ବ୍ୟୁରୋ : ବ୍ଲକ ଅଫିସରୁ ବିଦା ହେଲେ ଡେରାବିଶ ସିଡିପିଓ । ଉପମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କରାଗଲା ଅପସାରଣ । ନିରପେକ୍ଷ ତଦନ୍ତ ପାଇଁ ସିଡିପିଓ ସ୍ନେହଲତା ସାହୁଙ୍କୁ ଅପସାରଣ । ତଦନ୍ତ ରିପୋର୍ଟ ଆସିବା ପରେ ହେବ କାର୍ଯ୍ୟାନୁଷ୍ଠାନ । ଜଣେ ଗର୍ଭବତୀ କର୍ମଚାରୀଙ୍କୁ ଉପରିସ୍ଥ ଅଧିକାରୀ ଅସହେଯାଗ କରିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା , ଡେରାବିଶ ବ୍ଲକ ମହିଳା ଓ ଶିଶୁ ସମନ୍ୱିତ ବିଭାଗରୁ ଆସିଛି ଏଭଳି ଅଭିଯୋଗ । ବର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳା କର୍ମଚାରୀଙ୍କୁ ସିଡିପିଓ ଡାକ୍ତରଖାନା ଛାଡିନଥିବାରୁ ତାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଛି । ଏହାକୁ ନେଇ ଏକ ଭାଇରାଲ ଭିଡିଓ ନଜରକୁ ଆସିଛି । ଅଭିଯୋଗ ଅନୁସାରେ ଡେରାବିଶ ବ୍ଲକ ମହିଳା ଓ ଶିଶୁ ସମନ୍ୱୟ ବିଭାଗରେ କାର୍ୟ୍ୟରତ ବରିଷ୍ଠ ମହିଳା କିରାଣୀ ବର୍ଷା ପ୍ରିୟଦର୍ଶନୀ ମହାପାତ୍ରଙ୍କୁ ଗତ ଶୁକ୍ରବାର କାର୍ୟ୍ୟାଳୟରେ ଥିବାବେଳେ ହଠାତ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ୭ ମାସର ଗର୍ଭବତୀ ଥିଲେ ବର୍ଷା । ଯେତେବେଳେ ସେ ସିଡିପିଓ ସ୍ନେହଲତା ସାହୁଙ୍କୁ ଡାକ୍ତରଖାନା ଯିବାକୁ ଅନୁମତି ମାଗିଥିଲେ ସେ ଅନୁମତି ଦେଇନଥିଲେ । ଓଲଟି ଦୁର୍ବ୍ୟବହାର କରିଥିଲେ । ଏନେଇ ପରିବାର ଲୋକେ ସିଡିପିଓଙ୍କ ବିରୋଧରେ ଲିଖିତ ଅଭିଯୋଗ ହୋଇଛି । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିଡିପିଓ ସ୍ନେହଲତା ସାହୁ ।