ଯାଜାପୁର: ୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଭେଟେନାରି ଅଫିସ କର୍ମଚାରୀ। ଯାଜାପୁର ଜିଲ୍ଲା ବଡ଼ଚଣା ବ୍ଲକ ଭେଟେନାରି ଅଫିସ କର୍ମଚାରୀ ସୁଭାଶିଷ ସାମଲ। ୨,୧୬,୦୦୦ ଟଙ୍କାର କିସ୍ତି ପାଇଁ ହିତାଧିକାରୀଙ୍କ ଠାରୁ ନେଉଥିଲେ ଲାଞ୍ଚ। କୁକୁଡ଼ା ଫାର୍ମ ପାଇଁ ୨୦୨୪ ଡିସେମ୍ବର ୧୨ରେ ଆବେଦନ କରିଥିଲେ ହିତାଧିକାରୀ। ମାମଲା ରୁଜୁ କଲା ଭିଜିଲାନ୍ସ ବିଭାଗ ତଦନ୍ତ ଆରମ୍ଭ କରିଛି। ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଜଣେ ହିତାଧିକାରୀ ୨୦୨୪ ଡିସେମ୍ବର ୧୨ ତାରିଖରେ ରାଜ୍ୟ ସରକାରଙ୍କ ଯୋଜନାରେ କୁକୁଡ଼ା ଫାର୍ମ ପାଇଁ ଆବେଦନ କରିଥିଲେ। ଏହି ପ୍ରକଳ୍ପ ପାଇଁ ୭,୨୦,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏଥିରେ ସବସିଡି ମୂଲ୍ୟ ୪,୩୨,୨୦୦ ଟଙ୍କା ଥିଲା, ଯାହା ୬୦ ପ୍ରତିଶତ। ସରକାରଙ୍କ ଯୋଜନା ଅନୁସାରେ ପ୍ରଥମ କିସ୍ତିର ସବସିଡି ଟଙ୍କା ମିଳିଥିଲା। ପ୍ରକଳ୍ପ ଯାଞ୍ଚ ପରେ ଦ୍ବିତୀୟ କିସ୍ତି ୨,୧୬,୦୦୦ ଟଙ୍କାରେ ଟଙ୍କା ମିଳିବାର ଥିଲା।
ତେବେ ଦ୍ବିତୀୟ କିସ୍ତିର ୨,୧୬,୦୦୦ ଟଙ୍କା ପାଇବା ପାଇଁ ଆବେଦନକାରୀ ଜଣକ ପ୍ରାଣୀଧନ କାର୍ଯ୍ୟାଳୟରେ ଅନୁରୋଧ କରିଥିଲେ ଏବଂ ସେ ଶ୍ରୀ ସାମଲଙ୍କ ସଂସ୍ପର୍ଶରେ ଆସିଥିଲେ। ତେବେ ଦ୍ବିତୀୟ କିସ୍ତି ଟଙ୍କା ପାଇଁ ଶ୍ରୀ ସାମଲ ୪୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଆବେଦନକାରୀ ୩୦,୦୦୦ ଟଙ୍କା ଦେବା ପାଇଁ ରାଜି ହୋଇଥିଲେ ଏବଂ ପରେ ଘଟଣା ସଂପର୍କରେ ଭିଜିଲାନ୍ସ ବିଭାଗର ଅଧିକାରୀଙ୍କୁ ଅବଗତ କରିଥିଲେ। ଯୋଜନା ଅନୁସାରେ ଆଜି ଶ୍ରୀ ସାମଲ ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଅତର୍କିତ ଚଢ଼ଉ କରିଥିଲେ। ଯାଜପୁର ଜିଲ୍ଲା ବଡ଼ଚଣା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ନିକଟ କାଞ୍ଜିଆ ଛକରୁ ଭିଜିଲାନ୍ସ ବିଭାଗ ଟଙ୍କା ଜବତ କରିଥିଲେ।










