଲାପାଳ ଓ ଅତିରିକ୍ତ ଯୋଗାଣ ଅଧିକାରୀ ପହଁଚି ଚାଷୀମାନଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
ଟୋକନ ବ୍ୟବସ୍ଥାକୁ ନେଇ ଚାଷୀ ଅସନ୍ତୋଷ ଥମି ନ ଥିବା ବେଳେ ଏବେ ମିଲର୍ସଙ୍କ ମର୍ଜିରେ ଧାନ କିଣାବିକା ଚାଲିଥିବା ଅଭିଯୋଗ ହୋଇଛି । ଜିଲ୍ଲାର ବିଭିନ୍ନ ମାର୍କେଟ ୟାର୍ଡରେ ଦଲାଲରାଜ ଅପରିବର୍ତ୍ତିତ ରହିଛି । ମାର୍କେଟ ୟାର୍ଡରେ ବିଭିନ୍ନ ଆଳ କରି ଚାଷୀଙ୍କ ଧାନରେ କଟନୀ ଛଟନୀ କରାଯାଉଥିବା ବେଳେ ବସ୍ତା ପିଛା ୨ ରୁ ୫ କେଜି ପର୍ଯ୍ୟନ୍ତ ଧାନ କଟା ଯାଉଥିବା ଅଭିଯୋଗ ହୋଇଛି । ସେହିପରି ହ୍ୟାଣ୍ଡଲିଂ ପଇସା ମଧ୍ୟ ମିଲର୍ସ ଏବଂ ପ୍ରଶାସନିକ ଅଧିକାରୀ ଭାଗ ବଣ୍ଟା କରି ନେଉଯାଉଥିବା ବେଳେ ଚାଷୀକୁ ଏକ ପ୍ରକାର ଅଣ୍ଡରରେଟରେ ବିକ୍ରି କରିବାକୁ ବାଧ୍ୟ କରାଯାଉଛି । ଏପରି ସ୍ଥିତିରେ ରେଶମ ମାର୍କେଟ ୟାର୍ଡରେ ଧାନ କିଣାବିକା ଠପ୍ ହେବା ସହ ସେଠାରେ ପ୍ରାୟ ୩୦ ହଜାର ବସ୍ତା ଧାନ ପଡ଼ି ରହିଛି । ଯାହାକୁ ନେଇ ଗୁରୁବାର ଚାଷୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିଲେ । ଧାନ କିଣାବିକାରେ ସୁଧାର ଆଣିବା, ମଣ୍ଡିରେ ଦଲାଲରାଜ ଓ କଟନୀଛଟନୀ ବନ୍ଦ କରିବା, ବସ୍ତା ତଥା ହ୍ୟାଣ୍ଡଲିଂ ପଇସା ଚାଷୀକୁ ପ୍ରଦାନ କରିବାକୁ ଦାବି କରି ରେଶମ, ପ୍ରଧାନପାଲି ଆଦି ଗ୍ରାମର ଶତାଧିକ ଚାଷୀ ଜିଲ୍ଲାପାଳ ଅଫିସକୁ ଘେରାଉ କରିଥିଲେ । ଗୋଡ଼ଭଗା ଆନ୍ଦୋଳନ ସମୟରେ ଚାଷୀମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଜିଲ୍ଲା ପ୍ରଶାସନ ପୂରଣ କରୁ ଏବଂ ଜିଲ୍ଲାରେ ଧାନ କିଣାବିକାରେ ଲାଗି ରହିଥିବା ଅଚଳାବସ୍ଥା ଦୂର କରୁ ବୋଲି କୁହାଯାଇଥିଲା । ସେହିପରି ବର୍ତ୍ତମାନ ପରିସ୍ଥିତରେ ବିଜେଡି ଏବଂ ବିଜେପି ମିଶି ଯାଇଥିବା ଯୋଗୁଁ ଚାଷୀମାନଙ୍କ ସମସ୍ୟା କେହି ଉତଥାପନ କରୁନାହାନ୍ତି । ତେଣୁ ଚାଷୀ ହିଁ ବିରୋଧୀ ଦଳର ଭୂମିକା ନିର୍ବାହ କରି ଚାଷୀ ସମସ୍ୟା ସମାଧାନ କରିବାକୁ ଆହ୍ୱାନ ଦିଆଯାଇଥିଲା । ସେହିପରି ଗୋଡ଼ଭଗାରେ ଚାଷୀମାନଙ୍କୁ ମିଛ ପ୍ରତିଶ୍ରୁତି ଦେଇ ବିଶ୍ୱାସରେ ବିଷ ମିଶାଯାଇଛି । ତେଣୁ ଆଗାମୀ ଦିନରେ ସମଗ୍ର ରାଜ୍ୟର ଚାଷୀମାନଙ୍କ ସମସ୍ୟାର ସମାଧାନ ପାଇଁ ବରଗଡ଼ – ସମ୍ବଲପୁର ଜିଲ୍ଲାର ଚାଷୀ ହିଁ ଲଢ଼େଇ କରି ରାସ୍ତା ଦେଖାଇବେ ବୋଲି ଚାଷୀ ନେତା ସରୋଜ ଏ ଅବସରରେ କହିଥିଲେ ।