ମୁମ୍ବାଇ: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ଅଧ୍ୟକ୍ଷ ଶରଦ ପାୱାର ବୁଧବାର ପାର୍ଟିର ସମସ୍ତ ଜାତୀୟ ସ୍ତରର ବିଭାଗ ଏବଂ ସେଲ୍କୁ ଭଙ୍ଗ କରିଛନ୍ତି । ମହାରାଷ୍ଟ୍ରରେ ମହାବିକାଶ ଅଘାଡି (ଏମ୍ଭିଏ) ମେଣ୍ଟ ସରକାରର ପତନ ପରେ ପାର୍ଟିର ପୁନର୍ଗଠନ ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି । ପାୱାରଙ୍କ ମଞ୍ଜୁରୀ ପରେ ଜାତୀୟତାବାଦୀ ମହିଳା କଂଗ୍ରେସ, ଜାତୀୟତାବାଦୀ ଯୁବ କଂଗ୍ରେସ ଏବଂ ଜାତୀୟତାବାଦୀ ଛାତ୍ର କଂଗ୍ରେସକୁ ଛାଡ଼ି ଏନ୍ସିପିର ସମସ୍ତ ଜାତୀୟ ସ୍ତରର ବିଭାଗ ଏବଂ ସେଲ୍ ଭଙ୍ଗ କରାଯାଇଛି ବୋଲି ପାର୍ଟି ନେତା ପ୍ରଫୁଲ୍ଲ ପଟେଲ୍ ଟ୍ୱିଟ୍ କରି ଜଣାଇଛନ୍ତି । ତେବେ ମହାରାଷ୍ଟ୍ର ଏବଂ ଅନ୍ୟ ରାଜ୍ୟ ୟୁନିଟ୍ ପ୍ରତି ଏହି ନିଷ୍ପତ୍ତି ଲାଗୁ ହୋଇନାହିଁ । ବିଜେପି ସମର୍ôଥତ ଶିବସେନା ବିଦ୍ରୋହୀ ଗୋଷ୍ଠୀ ଦ୍ୱାରା ମେଣ୍ଟ ସରକାରକୁ ଲାଗିଥିବା ଶକ୍ତ ଧକ୍କା ପରେ ସେନା ଓ ଏନ୍ସିପିରେ ଦେଖା ଦେଇଥିବା ଅବ୍ୟବସ୍ଥା ଦେଖାଦେବାରୁ ଶରଦ ପାୱାର ଏହି ନିଷ୍ପତ୍ତି ନେଇଛନ୍ତି ।