ଭୁବନେଶ୍ୱର: ରଥଯାତ୍ରା ସମୟରେ ପୁରୀରେ ଘଟିଥିବା ଦଳାଚକଟା ଘଟଣାକୁ ନେଇ ବଢିଛି ବିବାଦ । ଗତକାଲି ଦୁଇ ଜଣ ମୃତକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛି ବିଜୁ ଜନତା ଦଳ । ବିଜେଡିର ଅଭି ଯୋଗ ଅନୁଯାୟୀ, ରଥଯାତ୍ରା ବେଳେ ଦଳାଚକଟାରେ ୩ ଜଣଙ୍କ ପ୍ରାଣହାନି ଘଟିଥିଲା । କିନ୍ତୁ ସରକାର ଏହାକୁ ସ୍ୱୀକାର କରିନଥିଲେ ଏବଂ ପ୍ରକୃତ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଇଥିବା ଦଳ ଅଭିଯୋଗ କରିଛି । ଘଟଣା ଦିନ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ଜଣେ ବ୍ୟକ୍ତିଙ୍କର ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଏବଂ ଅନ୍ୟ ଜଣଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି । ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ସେହି ବୟାନକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଏହି ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆଣିବା ପାଇଁ ବିଚାର ବିଭାଗୀୟ ତଦନ୍ତ କରିବା ସହ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଆଇନ ମନ୍ତ୍ରୀଙ୍କୁ ବରଖାସ୍ତ କରିବାକୁ ବିଜେଡି ଦାବି କରିଛି ।










