ଭୁବନେଶ୍ୱର: ଓଡିଶାର ମାନ୍ୟବର ରାଜ୍ୟପାଳ ଡ.ହରିବାବୁ କମ୍ଭମପାଟିଙ୍କୁ ଗୁରୁବାର ଦିନ ଲୋକଭବନର ନ୍ୟୁ ଅଭିଷେକ ହଲଠାରେ ଲୋକଭବନର ଅଧିକାରୀ ଓ କର୍ମଚାରୀଙ୍କ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ମାନ୍ୟବର ରାଜ୍ୟପାଳଙ୍କ ସହ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଉପସ୍ଥିତ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବୋଧିତ କରି ଓଡିଶାରେ ତାଙ୍କର ପ୍ରାୟ ଏକ ବର୍ଷ ନଅ ମାସରେ କାର୍ଯ୍ୟକାଳ ମଧ୍ୟରେ ସମସ୍ତ ପକ୍ଷରୁ ମିଳିଥିବା ସହଯୋଗ ଓସମର୍ଥନ ପାଇଁ ରାଜ୍ୟପାଳ କୃତଜ୍ଞତା ଜଣାଇଥିଲେ । ଓଡିଶାରେ ବିତାଇଥିବା ସମୟ ତାଙ୍କ ଜୀବନର ଏକ ଅଭୁଲା ସ୍ମୃତି ହୋଇ ରହିବ ବୋଲି ରାଜ୍ୟପାଳ କହିଥିଲେ । ରାଜ୍ୟରେ ତାଙ୍କର କାର୍ଯ୍ୟକାଳ ସମୟରେ ଲୋକଭବନର ଅଧିକାରୀ ଓ କର୍ମଚାରୀମାନେ ଯେଉଁ ସହଯୋଗ ଓ ସମନ୍ୱୟ ପ୍ରଦାନ କରିଥିଲେ ସେଥିପାଇଁ ରାଜ୍ୟପାଳ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଡ.ରୂପା ରୋଶନ ସାହୁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିରାକୀ ଓ ଲୋକଭବନର କର୍ମଚାରୀମାନେ ମଧ୍ୟ ନିଜ ନିଜର ଅନୁଭୂତି ବ୍ୟକ୍ତ କରିବା ସହ ରାଜ୍ୟପାଳଙ୍କ ସହ କାର୍ଯ୍ୟ କରିବାର ସ୍ମୃତିଚାରଣ କରିଥିଲେ । ପରିଶେଷରେ ଲୋକଭବନର ଅଧିକାରୀ ଓ କର୍ମଚାରୀମାନେ ରାଜ୍ୟପାଳଙ୍କ ପ୍ରତି ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।










