ଭୁବନେଶ୍ୱର: ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଚତୁର୍ଥ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟର ୨୩ଟି ଜିଲ୍ଲାର ବିଭିନ୍ନ ସ୍କୁଲରେ ଭିତ୍ତିଭୂମିର ବିକାଶ ପାଇଁ ୭.୨୯ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ନିମନ୍ତେ ମଞ୍ଜୁର ଦିଆଯାଇଛି । ପ୍ରାୟ ସାଢେ ୪ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ, ବୁଦ୍ଧୀଜୀବୀ ଓ ଅନୁଷ୍ଠାନ ବିଦ୍ୟାଳୟର ଉନ୍ନତି ନିମନ୍ତେ ଏହି ଅର୍ଥ ଅବଦାନ ଦେଇଛନ୍ତି । ପରିଷଦର ଅଧ୍ୟକ୍ଷ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଡ. ଏନ୍. ତିରୁମାଲା ନାୟକ ବୈଠକରେ ଅଧ୍ୟକ୍ଷତା କରିଥିଲେ । ବିଦ୍ୟାଳୟ ସହ ପୁରାତନ ଛାତ୍ରଛାତ୍ରୀଙ୍କ ସଂଯୋଗ ଉପରେ ଗୁରୁତ୍ବାରୋପ କରିଥିଲେ । ବୈଠକରେ ପଞ୍ଚସଖା ଶିକ୍ଷା ସେତୁ ଅଧୀନରେ ଅନେକ ନୂତନ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ବିଦ୍ୟାଳୟର ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା କମିଟି ସଦସ୍ୟ ଓ ସ୍ଥାନୀୟ ସମ୍ପ୍ରଦାୟ ପ୍ରାୟ ୨ କୋଟି ୪୩ ଲକ୍ଷ ୨୫ ହଜାର ୬୬୯ ଟଙ୍କାର ଆର୍ଥିକ ଅବଦାନ ଦେଇଛନ୍ତି । ସେମାନଙ୍କ ଅବଦାନରେ ପଞ୍ଚସଖା ଶିକ୍ଷା ସେତୁ ପକ୍ଷରୁ ଦୁଇଗୁଣା ଅନୁଦାନ ମିଶାଇ ମୋଟ ୭ କୋଟି ୨୯ ଲକ୍ଷ ୭୭ ହଜାର ୭ ଟଙ୍କାର ୬୦୯ ଟି ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ଆର୍ଥିକ ଅବଦାନ ଆସିଛି ।
ପିଏମ୍ ଶ୍ରୀ ବିଦ୍ୟାଳୟ ଗୁଡିକରେ ଆର୍ଥିକ ସାକ୍ଷରତା ପାଠ ଛାତ୍ରଛାତ୍ରୀଙ୍କୁ ପଢାଯିବ । ଏଥି ନିମନ୍ତେ ଶିକ୍ଷକମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ସେମାନେ ଛାତ୍ରଛାତ୍ରୀଙ୍କୁ ଆର୍ଥିକ କାରବାର, ବ୍ୟାଙ୍କିଂ ବ୍ୟବସ୍ଥା, ଟଙ୍କା, ସଞ୍ଚୟ, ବ୍ୟୟ ଆଦି ଆର୍ଥିକ ବ୍ୟବସ୍ଥା ଉପରେ ଶିକ୍ଷାଦାନ କରିବେ। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ହାସଲ କରିଥିବା ଡିଇଓ, ବିଇଓ ଓ ସିଆରସିସିମାନଙ୍କ ବୃତ୍ତିଗତ ବିକାଶ ନିମନ୍ତେ ମଧ୍ୟ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏହି ବୈଠକରେ ପଞ୍ଚସଖା ଶିକ୍ଷା ସେତୁର ସଦସ୍ୟ ସଚିବ ତଥା ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ଅନନ୍ୟା ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର, ବିତ୍ତ ଉପଦେଷ୍ଟା ତଥା ସ୍ବତନ୍ତ୍ର ସଚିବ ଶ୍ରୀ ଶିବାଶିଷ ଧଳ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶିକା ଶ୍ରୀମତୀ ବିନିତା ସେନାପତି, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ଚନ୍ଦ୍ରାଣି ନାୟକ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକା ଶ୍ରୀମତୀ ନିବେଦିତା ରାଏ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ମନୋରଞ୍ଜନ ଦାଶ, ସହକାରୀ ନିର୍ବାହୀ ଯନ୍ତ୍ରୀ (ଆର୍ ଆଣ୍ଡ ବି) ଶ୍ରୀ ରାଜେନ୍ଦ୍ର ପ୍ରସାଦ ସାହୁ ଓ ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀମତୀ ରାଜ ଲକ୍ଷ୍ମୀ ଦାଶ ଓ ବିତ୍ତ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।










