ରାୟଗଡା: ପୂର୍ବତନ ସାଂସଦ ଏନ.ଭାସ୍କର ରାଓଙ୍କ ଘରେ କ୍ରାଇମବ୍ରାଞ୍ଚ ଚଢାଉ । ରାୟଗଡା ସହର ରାଣିଗୁଡା ସ୍ଥିତ ବାସଭାବନରେ କ୍ରାଇମବ୍ରାଞ୍ଚ ପକ୍ଷରୁ ରେଡ କରାଯାଇଛି । ଟ୍ରକ ମାଲିକ ସଂଘର ୮୦ କୋଟି ଟଙ୍କା ଆତ୍ମସାତ ଅଭିଯୋଗରେ ଏହି ଚଢାଉ ହୋଇଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ୨୧ ଜଣିଆ ଟିମ ଛପା ମାରିଛନ୍ତି । ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୫ ଜଣ ଲେଖାଏଁ ଡିଏସପି, ଇନ୍ସପେକ୍ଟର ଏହି ଚଢାଉ ରେ ସାମିଲ ଅଛନ୍ତି । ଇଓଡବ୍ଲ୍ୟୁର ଏତ ଟିମ ତଦନ୍ତ ପାଇଁ ଗତକାଲି ରାୟଗଡା ଆସିଥିଲେ । ଏହି ଟିମ ୨ ଦିନ ହେଲା ରାୟଗଡାରେ ରହି ଆର୍ଥିକ ଅନିୟମିତତା ଅଭିଯୋଗର ଛାନଭିନ କରିବା ପରେ ଆଜି ଚଢାଉ କରିଛନ୍ତି । ସୂଚନାଯୋଗ୍ୟ ଯେ, ଟ୍ରକ ମାଲିକ ସଂଘର ସଭାପତି ୱାଇ ଭେଙ୍କେଟେଶ୍ୱର ରାଓ ୮୦ କୋଟି ଟଙ୍କା ହଡପ ଅଭିଯୋଗ ଆଣିଥିଲେ । ପୂର୍ବତନ ସାଂସଦ ଭାସ୍କର ରାଓ ଓ ଅନ୍ୟମାନଙ୍କ ବିରୋଧରେ ଟ୍ରକ ମାଲିକ ସଂଘର ସ୍ୱର୍ଗତ ଭେଙ୍କେଟେଶ୍ୱର ରାଓ ରାୟଗଡା ପୁଲିସରେ ଏହି ଅଭିଯୋଗ କରିଥିଲେ । ରାୟଗଡା ପୁଲିସ ଏହି ମାମଲାକୁ କ୍ରାଇମବ୍ରାଞ୍ଚ କୁ ହସ୍ତାନ୍ତର କରିଥିଲେ । ଏହାପରେ କ୍ରାଇମବ୍ରାଞ୍ଚର ୨୧ ଜଣିଆ ଟିମ ରାୟଗଡା ଆସି ତଦନ୍ତ କରୁଥିବା ଜଣାପଡିଛି । ତେବେ ଭାସ୍କର ରାଓ ବର୍ତ୍ତମାନ ରାୟଗଡାରେ ଅନୁପସ୍ଥିତ ଥିବା ଜଣାପଡିଛି । ଇଓଡବ୍ଲ୍ୟୁ ଟିମ ଶ୍ରୀ ରାଓଙ୍କ ବାସଭବନରେ ରହି କିଛି ସହାୟକଙ୍କୁ ପଚରା ଉଚରା କରୁଛନ୍ତି । ଅଧିକ ତଥ୍ୟ ଦେବାକୁ ଅଧିକାରୀମାନେ ମନା କରିଛନ୍ତି ।










