ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ଅମ୍ପନ ଏବେ ପାରାଦୀପ ଠାରୁ ୧୨୦ କିଲୋମିଟର, ପଶ୍ଚିମବଙ୍ଗ ଦିଗା ଠାରୁ ୨୮୦ କିଲୋମିଟର ଏବଂ ବାଂଲାଦେଶ ଖେପୁପଡାଠାରୁ ୪୨୫ କିଲୋମିଟର ଦୂରରେ ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ସ୍ଥଳ ଭାଗ ଆଡକୁ ଗତି କରୁଛି। ଏହି ବାତ୍ୟାର ଗତିକୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ପାରାଦୀପ ଏବଂ ଗୋପାଳପୁରରେ ଥିବା ଡୋପଲର୍ ପାଣିପାଗ ରାଡାର୍ ଦ୍ୱାରା କ୍ରମାଗତ ଭାବରେ ଟ୍ରାକିଂ କରାଯାଉଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି। ବିଶେଷ ଭାବରେ ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲାରେ ଗତ ରାତିରୁ ପ୍ରବଳ ବର୍ଷା ହେଉଛି।
ଏହା ଉତ୍ତର-ଉତ୍ତର-ପୂର୍ବକୁ ଗତି କରି ପଶ୍ଚିମବଙ୍ଗ – ବାଂଲାଦେଶ ଉପକୂଳ ଦେଇ ପଶ୍ଚିମବଙ୍ଗ ଦିଘା ଏବଂ ବାଂଲାଦେଶ ହାତିଆ ଦ୍ୱୀପପୁଞ୍ଜ ମଧ୍ୟରେ ସୁନ୍ଦରବନ ମଧ୍ୟ ଦେଇ ଆଜି ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ଅତିକ୍ରମ କରିବ। ସେତେବେଳକୁ ଏହାର ସର୍ବାଧିକ ବେଗ ୧୫୫ରୁ ୧୬୫ କିଲୋମିଟର ବେଗରେ ଗତି କରି ୧୮୫ କିଲୋମିଟର ପର୍ଯ୍ୟନ୍ତ ବେଗ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ଏହି ସମୟ ମଧ୍ୟରେ ପାରାଦୀପରେ ଘଂଟାପ୍ରତି ପବନର ବେଗ ୯୬ କିଲୋମିଟର, ଚାନ୍ଦବାଲିରେ ୬୫, ଭୁବନେଶ୍ୱରରେ୪୧, ବାଲେଶ୍ୱରରେ ୪୧, ପୁରୀରେ ୩୯ ଏବଂ ଗୋପାଳପୁରରେ ଘଂଟାପ୍ରତି ପବନର ବେଗ ୩୦ କିଲୋମିଟର ରହିବ।