22.1 C
Bhubaneswar
Wednesday, January 22, 2025
Homeଖେଳଦୁଲୀପ ଟ୍ରଫି: ସେମିଫାଇନାଲ୍ ପର୍ଯ୍ୟାୟ; ୱେଷ୍ଟ୍ ଜୋନ୍ ଓ ନର୍ଥ ଜୋନ୍ ଆଗୁଆ

ଦୁଲୀପ ଟ୍ରଫି: ସେମିଫାଇନାଲ୍ ପର୍ଯ୍ୟାୟ; ୱେଷ୍ଟ୍ ଜୋନ୍ ଓ ନର୍ଥ ଜୋନ୍ ଆଗୁଆ

ବେଙ୍ଗାଲୁର: ବୁଧବାରଠାରୁ ଆରମ୍ଭ ହୋଇଥିବା ଚଳିତ ଦୁଲୀପ ଟ୍ରଫିର ସେମିଫାଇନାଲ୍ ପର୍ଯ୍ୟାୟରେ ସେଣ୍ଟ୍ରାଲ୍ ଜୋନ୍ ବିପକ୍ଷରେ ୱେଷ୍ଟ୍ ଜୋନ୍ ଓ ସାଉଥ୍ ଜୋନ୍ ବିପକ୍ଷରେ ନର୍ଥ ଜୋନ୍ ଅଗ୍ରଣୀ ଲାଭ କରିଛନ୍ତି । ପ୍ରଥମ ସେମିରେ ପ୍ରଥମ ଦିନରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟ୍ ଜୋନ୍ ୮ ୱିକେଟ୍‌ରେ ୨୧୬ ରନ୍ କରିଥିଲା । ଗୁରୁବାର ଏହିଠାରୁ ଦଳର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଚନ୍ତନ ଗାଜା (୧୩) ଓ ଅରଜନ୍ ନାଗସୱାଲା (୫) ଖେଳ ଆରମ୍ଭ କରିଥିଲେ । ପ୍ରଥମେ ନଗସୱାଲା ୬ ଓ ପରେ ଯୁବରାଜସିଂହ ଡୋଡିୟା ଶୂନରେ ଆଉଟ୍ ହେବା ଫଳରେ ୱେଷ୍ଟ୍ ଜୋନ୍‌ର ପ୍ରଥମ ଇନିଂସ ୯୨.୫ ଓଭର୍‌ରେ ୨୨୦ ରନ୍‌ରେ ସମାପ୍ତ ହୋଇଥିଲା । ଗାଜା ୧୪ ରନ୍‌ରେ ଅପରାଜିତ ଥିବା ବେଳେ ସେଣ୍ଟ୍ରାଲ୍ ଜୋନ୍ ପକ୍ଷରୁ ଶିବମ୍ ମାଭି ୬ ୱିକେଟ୍‌ର ସଫଳତା ପାଇଥିଲେ ।

ବ୍ୟାଟିଂରେ ଦଳ ନଗସୱାଲାଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ତା’ର ପ୍ରଥମ ଇନିଂସରେ ୩୧.୩ ଓଭର୍‌ରେ ମାତ୍ର ୧୨୮ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ରିଙ୍କୁ ସିଂହ ୬ଟି ଚୌକା ସହ ୪୮ ଓ ଧ୍ରୁବ ଜୁରେଲ୍ ୭ଟି ଚୌକା ଜରିଆରେ ୪୬ ରନ୍ କରିଥିଲେ । ୱେଷ୍ଟ୍ ଜୋନ୍‌ର ନଗସୱାଲାଙ୍କୁ ୫ଟି, ଅତୀତ ଶେଠ୍‌ଙ୍କୁ ୩ଟି ଓ ଗାଜାଙ୍କୁ ୨ଟି ୱିକେଟ୍ ମିଳିଥିଲା । ୯୨ ରନ୍‌ରେ ଆଗୁଆ ଥିବା ୱେଷ୍ଟ୍ ଜୋନ୍ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରି ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ୍‌ରେ ୧୪୯ ରନ୍ କରି ଅଦ୍ୟାବଧି ମୋଟ ୨୪୧ ରନ୍‌ରେ ଆଗୁଆ ରହିଛି । ସୂର୍ଯ୍ୟକୁମାର ଯାଦବ ୮ଟି ଚୌକା ଓ ଗୋଟିଏ ଛକା ସହ ୫୨ ରନ୍‌ରେ ଆଉଟ୍ ହୋଇଥିବା ବେଳେ ଚେତେଶ୍ୱର ପୂଜାରା ୫ଟି ଚୌକା ମାଧ୍ୟମରେ ୫୦ ଏବଂ ସର୍ଫରାଜ୍ ଖାନ୍ ୬ ରନ୍‌ରେ ଅପରାଜିତ ଅଛନ୍ତି । ସେଣ୍ଟ୍ରାଲ୍ ଜୋନ୍‌ର ସୌରଭ କୁମାର ୨ଟି ଓ ୟଶ୍ ଠାକୁର ଗୋଟିଏ ୱିକେଟ୍ ପାଇଛନ୍ତି ।

ଦ୍ୱିତୀୟ ସେମିରେ ପ୍ରଥମ ଦିନରେ ପ୍ରଥମେ ବ୍ୟାଟିଂ ପାଇ ନର୍ଥ ଜୋନ୍‌୧୯୮ରେ ଅଲ୍‌ଆଉଟ୍ ହେବା ପରେ ଜବାବରେ ସାଉଥ୍ ଜୋନ୍ ୪ଟି ୱିକେଟ୍ ହରାଇ ୬୩ ରନ୍ କରିଥିଲା । ଏହିଠାରୁ ଗୁରୁବାର ସକାଳେ ଦଳର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗରୱାଲ୍ (୩୭) ଓ ତିଲକ ବର୍ମା (୧୨) ଖେଳ ଆରମ୍ଭ କରିଥିଲେ । ଉଭୟଙ୍କ ମଧ୍ୟରେ ୧୧୦ ରନ୍‌ର ଭାଗୀଦାରୀ ହୋଇଥିବା ବେଳେ ମୟଙ୍କ ୧୦ଟି ଚୌକା ସହ ୭୬ ଓ ତିଲକ ୫ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୪୬ ରନ୍ କରିଥିଲେ । ତେବେ ଦଳ ୫୪.୪ ଓଭର୍‌ରେ ୧୯୫ ରନ୍‌ରେ ଅଲ୍‌ଆଉଟ୍ ହେବା ଫଳରେ ନର୍ଥ ଜୋନ୍ ୩ ରନ୍‌ରେ ଆଗୁଆ ରହିଥିଲା । ଦଳ ପକ୍ଷରୁ ବୈଭବ ଅରୋରା ଓ ଜୟନ୍ତ ଯାଦବ ୩ଟି ଲେଖାଏଁ ଏବଂ ବଲ୍‌ତେଜ୍ ସିଂହ ଓ ହର୍ଷିତ ରାଣା ୨ଟି ଲେଖାଏଁ ୱିକେଟ୍ ପାଇଥିଲେ । ନର୍ଥ ଜୋନ୍ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ତା’ର ଦ୍ୱିତୀୟ ଇନିଂସରେ ୨ଟି ୱିକେଟ୍ ହରାଇ ୫୧ ରନ୍ କରିଛି । ଅଙ୍କିତ କାଲ୍‌ସୀ ୪ଟି ଚୌକା ସହ ୨୧ ଓ ପ୍ରଭସିମରନ୍ ସିଂହ ୬ ରନ୍‌ରେ ଅପରାଜିତ ଅଛନ୍ତି । ଅଦ୍ୟାବଧି ନର୍ଥ ଜୋନ୍ ୫୪ ରନ୍‌ରେ ଆଗୁଆ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking