ବିଶୋଇ : ଆଦିବାସୀ ଅଧ୍ୟୁଷିତ ଅଂଚଳର ଲୋକମାନଙ୍କ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବହୁ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି କଚ୍ଚା ଘର ବଦଳରେ ପକ୍କା ଘର ଓ ସ୍ୱଚ୍ଛ ଜଳ ଯୋଗାଣ ନିମନ୍ତେ ବସୁଧା ଯୋଜନାରେ ସମସ୍ତଙ୍କୁ ସାମିଲ କରୁଛନ୍ତି । କିନ୍ତୁ ସବୁ ଯୋଜନା ଏଠାରେ ଫେଲ୍ । ସ୍ୱାଧିନତାର ୭୨ ବର୍ଷ ପରେ ବି ପକ୍କା ରାସ୍ତା କି ପକ୍କା ଘର କି ସ୍ୱଚ୍ଛ ଓ ନିର୍ମଳ ପାଣି ତାଙ୍କ ପାଇଁ ସାତସପନ । ସରକାରୀ କଳର ଅସାଧୁ କର୍ମଚାରୀଙ୍କ ଯୋଗୁଁ ଏହି ଯୋଜନା ବାଟଣା ହେଉଛି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକର ଖଡମବେଡା ଗ୍ରାମପଂଚାୟତରେ । ଦୁର୍ନିତି ଓ ଅସାଧୁ କାର୍ଯ୍ୟକଳାପକୁ ମୂଳୋତ୍ପାଟନ କରି ସ୍ୱଚ୍ଛତା ଅବଲମ୍ବନ ଉଦ୍ଦେଶ୍ୟରେ ରାଜ୍ୟ ସରକାର ୫ଟି ଯୋଜନା ଆରମ୍ଭ କରିଥିଲେ । ହେଲେ ସରକାରଙ୍କ ୫ଟି ଯୋଜନା ତା’ ବାଟରେ ଆମ ଗ୍ରାମାଂଚଳର ସରକାରୀ ବାବୁଙ୍କ ନିୟମ ତାଙ୍କ ବାଟରେ ।
ସୂଚନା ଅନୁଯାୟୀ, ବିଶୋଇ ବ୍ଲକ ମୁଖ୍ୟାଳୟଠାରୁ ୬ କିଲୋମିଟର ଦୂର ତଥା ପଂଚାୟତ କାର୍ଯ୍ୟାଳୟରୁ ୩ କିଲୋମିଟର ଦୂର ରାଜାବସା ଗ୍ରାମରେ । ଖରା, ବର୍ଷା, ଶୀତ କାକରେ ପଲିଥିନ ଘେରା ଭଙ୍ଗାକୁଡିଆରେ ଅତି ଦହନିୟ ଅବସ୍ଥାରେ ବସବାସ କରନ୍ତି ୩-୪ଟି ପରିବାର । ତାଙ୍କ ପାଇଁ ଅଛି ନା ରାସ୍ତା ନା ଶୁଦ୍ଧ ପାନିୟ ଜଳର ବ୍ୟବସ୍ଥା ଝରଣା ଓ ବିଲ ପାଣି ତାଙ୍କ ପାଇଁ ଭରଷା । ସରକାରଙ୍କ ଯୋଜନା ମୁତାବକ ମୌଳିକ ସୁବିଧାରୁ ଏମାନେ ବଂଚିତ । ଆଦିବାସୀ ଅଧ୍ୟୁଷିତ ଅଂଚଳର ଗିରବ ଲୋକଙ୍କ ବିକାଶ ଯେଉଁଠି ଥିଲା ସେଇଠି ରହିଛି । ମୁଗୁନି ମୁଣ୍ଡା(୫୯), ପୁଅ ମନସା ମୁଣ୍ଡା (୨୬), ପତ୍ନୀ ଲକ୍ଷ୍ମୀ ମୁଣ୍ଡା, ନାତୁଣୀ ଲକ୍ଷ୍ମୀ ମୁଣ୍ଡା(୫) ଚାରିପ୍ରାଣି କୁଟୁମ୍ବ ରାଜାବସା ଗ୍ରାମରେ ବାସକରନ୍ତି । ଏକମାତ୍ର ପୁଅ ମନସା ମୁଣ୍ଡା ଦିନମଜୁରିଆ ଭାବେ ରୋଜଗାର କରି କୁଟୁମ୍ବ ପୋଷିଥାନ୍ତି । ଗୋଟିଏ ଭଙ୍ଗା କୁଡିଆ ଓ ଝରଣା ପାଣି ଜୀବନ ଜୀଇଁବାର ରାହାଦେଇଛି । ହିତାଧିକାରୀ ଚୟନରେ ପଂଚାୟତ କର୍ମଚାରୀ ଓ ଲୋକପ୍ରତିନିଧି ସେମାନଙ୍କୁ ଅଣଦେଖା କରୁଥିବାର ଅଭିଯୋଗ କରନ୍ତି ସେମାନେ । ଅନ୍ୟପକ୍ଷରେ ସରକାରୀ ବାବୁଙ୍କ ହିତାଧିକାରୀ ଚୟନ ପ୍ରକ୍ରିୟା କେତେ ସ୍ୱଚ୍ଛ ଏଥିରୁ ସ୍ପଷ୍ଟ ବାରିହୋଇପଡୁଛି । ବିଗତ ଦିନରେ ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନାରେ ଏହି ପଂଚାୟତକୁ ବାହ୍ୟ ମଳମୁକ୍ତ ପଂଚାୟତ ଘୋଷିତ ହୋଇଥିବା ବେଳେ ଏହି ପରିବାର ଏଥିରୁ ବଂଚିତ ହୋଇଥିବା ଦେଖିବାକୁ ମିଳିଛି । ଓଡିଶା ସରକାରଙ୍କ ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ବସୁଧା ଯୋଜନାରେ ନଳକୂପ ଓ ପାଇପ୍ ଜଳ ଯୋଗାଇ ଆସୁଥିବା ବେଳେ ବ୍ଲକ କାର୍ଯ୍ୟାଳୟ ଫଳକରେ ସୀମିତ ରହିଯାଇଛି । ସ୍ୱଚ୍ଛ ଜଳ ଯୋଗାଣର ବ୍ୟତିକ୍ରମ ଦେଖିବାକୁ ମିଳେ ଏହି ଗ୍ରାମରେ । ପ୍ରତ୍ୟେହ ଝରଣା ପାଣି ହିଁ ତାଙ୍କ ପାଇଁ ଅମୃତ ତୁଲ୍ୟ । ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଉକ୍ତ ପରିବାରଗୁଡିକୁ ମୌଳିକ ସୁବିଧା ଯୋଗାଇ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।