ସୋର: ସୋର ବ୍ଲକ ୪୩ ନମ୍ବର ଜୋନ ଅନ୍ତର୍ଗତ ଶିଙ୍ଗାଖୁଣ୍ଟା ପଞ୍ଚାୟତ ଶିମୁଳିଖୋଲ ଗ୍ରାମରେ ନିର୍ବାଚନ ବେଳେ ନିଜ ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଇ ନଥିବାରୁ ସେହି ଗ୍ରାମର ଗଜେନ୍ଦ୍ର ସିଂ କାମରୁ ଫେରି ଘରକୁ ଯାଉଥିବା ସମୟରେ ଯଦୁ ସିଂ ତାଙ୍କୁ ଘର ଆଗରେ ଅଟକାଇ ଆମ କଥା ଅନୁସାରେ ଭୋଟଦେଲୁ ନାହିଁ କାହିଁକି ବୋଲି ପଚାରିବା ସହିତ ତାଙ୍କୁ ଘୋଷାରି ମାଡ଼ମାରି ଜୀବନରୁ ମାରି ଦେବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କ ପୁଅ ଏବଂ ଜ୍ୱାଇଁ ପହଞ୍ଚି ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସୋରରୁ ବାଲେଶ୍ୱରକୁ ସ୍ଥାନାନ୍ତିରତ କରାଯାଇଛି । ସେହିପରି ଗତକାଲି ଗ୍ରାମର ବାପି ସିଂ ଶିଙ୍ଗାଖୁଣ୍ଟା ବଜାରକୁ ସଉଦା ପାଇଁ ଯାଉଥିବା ବେଳେ ଶିଙ୍ଗାଖୁଣ୍ଟାର ରଞ୍ଜନ ସାହୁ, ଜ୍ଞାନ ରଞ୍ଜନ ଜେନା, ଉଦୟଭାନୁ ପରିଡ଼ା, ସିଲୁ ପାତ୍ର, ନରେନ୍ଦ୍ର ନାୟକ ଓ ସତ୍ୟାନନ୍ଦ ଜେନା ତାଙ୍କୁ ଅଟକାଇ ବାଇକ୍ରେ ବସାଇ ଖକଡ଼ାନନ୍ଦା ନିକଟସ୍ଥ ଏକ ନିଛାଟିଆ ଜାଗାକୁ ନେଇ ନିସ୍ତୁକ ମାଡ଼ ମାରିଥଲେ ଖଣ୍ଡା ଭୁଜାଲି ଦେଖାଇ ଧମକଦେଇଥିଲେ । ତାଙ୍କ ନିକଟରୁ ମୋବାଇଲ, ୭ଶହ ଟଙ୍କା ଏଟିଏମ୍ କାର୍ଡ଼ ନେଇଯାଇଥିବା ସଂପର୍କରେ ଆଜି ସକାଳେ ବାପି ସୋର ଥାନାରେ ଅଭିଯୋଗ କରିଛନ୍ତି । ସେହି ଗ୍ରାମର ଗଣେଶ ସିଂ ଏବଂ ଗଜେନ୍ଦ୍ର ସିଂ ଆଜି ସକାଳେ ବାଗୁଡ଼ି ଆସୁଥିବା ବେଳେ ତାରିଣୀଛକ ନିକଟରେ ଶିଙ୍ଗାଖଣ୍ଟା ଗ୍ରାମର ଗଗନ ସାହୁ, ବାପୁନ ଶଂଖୁଆ ଅନ୍ୟମାନେ ତାଙ୍କୁ ଅଟକାଇ ଗାଲିଗୁଲଜ କରି ମାଡ଼ ମାରିବା ସହିତ ବାଗୁଡ଼ି ବାଟେ ଯିବା ଆସିବା କରିପାରିବ ନାହିଁବୋଲି ଧମକ ଦେଇଥିଲେ । ଏ ସଂପର୍କରେ ଆଜି ସୋର ଥାନାରେ ଅଭିଯୋଗ ହେବା ପରେ ପୁଲିସ ୩ଟି ଅଲାଗା ଅଲଗା ମାମଲା ରୁଜୁକରି ପୁଲିସ୍ ତଦନ୍ତ ଆରମ୍ଭ କରିଛି ।