ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳର ନେତାମାନଙ୍କ ପ୍ରଦର୍ଶନ ଏବଂ ନିର୍ବାଚନ କମିଶନଙ୍କ ସହ ଆଲୋଚନା ପାଇଁ ସାକ୍ଷାତ ସମୟ ମାଗିବା ପ୍ରସଙ୍ଗରେ ନିର୍ବାଚନ କମିଶନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। କମିଶନ କହିଛି ଯେ, କୌଣସି ରାଜନୈତିକ ଦଳର ପ୍ରତିନିଧିଙ୍କୁ ଭେଟିବାରେ ତାଙ୍କର କୌଣସି ଆପତ୍ତି ନାହିଁ।ନିର୍ବାଚନ କମିସନଙ୍କ ଅନୁସାରେ, ରାଜନୈତିକ ଦଳର ପ୍ରତିନିଧିମଣ୍ଡଳ ପୂର୍ବରୁ ମଧ୍ୟ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସରଣ କରି କମିଶନଙ୍କୁ ଭେଟି ଆସିଛନ୍ତି। ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଅନୁସରଣ କରି ଯେକୌଣସି ରାଜନୈତିକ ଦଳ କମିଶନଙ୍କ ସହ ଆଲୋଚନା କରିପାରିବେ।
କମିଶନ କହିଛି ଯେ, ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ପକ୍ଷରୁ ଔପଚାରିକ ଭାବେ ସାକ୍ଷାତ ପାଇଁ ସମୟ ମଗାଯାଇନାହିଁ। ତେଣୁ କୌଣସି ବୈଠକ ପାଇଁ ସମୟ ମଧ୍ୟ ନିର୍ଦ୍ଧାରଣ ହୋଇନାହିଁ। ଯଦି କୌଣସି ଦଳ ନିୟମ ଅନୁସାରେ ସାକ୍ଷାତ ପାଇଁ ଅନୁରୋଧ କରେ, ତେବେ ନିର୍ବାଚନ କମିସନ ତାହା ଉପରେ ବିଚାର କରିବ।ବିରୋଧୀ ଦଳଗୁଡ଼ିକ ନିର୍ବାଚନ ପ୍ରକ୍ରିୟା, ଭୋଟର ତାଲିକା ଏବଂ ବିଶେଷ ସଂଶୋଧନ ପ୍ରକ୍ରିୟା ଭଳି ବିଭିନ୍ନ ପ୍ରସଙ୍ଗ ନେଇ ନିର୍ବାଚନ କମିସନଙ୍କ ନିକଟରେ ନିଜ ଆପତ୍ତି ଓ ପ୍ରଶ୍ନ ଉଠାଇଆସୁଛନ୍ତି। ଏହାକୁ ନେଇ ରାଜନୈତିକ ମାହୋଲ ମଧ୍ୟ ସରଗରମ ରହିଛି।
ନିର୍ବାଚନ କମିସନ ପୁଣିଥରେ ସ୍ପଷ୍ଟ କରିଛି ଯେ, ସେ କୌଣସି ରାଜନୈତିକ ଦଳ ସହ ଆଲୋଚନା କରିବାକୁ ପ୍ରସ୍ତୁତ। ତେବେ ଏଥିପାଇଁ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସରଣ କରିବା ଆବଶ୍ୟକ। ଏହି ସ୍ପଷ୍ଟୀକରଣ ପରେ ବିରୋଧୀ ଦଳଗୁଡ଼ିକ ଔପଚାରିକ ଭାବେ ସାକ୍ଷାତ ପାଇଁ ସମୟ ମାଗିବେ କି ନାହିଁ, ତାହା ଉପରେ ଏବେ ନଜର ରହିଛି।










