ଭୁବନେଶ୍ୱର: ୧୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଚିଟ୍ଫଣ୍ଡ ଠକେଇ ଅଭିଯୋଗରେ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଜଣଙ୍କୁ ମଧ୍ୟପ୍ରଦେଶରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଅରୋକ୍ସା ଡିଲ ମଲ୍ଟିଟ୍ରେଡ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ ବାବୁ ସିଂ କୁଶୱାହା । ଗିରଫ ପରେ ତାଙ୍କୁ ମଧ୍ୟପ୍ରଦେଶର ଗ୍ୱାଲିଆର୍, ଡବରା ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇଛି । ସୂଚନା ଅନୁଯାୟୀ, ୨୦୧୯ ମସିହାରେ ବାବୁଙ୍କ ଏହି ଚିଟ୍ଫଣ୍ଡ କମ୍ପାନୀ ମଧ୍ୟପ୍ରଦେଶର ଗ୍ୱାଲିଅରରେ ପଞ୍ଜୀକରଣ ହୋଇଥିଲା । କମ୍ପାନୀର ବିଭିନ୍ନ ପ୍ରକାର ଘରୋଇ ଉପକରଣ ଓ ବିଦ୍ୟୁତ ସାମଗ୍ରୀ କ୍ୟାସବ୍ୟାକ୍ ସ୍କିମ୍ ଜରିଆରେ ବିକ୍ରି କରାଯାଉଥିଲା । ଏଥିସହ କମ୍ପାନୀର ‘ପୁଞ୍ଜି ଓ ବାଇନାରି ’ ନାମକ ଦୁଇଟି ସ୍କିମ୍ ରହିଥିଲା ।
ଏହି ସ୍କିମ୍ ଜରିଆରେ ସାଧାରଣଲୋକଙ୍କ ଠାରୁ କମ୍ପାନୀ ଟଙ୍କା ଲୁଟିବା ପାଇଁ ଚେଷ୍ଟା କରିଥିଲା । ଏନେଇ ଓଡ଼ିଶାର ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳରେ ଏକ ଅଫିସ୍ ଖୋଲାଯାଇଥିଲା । କମ୍ପାନୀର କର୍ମଚାରୀମାନେ ବାଲେଶ୍ୱରର ବିଭିନ୍ନ ସ୍ଥାନରେ ବୈଠକ କରି ଲୋକଙ୍କୁ କମ୍ପାନୀର ସାମଗ୍ରୀ କିଣିବା ପାଇଁ ଦୃଷ୍ଟି ଆକର୍ଷଣ କରାଇଥିଲେ । ପରେ ସେମାନଙ୍କୁ ଘରୋଇ ଉପକରଣ ଓ ବିଦ୍ୟୁତ ସାମଗ୍ରୀ କିଣିବାକୁ ପ୍ରବର୍ତ୍ତାଇଲେ । ନେଟ୍ୱାର୍କିଂ ବ୍ୟବସ୍ଥା ଜରିଆରେ ଲୋକଙ୍କୁ ଠକିବାକୁ ଚେଷ୍ଟା କରିଲେ । ୨୦୧୯-୨୦ମଧ୍ୟରେ ବାଲେଶ୍ୱର ଓ ତା’ର ଆଖପାଖ ଅଞ୍ଚଳରେ ଫ୍ୟାନ ବିକ୍ରି ସ୍କିମ୍ର ଲୋଭ ଦେଖାଇ କମ୍ପାନୀର ସଦସ୍ୟ ହେବାକୁ ଲୋକଙ୍କୁ ଆକୃଷ୍ଟ କରିଥିଲେ । ଏହି ସ୍କିମ ଅନୁଯାୟୀ, ଗୋଟିଏ ଫ୍ୟାନ କିଣିଲେ ଫ୍ୟାନ ପିଛା ମାସକୁ ୫୦ଟଙ୍କାର କ୍ୟାସବ୍ୟାକ୍ ରହିଥିଲା ।
ଲୋଭର ବଶବର୍ତ୍ତୀ ହୋଇ ଲୋକମାନେ ୭ହଜାର ଟଙ୍କା ଲେଖାଏ ଦେଇ କମ୍ପାନୀର ସଦସ୍ୟ ହୋଇଥିଲେ । ଏହାପରେ ସେହି ସଦସ୍ୟ ଅନ୍ୟମାନଙ୍କୁ କମ୍ପାନୀର ସଦସ୍ୟ ଭାବେ ପଞ୍ଜୀକରଣ କରାଉଥିଲେ । ଏବାବଦକୁ ତାଙ୍କୁ କମିସନ ମିଳିବ ବୋଲି କୁହାଯାଇଥିଲା । ଏହିଭଳି ଭାବେ ବାଲେଶ୍ୱରରେ ୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ନିଜ ଜାଲରେ କମ୍ପାନୀ ଫସାଇ ଦେଇଥିଲା । ଏପରିକି କିଛି ଲୋକଙ୍କୁ ୨୦ଲକ୍ଷ ଟଙ୍କାର ଘରୋଇ ଉପକରଣର ନେଲେ, ୧୦ଲକ୍ଷ ଟଙ୍କା ରିହାତି ମିଳିବ ବୋଲି କମ୍ପାନୀ କହିଥିଲା ।
ପରେ ସମୁଦାୟ ୧୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ କରି କମ୍ପାନୀ ଫେରାର୍ ହୋଇଯାଇଛି । ବାଲେଶ୍ୱରରେ ଏକାଧିକ ଅବସରପ୍ରାପ୍ତ ସେନା କର୍ମଚାରୀ, ଡାକ୍ତର, ଶିକ୍ଷକ ଓ ବ୍ୟବସାୟୀମାନେ ଏହି ଠକେଇର ଶିକାର ହୋଇଛନ୍ତି । ବହୁତ୍ ଯୋଗାଯୋଗ କରିବା ପରେ ସଂସ୍ଥା କର୍ତ୍ତୃପକ୍ଷ ଆଉ ଧରାଛୁଆଁ ଦେଇନଥିଲେ । ଶେଷରେ ଠକାମିର ଶିକାର ହୋଇଥିବା ଚନ୍ଦ୍ରକାନ୍ତ ଦାଶ ଓ ଅନ୍ୟ କେତେକ ବ୍ୟକ୍ତି କମ୍ପାନୀ ବିରୋଧରେ ଗତ ୩୧ତାରିଖରେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଇଓଡବ୍ଲ୍ୟୁ କେସ୍ ନଂ.୧/୨୦୨୨ରେ ଏକ ମାମଲା ରୁଜୁ ହୋଇଥିଲା । ପରେ ଇଓଡବ୍ଲ୍ୟୁ ତଦନ୍ତ କରି ଅଭିଯୁକ୍ତ ବାବୁ ସିଂଙ୍କୁ ମଧ୍ୟପ୍ରଦେଶରୁ ରବିବାର ରାତିରେ ଗିରଫ କରିବାରେ ସଫଳ ହୋଇଛି ।