ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଗତକାଲି ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ବିଗତ ୧୨ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତିକରି ଗଭୀର ଅବପାତରେ ଘନୀଭୂତ ହୋଇ ଆଜି ସକାଳ ୫.୩୦ ସୁଦ୍ଧା ଦକ୍ଷିଣପୂର୍ବ ଓ ତତ୍ସଂଲଗ୍ନ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି। ସ୍ଥଳର ଭାଗରୁ ହିସାବ କଲେ ସମ୍ପ୍ରତି ଏହି ଗଭୀର ଅବପାତ ପୁଡ୍ଡୁଚେରୀର ପୂର୍ବ-ଦକ୍ଷିଣପୂର୍ବକୁ ୭୯୦ କିଲୋମିଟର୍, ଚେନ୍ନାଇର ଦକ୍ଷିଣପୂର୍ବକୁ ୮୦୦ କିଲୋମିଟର୍, ବାପାଲ୍ତାର ଦକ୍ଷିଣପୂର୍ବକୁ ୯୯୦ କିଲୋମିଟର୍ ଓ ମଛଲିପଟନମ୍ର ଦକ୍ଷିଣପୂର୍ବକୁ ୯୭୦ କିଲୋମିଟର୍ ଦୂର ସମୁଦ୍ର ଉପରେ ରହିଛି। ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିଶୀଳ ହୋଇ ଡିସେମ୍ବର ୨ ତାରିଖ ସୁଦ୍ଧା ତୀବ୍ର ଅବପାତ ପାଲଟି ଡିସେମ୍ବର ୩ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରେ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ଅଛି। ଏହାପରେ, ଉକ୍ତ ସାମୁଦ୍ରିକ ଝଡ଼ ଉତ୍ତରପଶ୍ଚିମ ପ୍ରାନ୍ତକୁ ଗତି କରି ଡିସେମ୍ବର ୪ ତାରିଖ ସନ୍ଧ୍ୟା ଆଡ଼କୁ ଚେନ୍ନାଇ ଓ ମଛିଲପଟନମ୍ ବାଟେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ତତ୍ସଂଲଗ୍ନ ଉତ୍ତର ତାମିଲ୍ନାଡୁ ଉପକୂଳ ଅତିକ୍ରମ କରିବ।