36.1 C
Bhubaneswar
Saturday, May 18, 2024
Homeଓଡିଶାଆତ୍ମସମର୍ପଣକାରୀ ମାଓବାଦୀ ସମ୍ବାରୀ ମୁଣ୍ଡା ଏବେ ଅବହେଳିତ

ଆତ୍ମସମର୍ପଣକାରୀ ମାଓବାଦୀ ସମ୍ବାରୀ ମୁଣ୍ଡା ଏବେ ଅବହେଳିତ

ଢେଙ୍କାନାଳ : ରାଜ୍ୟରେ ଦିନକୁ ଦିନ ମାଓ ଉପଦ୍ରବ ବଢିବାରେ ଲାଗିଛି । ପୋଲିସ୍ ଓ  ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଭଳି ବିଷ୍ଫୋରକ ପରିସ୍ଥିତି ଉପୁଜୁଛି ।  ପୋଲିସ ଓ ମାଓ ମୁକାବିଲାରେ କେତେବେଳେ ମାଓବାଦୀଙ୍କର  ମୃତ୍ୟୁ ଘଟୁଛି ତ ଆଉ କେତେବେଳେ ପୋଲିସଙ୍କର ମୃତ୍ୟୁ ଘଟୁଛି ।  ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି । ମାଓବାଦୀମାନେ କିପରି ମାଓ ଶିବିର ଛାଡି  ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ସେଥିପାଇଁ  ରାଜ୍ୟ ସରକାର ମାଓବାଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ  ଘୋଷଣା  କରିଥିଲେ ।

ମାଓ ଶିବିର ଛାଡି  ଯେଉଁମାନେ ଆତ୍ମସମର୍ପଣ  କରିବେ ସେମାନଙ୍କୁ ଟଙ୍କା,ଘର ,ଜମି ଓ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ସମସ୍ତ ବ୍ୟବସ୍ଥା ସରକାର କରିଛନ୍ତି ।  ସରକାରଙ୍କ ଆହ୍ୱାନ କ୍ରମେ କଙ୍କଡାହାଡ ବ୍ଳକ କଳସପୁର ଗ୍ରାମର ସମ୍ବାରୀ ମୁଣ୍ଡା  ୮ ବର୍ଷ ତଳେ ଆତ୍ମସମର୍ପଣ କରିଥିଲେ ମଧ୍ୟ ଆଜି ଯାଏଁ ତାଙ୍କୁ କୌଣସି ସରକାରୀ ସହାୟତା ମିଳିପାରିନାହିଁ । ପ୍ରତିଶୃତି ଦେଇ  ପ୍ରଶାସନ ଭୁଲି ଯାଇଥିବା ବେଳେ ଆତ୍ମସମର୍ପଣ  କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଥିବା ସମ୍ବାରୀ ମୁଣ୍ଡା ଏବେ ଦିନ ମଜୁରୀଆ ଓ ଶାଳପତ୍ର ସିଲେଇ  କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । କଳସପୁର ଗ୍ରାମର ସମ୍ବାରୀ ୨୦୦୭ ମସିହାରେ ମାଓବାଦୀ ସଂଗଠନରେ ଜଡିତ ହୋଇଥିବା ବେଳେ ଏହି ସଂଗଠନରେ ସେ ସକ୍ରିୟ ଭୂମିକା ନିର୍ବାହ କରୁଥିଲେ ।  ୨୦୦୮ ମସିହାରେ କଙ୍କଡାହାଡ ବ୍ଳକ କଣ୍ଡାର ଫରେଷ୍ଟ ବିଟ ଉପରେ ବିଳମ୍ବିତ ରାତିରେ ହୋଇଥିବା ମାଓବାଦୀ ହମଲାରେ ସମ୍ବାରୀ ମୁଣ୍ଡା ସାମିଲ  ଥିଲେ ।

ଏହି ହମଲାରେ ଫରେଷ୍ଟ ବିଟରେ ଥିବା କର୍ମଚାରୀମାନେ ମୃତ୍ୟୁ ବରଣ କରିଥିଲେ । ଏହି ବିଟ ହାଉସକୁ ମାଓବାଦୀମାନେ ପୋଡାଜଳା କରିବାକୁ ପଛାଇ ନଥିଲେ । ପୋଲିସ ପରବର୍ତୀ ସମୟରେ ଏହି ଘଟଣାରେ ସଂଶ୍ଳିଷ୍ଟ ଥିବା ସମସ୍ତ ମାଓବାଦୀମାନଙ୍କୁ ଗିରଫ କରିବାରେ ସକ୍ଷମ  ହୋଇଥିଲେ ମଧ୍ୟ  ସମ୍ବାରୀ ମୁଣ୍ଡାକୁ ଗିରଫ କରିବାରେ ବିଫଳ ହୋଇଥିଲେ । ପରେ ପରେ ରାଜ୍ୟ ସରକାରଙ୍କର ଆହ୍ୱାନ କ୍ରମେ ମାଓବାଦୀ ସଂଗଠନରୁ ସମ୍ବାରୀ ମୁଣ୍ଡା ବାହାରି ଆସିଥିଲେ । ମାଓ  ସଂଗଠନରୁ ବାହାରି ଆସିବା ପରେ ନିଜ  ମାମୁଁ ଘର ପରଜଙ୍ଗ ବ୍ଳକ ପଥରଖମ୍ବ ଗ୍ରାମରେ ନାମ ବଦଳାଇ ରହିଥିଲେ । ଏଠାରେ କିଛି ଦିନ ରହିବା ପରେ ପଥରଖମ୍ବ ଗ୍ରାମର ପାଣ୍ଡିଆ ବାଙ୍କିରାଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର କିଛି ଦିନ ପରେ ସ୍ୱାମୀ ବାଙ୍କୀରା ଜାଣିବାକୁ ପାଇଥିଲେ ଯେ, ସ୍ତ୍ରୀ ସମ୍ବାରୀ ମାଓ  ସଂଗଠନରେ ଜଡିତ ଥିଲେ ଓ ପୋଲିସ ତାଙ୍କୁ ଖୋଜୁଛି । ତେଣୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଲକ୍ଷ୍ୟରେ ସ୍ୱାମୀ ପାଣ୍ଡିଆ ବାଙ୍କିରା ସ୍ତ୍ରୀ  ସମ୍ବାରୀଙ୍କୁ ୨୦୧୩ ମସିହାରେ ଢେଙ୍କାନାଳ ଏସପି ମନୋରଞ୍ଜନ ମହାନ୍ତିଙ୍କ  ନିକଟରେ ଆତ୍ମସମର୍ପଣ କରାଇଥିଲେ ।

ସେ ସମୟରେ ଏସପି ସମାଜର ମୁଖ୍ୟ  ସ୍ରୋତରେ ସାମିଲ ପାଇଁ ଆତ୍ମସମର୍ପଣ  କରିଥିବା ସମ୍ବାରୀଙ୍କ ଘର,ଜମି  ଓ ଅର୍ଥ ଦେଇ ସମସ୍ତ ବ୍ୟବସ୍ଥା  କରିବାକୁ ପ୍ରତିଶୃତି ଦେଇଥିଲେ । ସେତେବେଳେ ଆତ୍ମ ସମର୍ପଣ  କରିଥିଲେ ମଧ୍ୟ  ସମ୍ବାରୀଙ୍କୁ ୪ ମାସ ଜେଲ ଯିବାକୁ ପଡିଥିଲା । ଦୀର୍ଘ  ୭ ବର୍ଷ ବିତି ଯାଇଥିଲେ ମଧ୍ୟ  ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ମାଓନେତାଙ୍କୁ  କୌଣସି ସାହାଯ୍ୟ ମିଳିପାରିନାହିଁ। ସାଧାରଣତଃ ଆଦିବାସୀ ସମ୍ପ୍ରଦାୟର ଉଭୟ ପୁରୁଷ ଓ ମହିଳାମାନେ ରୋଜଗାର ଆଶାରେ ଯୁବାବସ୍ଥାରେ   ମାଓ ସଂଗଠନରେ ଜଡିତ ରହିଥାନ୍ତି । ସମ୍ବାରୀ ଏବେ ଗୋଟିଏ  ପୁଅ ଓ ଗୋଟିଏ ଝିଅର ମାଆ । ମାଓ ସଂଗଠନ  ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ସମ୍ବାରୀଙ୍କୁ ସରକାରୀ ସହାୟତା ମିଳିନଥିବା ବେଳେ ସେ ଆତ୍ମନିର୍ଭରଶୀଳ ହେବାପାଇଁ ଜଙ୍ଗଲରୁ ଶାଳପତ୍ର ତୋଳି ଚଉପତି ଓ ଖଲି ତିଆରି କରି ବଜାର ବିକି ପରିବାର ଚଳାଉଛନ୍ତି ।  ସ୍ୱାମୀ ବାଙ୍କୀରା ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ବେଳେ ସରକାରଙ୍କ  ତରଫରୁ ଖାଦ୍ୟ  ସୁରକ୍ଷା ଯୋଜନାରେ ୨୦ କେଜି ଚାଉଳ ଓ  ବିଜୁ ପକ୍କାଗୃହ ଗୋଟିଏ ମିଳିପାରିଛି ।

ତେବେ ସରକାରଙ୍କ ମାଓ ଆତ୍ମସମର୍ପଣ ଘୋଷଣାରେ ଥିବା ସମସ୍ତ ସହାୟତା ସମ୍ବାରୀକୁ ମିଳିଲାନାହିଁ କାହିଁକି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମାଓବାଦୀ ସଂଗଠନରୁ ଦୂରେଇ ରହିବା ପାଇଁ ସରକାର ଲକ୍ଷାଧିକ ଟଙ୍କା ସହ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଘୋଷଣା କରିଥିବା ବେଳେ ସମ୍ବାରୀଙ୍କ  କ୍ଷେତ୍ରରେ ତାହା ଦେଖିବାକୁ ମିଳିପାରିନାହିଁ । ତେବେ  ସମ୍ବାରୀଙ୍କୁ  ଘୋଷଣା ଅନୁଯାୟୀ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା  ପାଇଁ ବ୍ୟବସ୍ଥା କରାଗଲେ ଆହୁରି ଅନେକ ମାଓବାଦୀ ମାଓ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରନ୍ତେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking