ବଲାଙ୍ଗିର,- ଲିଖିରିଆ ଗ୍ରାମରେ ୨ ଜଣ ଯୁବକ କରୋନା ପୋଜିଟିଭ ଚିହ୍ନଟ ହେବା ପରେ ଏହି ଗାଁ ସର ଜିଲ୍ଲାରେ ଚର୍ଚ୍ଚା କୁ ଆସିଥିଲା । ଆଜି ପୁଣି ସେହି ଗାଁର ଏକ ମୃତ ଦେହ ଉଦ୍ଧାର କରାଯାଇଥିବା ଖବର ରହିଛି । ତେବେ ଏହି ମୃତକ ଜଣକ , କରୋନା ପୋଜିଟିଭ ଚିହ୍ନଟ ହୋଇଥିବା ଜଣେ ଯୁବକଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି ।
ସୂଚନାରୁ ପ୍ରକାଶ ଯେ , ସ୍ଥାନୀୟ ଗୁଡଭେଲା ବ୍ଳକ ଅନ୍ତର୍ଗତ ଲିଖିରିଆ ଗାଁରେ ଆଜି ଜଣେ ବ୍ୟକ୍ତିଙ୍କ ମୃତଦେହକୁ କୂଅରୁ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣକ ଶୁକଦେବ ଭୋଇ (୫୦) ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ତେବେ ସେ ଗତ ରବିବାର ରାତିରୁ ନିଖୋଜ ଥିଲେ ବୋଲି ଖବର ମିଳିଛି। ଏହା ହତ୍ୟା ନା ଆତ୍ମହତ୍ୟା ସଠିକ ଜଣାପଡ଼ିନଥିବା ବେଳେ ସୁକଦେଵ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ଆଜି ସକାଳୁ ଏକ କୂଅ ଭିତରେ ମୃତଦେହ ପଡ଼ିଥିବା ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛନ୍ତି। ମୃତ ଶୁକଦେବ ଲିଖିରିଆ ଗାଁରେ ଚିହ୍ନଟ ହୋଇଥିବା ଦୁଇ କରୋନା ସଂକ୍ରମିତ ଯୁବକଙ୍କ ମଧ୍ୟରୁ ଜଣେ ଯୁବକଙ୍କ ବଡବାପା ହୋଇଥିବାରୁ ଘଟଣାଟି ସାଧରଣରେ ଚର୍ଚ୍ଚାର ବିଷୟ ହୋଇଛି। ଅନେକେ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ , ଆତ୍ମହତ୍ୟାର କାରଣ କଣ ହୋଇପାରେ ବୋଲି ପ୍ରଶ୍ନ କରିଛନ୍ତି ।