ନୂଆଦିଲ୍ଲୀ: କୋର୍ଟ ଅଫ୍ ଆର୍ବିଟ୍ରେଶନ ଫର୍ ସ୍ପୋର୍ଟ୍ସ ‘କାସ୍’ରେ ଭିନେଶ ଫୋଗଟଙ୍କ ଆବେଦନ ଖାରଜ ହୋଇଯାଇଛି । ଏହି ମାମଲାରେ କାସ୍, ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତିର ନିଷ୍ପତ୍ତିକୁ ବଜାୟ ରଖିଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସ କୁସ୍ତି ବର୍ଗରୁ ସାମାନ୍ୟ ଅଧିକ ଓଜନ (୧୦୦ ଗ୍ରାମ୍) ପାଇଁ ଫାଇନାଲ୍ ରାଉଣ୍ଡରୁ ବାଦ୍ ପଡ଼ିଥିବା ୨୨ ବର୍ଷୀୟା ଭିନେଶ ଫୋଗଟ୍ଙ୍କ ପକ୍ଷରୁ ଯୁଗ୍ମ ରୌପ୍ୟ ପଦକ ପାଇଁ ଇଣ୍ଡିଆନ୍ ଅଲିମ୍ପିକ୍ସ ଆସୋସିଏସନ୍ ତଥା ଭାରତୀୟ କୁସ୍ତି ମହାସଂଘ ପକ୍ଷରୁ ଆବେଦନ କରାଯାଇଥିଲା । ଏହା ଉପରେ ଦୀର୍ଘ ଦିନ ଧରି ଶୁଣାଣି ଚାଲିଥିବା ବେଳେ ଭିନେଶଙ୍କୁ ଅତିକମ୍ରେ ରୌପ୍ୟ ପଦକ ମିଳିବା ନେଇ ଏକ ଆଶା ସଞ୍ଚାର ହୋଇଥିଲା । କିନ୍ତୁ କାସ୍’ ପକ୍ଷରୁ ଭିନେଶଙ୍କ ଆବେଦନ ଖାରଜ ନେଇ ସମ୍ବାଦ ଆସିବା ପରେ ସବୁ ଆଶା ଧୂଳିସାତ୍ ହୋଇଯାଇଛି । କାସ୍’ ବିଚାରକଙ୍କ ଏହି ନିଷ୍ପତ୍ତି ଭିନେଶଙ୍କ ସମେତ ସାରା ଦେଶବାସୀଙ୍କୁ ନିରାଶ କରିଛି ।
ପ୍ରକାଶ, ଆମେରିକୀୟ ରେସଲର ସରାହ ହିଲ୍ଡେବ୍ରାଣ୍ଟଙ୍କ ସହ ବୁଧବାର ଭିନେଶ ଫୋଗଟ୍ ସ୍ୱର୍ଣ୍ଣ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାର ଥିଲା । କିନ୍ତୁ ରାତାରାତି ତାଙ୍କ ଓଜନ ୧ କେଜି ପର୍ଯ୍ୟନ୍ତ ବଢ଼ି ଯାଇଥିଲା । ଏଥିପାଇଁ ରାତାରାତି ତାଙ୍କୁ କଠୋର ଟ୍ରେନିଂ ମାଧ୍ୟମରେ ଓଜନ କମାଇବାକୁ ପଡିଥିଲା । ଏଥିପାଇଁ ସେ ନିଜ କେଶ କାଟିବା ସହ ନିଜ ଦେହରୁ କିଛି ରକ୍ତ ମଧ୍ୟ କାଢ଼ିଥିଲେ । ରାତି ତମାମ ସେ ସାଇକ୍ଲିଂ କରିଥିଲେ । ଏତେସବୁ ସତ୍ତ୍ୱେ ଭିନେଶ ମାତ୍ର ୯୦୦ ଗ୍ରାମ ଓଜନ ହିଁ କମାଇବାକୁ ସକ୍ଷମ ହୋଇପାରିଥିଲେ । ଅନ୍ୟପକ୍ଷେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ନିୟମ ମୁତାବକ କ୍ରୀଡାବିତ୍ଙ୍କ ଓଜନ ଯାଞ୍ଚ କରାଯାଇଥାଏ । ଯେତେବେଳେ ଭିନେଶଙ୍କ ଓଜନ ଯାଞ୍ଚ କରାଗଲା ସେତେବେଳେ ଭିନେଶ ୫୦କେଜି ଠାରୁ ମାତ୍ର ୧୦୦ ଗ୍ରାମ ଅଧିକ ଓଜନର ଥିବା ଜଣାପଡିଥିଲା । ଏହି କାରଣରୁ ତାଙ୍କୁ ଅଲିମ୍ପିକ୍ସ ଆୟୋଜକ ଡିସ୍କ୍ୱାଲିଫାଏଡ୍ କରିଦେଇଥିଲେ ।










