ଭୁବନେଶ୍ୱର: ଦେଶୀମଦ ପ୍ରସ୍ତୁତି ପାଇଁ ପୁରା ସରଞ୍ଜାମ ରଖିଥିଲେ । ବେଆଇନ ଭାବେ ମଦ ପ୍ରସ୍ତୁତି କରୁଥିଲେ । ଆବଶ୍ୟକ ଠାରୁ ଅଧିକା ନାଇଟ୍ରାଜିପାମ୍ ବଟିକା ମଦରେ ମିଶାଉଥିଲେ । ପରେ ପାଉଚ୍ ଜରିରେ ମଦ ପୁରାଉଥିଲେ । ଏହାପରେ ସିଲିଂ କରି ମଦକୁ ରାଜଧାନୀର କୋଣ ଅନୁକୋଣରେ ବିକ୍ରି କରୁଥିଲେ । କହିବାକୁ ଗଲେ ଦେଶୀମଦରେ ପୁରା ରାଜଧାନୀକୁ ବୁଡାଇ ଦେଉଥିଲେ । ଏଭଳି ଏକ ନିଶା ପ୍ରସ୍ତୁତକାରୀ ଦଳକୁ କମିଶନରେଟ୍ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ୬ ଅଭିଯୁକ୍ତମାନେ ହେଲେ ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ସତ୍ୟନଗରର କୈଳାଶ ଦାସ(୨୭), ବିକି ଦାସ(୧୯), ଶଙ୍କର ଦାସ(୨୦), ଦିଲ୍ଲୀପ ଦାସ(୧୯), ଶିବରାମ ଦାଶ(୨୫), ଗୌରାଙ୍ଗ ଦାସ(୪୦) ।
ଏମାନଙ୍କ ଠାରୁ ୪୦ଲିଟର ଦେଶୀମଦ ଭର୍ତ୍ତି ୨ଟି ପ୍ଲାଷ୍ଟିକ ବ୍ୟାରେଲ, ୮୫୦ ପଲିଥିନ୍ ପାଉଚ୍ ଭର୍ତ୍ତି ଏକ ଜରିବସ୍ତା, ୨ଟି ସିଲିଂମେସିନ୍, ୨୦ଟି ନାଇଟ୍ରାଜିପାମ୍ ବଟିକା, ୬ଟି ମୋବାଇଲ ଫୋନ୍, ୨ଟି ସ୍କୁଟି, ନଗଦ ୧୦ହଜାର ଟଙ୍କା ଜବତ ହୋଇଛି । ଏନେଇ ଖଣ୍ଡଗିରି ଥାନା ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଡୁମୁଡୁମା ସତ୍ୟନଗରସ୍ଥିତ ଏକ ସ୍ଥାନରେ ମଦ ପ୍ରସ୍ତୁତି ପାଇଁ ବେଆଇନ ଭାବେ ସବୁ ସରଞ୍ଜାମ ରଖିଥିଲେ ।
ସେଠାରେ ଦେଶୀ ମଦ ପ୍ରସ୍ତୁତି କରି ରାଜଧାନୀର ସମସ୍ତ ବସ୍ତିକୁ ଯାଇ ଖୁଚୁରା ବ୍ୟବସାୟୀଙ୍କୁ ଯୋଗାଉଥିଲେ । ଏସମ୍ପର୍କରେ ଖବରପାଇ ଗତ ବୁଧବାର ରାତି ୯ଟା ୫୫ମିନିଟ୍ ସମୟରେ ଖଣ୍ଡଗିରି ଥାନା ପୁଲିସର ଏକ ଟିମ୍ ସତ୍ୟନଗର ଯାଇଥିଲେ । ସେଠାରେ ମଦ ପ୍ରସ୍ତୁତି ଘରେ ଚଢ଼ାଉ କରି ୬ଅଭିଯୁକ୍ତଙ୍କୁ କାବୁ କରିଥିଲେ । ପରେ ସେଠାରୁ ସମସ୍ତ ଜିନିଷ ଜବତ କରାଯାଇଥିଲା । ଏହାପରେ ଅଭିଯୁକ୍ତଙ୍କୁ ଥାନାକୁ ନିଆଯାଇଥିଲା । ପଚାରିବାରୁ ସେମାନେ ନିଜ ଦୋଷ ସ୍ୱୀକାର କରିଥିଲେ ।