37.1 C
Bhubaneswar
Saturday, May 18, 2024
Homeଓଡିଶାକଟକରେ ଡେଙ୍ଗୁ ଚିନ୍ତା ଘାରିଲା : ଏସସିବିରେ ଖୋଲିଲା ସ୍ୱତନ୍ତ୍ର ୱାର୍ଡ଼

କଟକରେ ଡେଙ୍ଗୁ ଚିନ୍ତା ଘାରିଲା : ଏସସିବିରେ ଖୋଲିଲା ସ୍ୱତନ୍ତ୍ର ୱାର୍ଡ଼

କଟକ:  ଭୁବନେଶ୍ୱର ପରେ ଏବେ କଟକରେ ଡେଙ୍ଗୁ ସଂକ୍ରମଣ ଆରମ୍ଭ ହୋଇଛି । ଗୋଟିଏ ପଟେ କରୋନା ସଂକ୍ରମଣ ଜନସାଧାରଣଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଥିବାବେଳେ ଅନ୍ୟପକ୍ଷରେ ଡେଙ୍ଗୁ ବ୍ୟାପିବା ନେଇ ସହରବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । ତେବେ କଟକରେ ଡେଙ୍ଗୁ ନିରାକରଣ ପାଇଁ ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା ଜୋରଦାର ଚାଲିଥିବାବେଳେ ସହରରେ୧୧ଜଣ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ତେବେ ନିର୍ଦ୍ଦିଷ୍ଟ ଗୋଟିଏ ସ୍ଥାନରେ ଡେଙ୍ଗୁ ସଂକ୍ରମଣ ହୋଇନଥିବା ବେଳେ ବିଭିନ୍ନ କ୍ଲଷ୍ଟରରୁ ରୋଗୀ ଚିହ୍ନଟ ହୋଇଥିବା ଏବଂ ଭୁବନେଶ୍ୱର ଅଞ୍ଚଳରୁ ଡେଙ୍ଗୁ ଭୂତାଣୁରେ ଆକ୍ରାନ୍ତ ହୋଇଥିବା ସିଏମସି ପକ୍ଷରୁ ସଫେଇ ଦିଆଯାଇଛି । ଏମାନଙ୍କ ମଧ୍ୟରୁ କଟକ ସହରର ୭ଜଣ ରହିଛନ୍ତି । ସ୍ଥାନୀୟ ଶଙ୍କରପୁର ଅଞ୍ଚଳରୁ ୨ଜଣ ଚିହ୍ନଟ ହୋଇଥିବାବେଳେ ସିଡିଏ ଅଞ୍ଚଳରୁ ଜଣେ, ଖପୁରିଆ, ଯୋବ୍ରା, ଜଗତପୁର ଓ ମଙ୍ଗଳାବାଗ ଅଞ୍ଚଳରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ୪ ଜଣ ଭୁବନେଶ୍ୱର ଅଞ୍ଚଳର ହୋଇଥିବାବେଳେ କଟକ ବଡ଼ମେଡ଼ିକାଲରେ ଚିକିତ୍ସିତ ହେବାକୁ ଆସି ଡେଙ୍ଗୁ ପଜିଟିଭ ଥିବା ଜଣାପଡ଼ିଛି । ତେଣୁ ଡେଙ୍ଗୁ ପ୍ରବଣ ଅଞ୍ଚଳରେ ସିଏମସି ପକ୍ଷରୁ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଛି । ତେବେ କଟକରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ କଟକ ବଡ଼ ଡାକ୍ତରଖାନାରେ ମଧ୍ୟ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ଼ ଖୋଲାଯାଇଛି । ୩୦ ଶଯ୍ୟା ବିଶିଷ୍ଟ ଏହି ୱାର୍ଡ଼ରେ ରୋଗୀଙ୍କ ଉନ୍ନତ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି ।  ସିଏମସି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ମହାନଗର ନିଗମ ଅନ୍ତର୍ଗତ ୪୦ ଓ ୪୧ ନମ୍ବର ୱାର୍ଡ଼ ଅଞ୍ଚଳରେ ଡେଙ୍ଗୁ ସଚେତନତା କରାଯାଇଥିଲା । ଏହି ଅଞ୍ଚଳରେ ଜନସାଧାରଣ ଡେଙ୍ଗୁ ଠାରୁ କିଭଳି ଦୂରେଇ ରହିବେ ସେ ନେଇ ସ୍ୱାସ୍ଥ୍ୟକର୍ମୀମାନେ ସଚେତନ କରାଇଥିଲେ ।

ଆଖପାଖ ଅଞ୍ଚଳରେ ପାଣି ଜମିବାକୁ ନଦେବା, କୌଣସି ପାତ୍ରରେ ପାଣି ଅଧିକ ଦିନ ନରହିବା, ପରିବେଶ ପରିଚ୍ଛନ୍ନ ରଖିବା ନିମନ୍ତେ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ଜୟଦେବ ଜେନା, ସ୍ଥାନୀୟ ଆଶା ଓ ଅଙ୍ଗନୱାଡ଼ି କର୍ମୀ, ସ୍ୱଚ୍ଛସାଥୀ, ସାନିଟାରୀ ଇନ୍ସିପେକ୍ଟରଙ୍କ ସମେତ  ସ୍ୱାସ୍ଥ୍ୟକର୍ମୀମାନେ ଉପସ୍ଥିତଥିଲେ । ସମ୍ପ୍ରତି କଟକ ସହରର ବିଭିନ୍ନ ୱାର୍ଡ଼ରେ ଗତ ୨ବର୍ଷ ଧରି ବୁସ୍‌କଟିଂ ନହେବା ଯୋଗୁଁ ଖାଲିପଡ଼ିଥିବା କିମ୍ବା ପରିତ୍ୟକ୍ତ ଜାଗାରେ ବଣବୁଦା ଭର୍ତ୍ତି ହୋଇଯାଇଛି । ତେବେ ଏହି ସବୁ ଯାଗାରେ ଲୋକେ ଆବର୍ଜନା, ଭଙ୍ଗା ବୋତଲ, ଡବା ଆଦି ପକାଇ ଦେଉଛନ୍ତି । ବର୍ଷା ସମୟରେ ଏହି ସବୁ ଅଞ୍ଚଳରେ ପାଣି ଜମିରହି ମଶା ଉତ୍ପତ୍ତିର ମୁଖ୍ୟସ୍ଥଳ ପାଲଟି ଯାଉଛି । ତେଣୁ ପ୍ରଥମେ ସହରର ସମସ୍ତ ଅଞ୍ଚଳରେ ବୁସ କଟିଂ କରାଯିବା ପାଇଁ ଅଞ୍ଚଳବାସୀ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking