ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ ବେଳେ ନାବାଳିକା ଚେତାଶୂନ୍ୟ ଘଟଣା
ପୀଡିତା ଓ ପରିବାରକୁ ଭେଟିଲେ ବିଜେଡି ପ୍ରତିନିଧି ଦଳ
ମୋରଡା ଥାନା ଅଧିକାରୀଙ୍କୁ ଅପସାରଣ ସହ କାର୍ଯ୍ୟାନୁଷ୍ଠାନ ଦାବି
ନିରପେକ୍ଷ ତଦନ୍ତ ନେଇ ଏସପିଙ୍କ ନିକଟରେ ଦାବି
ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାରେ ନ୍ୟାୟ ପାଇଁ ଜଣେ ନାବାଳିକା (୧୦ମ ଉତ୍ତୀର୍ଣ୍ଣ ଛାତ୍ରୀ) ମୋରଡା ଥାନାରେ ଥାନାଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲା । କିନ୍ତୁ ଧାନାଧିକାରୀଙ୍କ ଧମକ ସହ୍ୟ ନକରିପାରି ଚେତାଶୂନ୍ୟ ହୋଇଯାଇଥିଲେ ପୀଡିତା, ଯାହାକୁ ବିଜେଡି କଡା ନିନ୍ଦା କରିଛି । ରବିବାର ବିଜେଡିର ଏକ ପ୍ରତିନିଧି ଦଳ ପୀଡିତାଙ୍କୁ ନ୍ୟାୟ ଦେବା ଓ ଦାୟିତ୍ୱହୀନ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।
ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନେତୃତ୍ୱରେ ପ୍ରଥମେ ପିଆରଏମ ମେଡିକାଲରେ ପହଞ୍ଚି ପୀଡିତା ଓ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ନ୍ୟାୟ ଦିଆଯିବ ବୋଲି ଆଶ୍ୱାସନା ଦେଇଥିଲା ବିଜେଡି ଟିମ୍ । ମୋରଡା ଥାନା ଅଞ୍ଚଳର ଜୈନିକ ଯୁବକ ଅଭିଯୋଗ କାରିଣୀ ନାବାଳିକା ଛାତ୍ରୀଙ୍କୁ କିଛିଦିନ ହେବ ରାସ୍ତା ଘାଟରେ ପ୍ରେମ ନିବେଦନ କରିବା ସହିତ ଅଭଦ୍ରୋଚିତ ଅସଦାଚରଣ କରୁଥିଲେ । ଏଥିରେ ଅତିଷ୍ଠ ହୋଇ ନ୍ୟାୟ ପାଇଁ ନାବାଳିକା ତାଙ୍କ ବାପା ଓ ମା’ଙ୍କ ସହିତ ଶନିବାର ସନ୍ଧ୍ୟାରେ ମୋରଡା ଥାନାରେ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଥାନାଅଧିକାରୀ ଅଭିଯୋଗ ନରଖି ସେମାନଙ୍କୁ ଏପଟସେପଟ କଥା କହି ଫେରାଇ ଦେଇଥିଲେ । ଫଳରେ ବାପା, ମା’ ଓ ପୀଡିତା ବେତନଟୀ ଏସଡିପିଓଙ୍କୁ ମୋବାଇଲ ଫୋନ ଯୋଗେ ସମସ୍ତ ଘଟଣା ଜଣାଇଥିଲେ । ପୁନର୍ବାର ଥାନାଧିକାରୀଙ୍କୁ ଭେଟି ଏତଲା ଦେବାକୁ ଏସଡିପିଓ କହିଥିଲେ । କିନ୍ତୁ ଏହାକୁ ନେଇ ଥାନାଅଧିକାରୀ ପୂର୍ବାପେକ୍ଷା ଅଧିକ ପ୍ରତିକ୍ରିୟାଶୀଳ ହୋଇ ମହିଳା ଅଧିକାରୀ ଅନୁପସ୍ଥିତିରେ ବୟାନ ସଂଗ୍ରହ ପାଇଁ ଡାକି ଅଭିଯୁକ୍ତଙ୍କ ସମ୍ମୁଖରେ ପୀଡିତାଙ୍କୁ ଧମକ ଦେଇଥିଲେ । ପୀଡିତାଙ୍କୁ ୭ବର୍ଷ କାରାଦଣ୍ଡ ହେବ ବୋଲି ଧମକ ଦେଇ ଡରାଇଥିଲେ । ଏହାପରେ ପୀଡିତା କାନ୍ଦି କାନ୍ଦି ବାହାରକୁ ଆସି ବାପା ମା’ଙ୍କ ପାଖରେ ପହଞ୍ଚି ଚେତାଶୂନ୍ୟ ହୋଇ ପଡିଯାଇଥିଲେ । ପରେ ପୀଡିତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ଅନ୍ୟପଟେ ଏତଲାରେ ଦର୍ଶାଯାଇଛି ଯେ, ଅଭିଯୁକ୍ତ ଯୁବକ ଜଣଙ୍କ ଶାସକ ଦଳର ଚିତ୍ରଡା କାର୍ଯ୍ୟାଳୟର କର୍ମଚାରୀ ହୋଇଥିବାରୁ ତାଙ୍କୁ ସୁରକ୍ଷା ଦେବାକୁ ଯାଇ ଥାନାଅଧିକାରୀ ମାମଲା ରୁଜୁ କରୁନାହାନ୍ତି । ଥାନାଧିକାରୀ ସୁମିତ ସୋରେନଙ୍କ ଏଭଳି ଆଚରଣ ବିରୋଧରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ପ୍ରତିନିଧି ଦଳ । ରାଜ୍ୟ ସରକାର ନାବାଳିକାଙ୍କ ସୁରକ୍ଷା ପାଇଁ ସମସ୍ତ ଥାନାରେ ନାବାଳିକାଙ୍କୁ ଡାକି ‘ଜୁଭେଣ୍ଟିନା’ ସମ୍ୱନ୍ଧୀୟ ସଚେତନତା କାର୍ଯ୍ୟକ୍ରମ କରୁଥିବା ବେଳେ ଏଭଳି ଏକ ସମ୍ୱେଦନଶୀଳ ଘଟଣାରେ ଜଣେ ନାବାଳିକାଙ୍କ କ୍ଷେତ୍ରରେ ବିନା ମହିଳା ପୁଲିସ ଉପସ୍ଥିତିରେ ବୟାନ ସଂଗ୍ରହ ନାମରେ ହଇରାଣ ହରକତ କରିି ଧମକ ଦେବା ତଦନ୍ତ ସାପେକ୍ଷ । ଏମିତିକି ନ୍ୟାୟ ଆଶାରେ ୧୫ବର୍ଷର ଛାତ୍ରୀ ଥାନାକୁ ଆସିଥିବା ବେଳେ ୭ବର୍ଷ କାରାଦଣ୍ଡାଦେଶ ଧମକ ଦେବା ଫଳରେ ସେ ୪ଘଣ୍ଟା ସଂଜ୍ଞାହୀନ ଭାବେ ପ୍ରଥମେ ବାରମାଇଲ ଓ ପରେ ପିଆରଏମ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏ ସମ୍ପର୍କରେ ବିଜେଡି ପ୍ରତିନିଧି ଦଳ ପୀଡିତା ପରିବାରଙ୍କୁ ସଙ୍ଗରେ ନେଇ ଏସପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସପି ଦିପକ କୁମାର ଗୋଚ୍ଛାୟତଙ୍କୁ ଭେଟି ମୋରଡା ଥାନା ଅଧିକାରୀଙ୍କୁ ଅପସାରଣ ଓ କଡା କାର୍ଯ୍ୟାନୁଷ୍ଠାନ ସହ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।
ବିଜେଡିର ଏହି ପ୍ରତିନିଧି ଦଳରେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ବିଧାୟକ ରାଜକିଶୋର ଦାସ, ଦେବାଶିଷ ମହାନ୍ତି, ଜିତେନ୍ଦ୍ର ମହାନ୍ତି, ଅମର ସେଠି, ଅରୁଣ ବରାଡ ଓ ସୁନୀଲ ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।










