ମୁରିବାହାଲ: ବଲାଙ୍ଗିର ବନଖଣ୍ଡ ମୁରିବାହାଲ ବନାଞ୍ଚଳ ଚାନୁଟମାଲ ଗାଁ କାଜୁ ବଗିଚାରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଗୁରୁବାର ସକାଳେ ବନ କର୍ମଚାରୀ ମୃତଦେହ ଉଦ୍ଧାର କରିଛନ୍ତି। ମୁରିବାହାଲ ବନାଞ୍ଚଳ ଜଙ୍ଗଲରେ ପ୍ରାୟ ଏକବର୍ଷରୁ ଊର୍ଦ୍ଧ୍ବ ହେବ ୬୦ ଟିକିଆ ହାତୀପଲର ଗତିବିଧି ଜାରି ରହିଛି। ଚାନୁଟମାଲ ଗାଁ କାଜୁ ବଗିଚାରେ ଗୁରୁବାର ସକାଳେ ଏକ ଦନ୍ତାହାତୀର ମୃତଦେହ ପଡ଼ିଥିଲା। ବଲାଙ୍ଗିର ବନଖଣ୍ଡ ଅଧିକାରୀ ଅଜିତ ବିଶିଙ୍କ ସହ ବନ ଅଧିକାରୀ ଓ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତ ହାତୀର ବୟସ ପ୍ରାୟ ୫/୬ବର୍ଷ ହୋଇଥିବା ବନ ବିଭାଗ ସୂଚନା ଦେଇଛି। ଗତକାଲି ୨୪ ଟିକିଆ ହାତୀପଲ ୩ଟି ଦଳରେ ଏହି ଅଞ୍ଚଳରେ ଚଳପ୍ରଚଳ କରୁଥିଲେ । ଗୋଟିଏ ଦଳରେ ୧୫ଟି ହାତୀ ରହିଥିବା ବେଳେ ଆଉ ଏକ ଦଳରେ ୬ଟି ଓ ଅନ୍ୟ ଦଳରେ ୩ଟି ହାତୀ ରହିଥିଲେ। ୩ଟି ହାତୀ ଥିବା ଦଳର ଦନ୍ତାହାତୀଟି କାଜୁ ବଗିଚାରେ ମରି ପଡ଼ିଥିବା ଆଜି ସକାଳେ ଦେଖିବାକୁ ମିଳିଥିଲା। ବୁଧବାର ରାତିରେ ଚାନୁଟମାଲ ଗାଁର ସଞ୍ଜୀବ ପୁଟେଲଙ୍କ କାଜୁ ବଗିଚାରେ ହାତୀଟିର ମୃତ୍ୟୁ ଘଟିଥିବା ବେଳେ ଗୁରୁବାର ସକାଳେ ଚାଷୀ ଶ୍ରୀ ପୁଟେଲ ବନ ବିଭାଗକୁ ଏନେଇ ସୂଚନା ଦେଇଥିଲେ। ଗାଁରୁ କାଜୁ ବଗିଚାକୁ ଆସିଥିବା ବିଦ୍ୟୁତ ତାର ହାତୀ ମୃତଦେହ ନିକଟରେ ଛିଣ୍ଡି ପଡ଼ିଥିବାବେଳେ ହାତୀ ଶୁଣ୍ଢରେ କ୍ଷତ ଚିହ୍ନ ରହିଥିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି।










