ୱେଷ୍ଟ୍ ଜୋନ୍-ସାଉଥ୍ ଜୋନ୍ ଫାଇନାଲ୍
ବେଙ୍ଗାଲୁରୁ : ଚଳିତ ଦୁଲୀପ ଟ୍ରଫି ଫାଇନାଲ୍ ଡିଫେଣ୍ଡିଂ ଚାମ୍ପିଅନ୍ ୱେଷ୍ଟ୍ ଜୋନ୍ ଓ ଗତ ବର୍ଷର ରନର୍ସଅପ୍ ସାଉଥ୍ ଜୋନ୍ ମଧ୍ୟରେ ଖେଳାଯିବ । କାରଣ ଶନିବାର ଶେଷ ହୋଇଥିବା ସେମିରେ ୱେଷ୍ଟ୍ ଜୋନ୍ ସେଣ୍ଟ୍ରାଲ୍ ଜୋନ୍ ବିପକ୍ଷ ମ୍ୟାଚ୍କୁ ଡ୍ର’ ରଖି ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଫାଇନାଲ୍ରେ ପହଞ୍ଚିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ସାଉଥ୍ ଜୋନ୍ ନର୍ଥ ଜୋନ୍କୁ ୨ ୱିକେଟ୍ରେ ପରାସ୍ତ କରିଛି । ଅଲୁରସ୍ଥିତ କେଏସ୍ସିଏ କ୍ରିକେଟ୍ ଗ୍ରାଉଣ୍ଡ୍ରେ ଚାଲିଥିବା ପ୍ରଥମ ସେମିରେ ପ୍ରଥମ ଇନିଂସ ଭିତ୍ତିରେ ୯୨ ରନ୍ରେ ଅଗ୍ରଣୀ ହାସଲ କରିଥିବା ୱେଷ୍ଟ୍ ଜୋନ୍ ଦ୍ୱିତୀୟ ଇନିଂସରେ ୨୯୭ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା ।
ଫଳରେ ସେଣ୍ଟ୍ରାଲ୍ ଜୋନ୍ ପାଇଁ ୩୯୦ ରନ୍ର ଟାର୍ଗେଟ୍ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଦଳ ଅନ୍ତିମ ଦିନରେ ଶନିବାର ୪ଟି ୱିକେଟ୍ ହରାଇ ୧୨୮ ରନ୍ କରିଥିବା ସମୟରେ ଉଭୟ ଅଧିନାୟକଙ୍କ ସହମତି କ୍ରମେ ମ୍ୟାଚ୍ ଡ୍ର’ରେ ଶେଷ ହୋଇଥିଲା ଓ ୱେଷ୍ଟ୍ ଜୋନ୍ ଟାଇଟଲ୍ ଲଢ଼େଇରେ ଅବତୀର୍ଣ୍ଣ ହେବା ସକାଶେ ଯୋଗ୍ୟତା ପାଇଥିଲା । ଅନ୍ୟପକ୍ଷରେ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ୍ଠାରେ ଚାଲିଥିବା ଦ୍ୱିତୀୟ ସେମିରେ ୨୧୪ ରନ୍ର ଟାର୍ଗେଟ୍ ପାଇଥିବା ସାଉଥ୍ ଜୋନ୍ ଅନ୍ତିମ ଦିନରେ ୮ଟି ୱିକେଟ୍ ହରାଇ ୨୧୯ ରନ୍ କରି ବିଜୟୀ ହୋଇଛି । ପ୍ରଥମ ଇନିଂସରେ ଅର୍ଦ୍ଧଶତକ ସହ ମ୍ୟାଚ୍ରେ ୪ଟି ୱିକେଟ୍ ନେଇ ୱେଷ୍ଟ୍ ଜୋନ୍ର ଅତୀତ ଶେଠ୍ ଓ ଉଭୟ ଇନିଂସରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ସାଉଥ୍ ଜୋନ୍ର ମୟଙ୍କ ଅଗରୱାଲ୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ଶନିବାର ସକାଳେ ୱେଷ୍ଟ୍ ଜୋନ୍ ପୂର୍ବ ଦିନର ସ୍କୋର୍ ୨୯୨/୯ରୁ ଖେଳ ଆରମ୍ଭ କରିବା ପରେ ଶେଷ ବ୍ୟାଟ୍ସମ୍ୟାନ୍ ଭାବେ ଯୁବରାଜସିଂହ ଡୋଡିୟା ୧ ରନ୍ରେ ଆଉଟ୍ ହୋଇଥିଲେ । ଅପରପଟରେ ନିଜର ବ୍ୟକ୍ତିଗତ ସ୍କୋର୍ରେ ଶନିବାର ଆଉ ୪ ରନ୍ ଯୋଡ଼ିବା ପରେ ଅର୍ଜନ୍ ନଗସୱାଲା ୫ ରନ୍ରେ ଅପରାଜିତ ଥିଲେ । ସେଣ୍ଟ୍ରାଲ୍ ଜୋନ୍ ପକ୍ଷରୁ ସୌରଭ କୁମାର ଓ ସାରାଂଶ ଜୈନ୍ ୪ଟି ଲେଖାଏଁ ଏବଂ ୟଶ୍ ଠାକୁର ଗୋଟିଏ ୱିକେଟ୍ ନେଇଥିଲେ । ଦଳ ତା’ର ଦ୍ୱିତୀୟ ଇନିଂସରେ ରିଙ୍କୁ ସିଂହଙ୍କଠାରୁ ସର୍ବାଧଧିକ ୪୦ ରନ୍ ପାଇଥିଲା । ସେ ଏହି ଇନିଂସରେ ୩ଟି ଲେଖାଏଁ ଚୌକା ଓ ଛକା ଲଗାଇଥିଲେ । ଏହାଛଡ଼ା ଅମନ୍ଦୀପ ଖରେ ଓ ଧ୍ରୁବ ଜୁରେଲ୍ ଯଥାକ୍ରମେ ୨୭ ଓ ୨୫ ରନ୍ର ଯୋଗଦାନ ଦେଇଥିଲେ । ୱେଷ୍ଟ୍ ଜୋନ୍ ପକ୍ଷରୁ ନଗସୱାଲା, ଅତୀତ, ଧର୍ମେନ୍ଦ୍ରସିଂହ ଜାଡେଜା ଓ ଡୋଡିୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଶୁକ୍ରବାର ଖେଳ ଶେଷ ବେଳକୁ ସାଉଥ୍ ଜୋନ୍ ବିନା କ୍ଷତିରେ ୨୧ ରନ୍ କରିଥିଲା । ଦୁଇ ଓପନର ସାଇ ସୁଦର୍ଶନ (୫) ଓ ମୟଙ୍କ ଅଗରୱାଲା (୧୫) ଏହିଠାରୁ ଶନିବାର ସକାଳେ ଖେଳ ଆରମ୍ଭ କରିଥିଲେ । ୧୭ ରନ୍ କରି ସାଇ ସୁଦର୍ଶନ ଆଉଟ୍ ହୋଇଥିଲେ ହେଁ ମୟଙ୍କ ତୃତୀୟ ୱିକେଟ୍ରେ ଅଧିନାୟକ ହନୁମା ବିହାରୀଙ୍କ ସହ ୫୯ ରନ୍ର ଭାଗୀଦାରୀ କରିଥିଲେ । ଏହି ଭାଗୀଦାରୀ ଦଳକୁ ବିଜୟ ଦିଗରେ ଆଗେଇ ନେଇଥିଲା । ମୟଙ୍କ ୭ଟି ଚୌକା ସହ ୫୪ ରନ୍ କରିଥିବା ବେଳେ ବିହାରୀ ୮ଟି ଚୌକା ସହ ୪୩ ରନ୍ର ଯୋଗଦାନ ଦେଇଥିଲେ । ପରେ ପଞ୍ଚମ ୱିକେଟ୍ରେ ରିକି ଭୁଇ ଓ ତିଲକ ବର୍ମା ୫୦ ରନ୍ ଯୋଡ଼ି ବିଜୟ ସମ୍ଭାବନାକୁ କାଏମ ରଖିଥିଲେ । ତେବେ ଉଭୟ ବ୍ୟାଟ୍ସମ୍ୟାନ୍ ପିଚ୍ରେ ମହଜୁଦ ଥିବା ସମୟରେ ବର୍ଷା କାରଣରୁ ପାଖାପାଖି ଦୁଇ ଘଣ୍ଟା ଧରି ଖେଳ ବନ୍ଦ ରହିଥିଲା । ସେତେବେଳକୁ ଦଳ ବିଜୟ ପାଇଁ ଆଉ ୩୨ ରନ୍ ଆବଶ୍ୟକ କରୁଥିଲା । ଖେଳ ପୁଣିଥରେ ଆରମ୍ଭ ହେବା ପରେ ସାଉଥ୍ ଜୋନ୍ ମାତ୍ର ୨୨ ରନ୍ ମଧ୍ୟରେ ୪ଟି ୱିକେଟ୍ ହରାଇଥିଲା ।
ବର୍ଷା ପୂର୍ବରୁ ଅପରାଜିତ ଥିବା ଭୁଇ ୩୪ ଓ ତିଲକ ବର୍ମା ୨୫ ରନ୍ କରି ଆଉଟ୍ ହୋଇଥିଲେ । ତେବେ ଦଳକୁ ବିପଦରୁ ଉଦ୍ଧାର କରିଥିଲେ ଅଲ୍ରାଉଣ୍ଡର୍ ସାଇ କିଶୋର । ସେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଛକା ସହ ୧୫ ରନ୍ରେ ଅପରାଜିତ ରହି ୩୬.୧ ଓଭର୍ରେ ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ । ତାଙ୍କ ସହ ବିନା ରନ୍ରେ ବିଜୟକୁମାର ବିଶକ୍ ଅପରାଜିତ ଥିଲେ । ନର୍ଥ ଜୋନ୍ ପକ୍ଷରୁ ହର୍ଷିତ ରାଣା ୩ଟି, ବଲ୍ତେଜ୍ ସିଂହ ଓ ବୈଭବ ଅରୋରା ୨ଟି ଲେଖାଏଁ ଏବଂ ଅଧିନାୟକ ଜୟନ୍ତ ଯାଦବ ଗୋଟିଏ ୱିକେଟ୍ ନେଇଥିଲେ । ଆସନ୍ତା ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁଠାରେ ଫାଇନାଲ୍ ଖେଳାଯିବ ।