ଢେଙ୍କାନାଳ : ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ମାର୍ଥାପୁର ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ଉକ୍ତ ବିଦ୍ୟାଳୟର ପୁରାତନ ଛାତ୍ର ତଥା ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ନିର୍ଦ୍ଦେଶକ ଗଙ୍ଗାଧର ସାହୁ । ଉକ୍ତ ସ୍କୁଲର ଉନ୍ନତି ସହ ଏହି ବିଦ୍ୟାଳୟ କିଭଳି ଭାବେ ରାଜ୍ୟରେ ଏକ ପ୍ରତିଷ୍ଠିତ ବିଦ୍ୟାଳୟ ଭାବେ ସୁନାମ ଅର୍ଜନ କରିବ ସେଥିପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ମିଳିବ ବୋଲି ପ୍ରତିଶୃତି ଦେଇଛନ୍ତି ।
ମୋ ସ୍କୁଲ ଅଭିଯାନ ଅବସରରେ ଡିଇଓ ନିବେଦିତା ପାଣିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଖଣି, ପୁର୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ ବିଦ୍ୟାଳୟର ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗ କାମନା କରିଥିଲେ । ମୋ ସ୍କୁଲ ଅଭିଯାନ ଉତ୍ସବରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରା ଯୋଗ ଦେବା ସହିତ ସରକାରଙ୍କ ତରଫରୁ ସମସ୍ତ ସହଯୋଗ କରାଯିବ ବୋଲି କହିଛନ୍ତି ।
ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଗୋଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁ, ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ନିର୍ଦ୍ଦେଶକ ଗଙ୍ଗାଧର ସାହୁ, ଭୁବନ ଗୋଷ୍ଠୀ ଶିକ୍ଷାଧିକାରୀ ବ୍ରହ୍ମାନନ୍ଦ ରାଉତ ପ୍ରମୁଖ ଯୋଗଦାନ କରିଥିଲେ । ମୋ ସ୍କୁଲ ଅଭିଯାନରେ ସହାୟତା କରିଥିବା ପୁରାତନ ଛାତ୍ରଛାତ୍ରୀଙ୍କ ନାମ ଘୋଷଣା କରାଯିବା ସହିତ ସେମାନଙ୍କୁ ପ୍ରଶଂସାପତ୍ର ପ୍ରଧାନ କରାଯାଇଥିଲା । ବିଦ୍ୟାଳୟର ଅବସରପ୍ରାପ୍ତ ୬ ଜଣ ଶିକ୍ଷକଙ୍କୁ ମାନପତ୍ର ଓ ଉତରିୟ ପ୍ରଦାନ କରାଯାଇଥିଲା ।