33.1 C
Bhubaneswar
Friday, April 26, 2024
Homeଓଡିଶାଜିନ୍ଦଲ କମ୍ପାନୀର ସ୍ୱାର୍ଥ ପାଇଁ ଢିଙ୍କିଆରେ ଲୋକଙ୍କ ଉପରେ ପୁଲିସର ନିର୍ମମ ଲାଠି ଚାଳନା ଓ...

ଜିନ୍ଦଲ କମ୍ପାନୀର ସ୍ୱାର୍ଥ ପାଇଁ ଢିଙ୍କିଆରେ ଲୋକଙ୍କ ଉପରେ ପୁଲିସର ନିର୍ମମ ଲାଠି ଚାଳନା ଓ ଦମନକୁ ତୀବ୍ର ନିନ୍ଦା, ରାଜ୍ୟ ମୁଖ୍ୟମନ୍ତ୍ରୀ ହିଁ ଏଥିପାଇଁ ଉତ୍ତର ଦାୟୀ :  ସି.ପି.ଆଇ.(ଏମ୍‌)

ଭୁବନେଶ୍ୱର : ସି.ପି.ଆଇ.(ଏମ୍‌) ତରଫରୁ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ କୁହାଯାଇଛି ଯେ, ଜିନ୍ଦଲ କମ୍ପାନୀର ସ୍ୱାର୍ଥ ପାଇଁ ଢିଙ୍କିଆରେ ନିରୀହ ଲୋକଙ୍କ ଉପରେ ପୋଲିସର ଅମାନୁଷିକ ଲାଠି ପ୍ରହାର ଓ ସେ ଅଞ୍ଚଳରେ ଆତଙ୍କ ସୃଷ୍ଟି ଅତ୍ୟନ୍ତ ନିନ୍ଦନୀୟ । ଏହି ଅଭାବନୀୟ ଘଟଣା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ହିଁ ଉତ୍ତର ଦାୟୀ ବୋଲି ସି.ପି.ଆଇ.(ଏମ୍‌) କହିଛି । ରାଜ୍ୟବାସୀଙ୍କ ପାଖରେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ଦେବାକୁ ହେବ ବୋଲି ସି.ପି.ଆଇ.(ଏମ୍‌) ଦାବୀ କରିଛି । ଢିଙ୍କିଆରେ ପୁଲିସର ବର୍ବର ଲାଠି ଚାଳନାକୁ ସି.ପି.ଆଇ.(ଏମ୍‌) ଧିକ୍‌କାର କରିଛି । ରାଜ୍ୟ ସରକାରଙ୍କର ଏହି ଜନବିରୋଧୀ, ମାନବତା ବିରୋଧୀ ଏବଂ କର୍ପୋରେଟ୍ ପ୍ରୀତି ମନୋଭାବ ବିରୋଧରେ ରାଜ୍ୟବାସୀ ପ୍ରତିବାଦ କରିବା ପାଇଁ ସି.ପି.ଆଇ.(ଏମ୍‌) ଆହ୍ୱାନ କରିଛି ।

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ନିର୍ଦ୍ଦେଶରେ ଲୋକଙ୍କ ଉପରେ ବର୍ବର ଆକ୍ରମଣ କରାଯାଇଛି । ରାଜ୍ୟ ସରକାର ମନେ ରଖିବା ଆବଶ୍ୟକ ଯେ ଲୋକେ ଭୋଟ ଦେଇ ସରକାରଙ୍କୁ ନିର୍ବାଚିତ କରିଛନ୍ତି । ଜିନ୍ଦଲ କମ୍ପାନୀ ସରକାରକୁ ଭୋଟ ଦେଇ ନିର୍ବାଚିତ କରିନାହିଁ। ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ ସାଙ୍ଗକୁ ଲୋକଙ୍କ ଜୀବନ, ଜୀବିକା ଏବଂ ଭିଟାମାଟିକୁ ବିପନ୍ନ କରି ଜିନ୍ଦଲର କାରଖାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କର ଏତେ ଜିଦ କାହିଁକି ବୋଲି ସି.ପି.ଆଇ.(ଏମ୍‌) ପ୍ରଶ୍ନ କରିଛି । ସରକାର ନିଜ ଜିଦ୍‌ରୁ ଓହରି ଜନସାଧାରଣଙ୍କ ସହ ଆଲୋଚନା କରି ପରିସ୍ଥିତିରେ ସୁଧାର ଆଣିବା ପାଇଁ ସି.ପି.ଆଇ.(ଏମ୍‌) ଦାବି ଉଠାଇଛି । ଏହି ପରିପ୍ରକ୍ଷୀରେ ସି.ପି.ଆଇ.(ଏମ୍‌) ତରଫରୁ ନିମ୍ନମତେ ଦାବୀ ଗୁଡିକୁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନା କରାଯାଇଛି ।

ଦାବି ସମୂହ :
୧- ପୁଲିସ୍‌ର ନିର୍ମମ ଲାଠି ଚାଳନାର ତଦନ୍ତ ଉଚ୍ଚନ୍ୟାୟାଳୟର ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌.ଆଇ.ଟି) ଦ୍ୱାରା କରାଯାଉ । ଏଭଳି ଜନ ବିରୋଧୀ କାର୍ଯ୍ୟରେ ଅଭିଯୁକ୍ତ ପୁଲିସ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରାଯାଉ ।
୨- ଢିଙ୍କିଆ, ନୂଆଗାଁ, ଗଡ କୁଜଙ୍ଗ ଆଦି ଚାରିଦେଶରେ ଚାଲିଥିବା ପୁଲିସ ଅତ୍ୟାଚାର ବନ୍ଦ କରାଯାଉ ଏବଂ ସେଠାରୁ ପୋଲିସ୍ ବାହିନୀକୁ ହଟାଇ ନିଆଯାଉ ।
୩ – ବଳ ପ୍ରୟୋଗ କରି ପାନ ବରଜ ଭାଙ୍ଗିବା କାର୍ଯ୍ୟକ୍ରମ ତୁରନ୍ତ ବନ୍ଦ କର । ପୁଲିସ ଦ୍ୱାରା ଭଙ୍ଗା ଯାଇଥିବା ସମସ୍ତ ପାନବରଜର ଉପଯୁକ୍ତ କ୍ଷତିପୂରଣ ରାଶି ଦିଆଯାଉ ।
୪- ଗିରଫ ହୋଇଥିବା ନେତା ଦେବେନ୍ଦ୍ର ସ୍ୱାଇଁ, ନରେନ୍ଦ୍ର ମହାନ୍ତି ଏବଂ ମୁରଲି ବେହେରାଙ୍କ ସମେତ ସମସ୍ତଙ୍କୁ ନିସର୍ତ୍ତ ଖଲାସ କରାଯାଉ। ପୁଲିସ ଲାଠି ଚାଳନା ଦ୍ୱାରା ଆହୂତ ସମସ୍ତ ପୁରୁଷ, ମହିଳା ଏବଂ ଶିଶୁମାନଙ୍କର ଉନ୍ନତ ତଥା ଆଧୁନିକ ଚିକିତ୍ସା କରାଯାଉ ।
୫- ଜୀବନ-ଜୀବିକା ବିପନ୍ନକାରୀ, ଏବଂ ପରିବେଶ ଧ୍ୱଂସକାରୀ ଜିନ୍ଦଲ ପ୍ରକଳ୍ପକୁ ଢିଙ୍କିଆରେ କରିବା ପ୍ରସ୍ତାବ ପ୍ରତ୍ୟାହାର କରାଯାଉ ।
ସି.ପି.ଆଇ.(ଏମ୍‌) ରାଜ୍ୟ ଅଫିସ୍‌ରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସି.ପି.ଆଇ.(ଏମ୍‌) ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜଗନ୍ନାଥ ମିଶ୍ର, ଦୁଷ୍ମନ୍ତ ଦାସ ଏବଂ ସୁରେଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking