30.1 C
Bhubaneswar
Friday, May 3, 2024
Homeଓଡିଶାପକ୍ଷାଘାତରେ ଆକ୍ରାନ୍ତ ଛାତ୍ରୀଙ୍କ କରୁଣ ନିବେଦନ; ମତେ ଭଲ କରିଦିଅ, ମୁଁ ବି ପାଠ...

ପକ୍ଷାଘାତରେ ଆକ୍ରାନ୍ତ ଛାତ୍ରୀଙ୍କ କରୁଣ ନିବେଦନ; ମତେ ଭଲ କରିଦିଅ, ମୁଁ ବି ପାଠ ପଢ଼ନ୍ତି

କଟକ: ବାପା, ମତେ ଭଲ କରିଦିଅ । ମୁଁ ବି ପାଠ ପଢ଼ନ୍ତି, ଚାକିରିଟିଏ କରନ୍ତି, ଆଉ ତମମାନଙ୍କ ସବୁ ଦୁଃଖକୁ ଦୂର କରିଦିଅନ୍ତି । ପୁଅଟିଏ ବି ନ ହେଲେ କଣ ହେଲା ପୁଅ ଯାହା କରିଥାଆନ୍ତା ସେସବୁ ମୁଁ କରିଦେଖାଇଥାନ୍ତି ବାପା । ଝିଅର ଏଭଳି କରୁଣ କଥା ଶୁଣି ବାପା ବିନୋଦ ନାୟକ କେବଳ ଆଖିରୁ ଲୁହ ଗଡ଼େଇବା ଆଉ ଝିଅକୁ ସାନ୍ତ୍ୱନା ଦେଇ ବୁଝାଇବା ଛଡ଼ା ଆଉ ତାଙ୍କର କିଛି ଚାରା ନାହିଁ । ୧୬ ବର୍ଷ ଧରି ପକ୍ଷାଘାତରେ ପୀଡ଼ିତ ଝିଅ ବୀଣା ଯନ୍ତ୍ରଣା ସହ୍ୟ ନକରିବାରି ବାପାଙ୍କ ପାଖରେ ଏଭଳି ଅଳି କରିବାରେ ଲାଗିଛି । ଏଭଳି ଦୁଃଖ ଭଗବାନ କାହାକୁ ନ ଦିଆନ୍ତୁ ବୋଲି କୋହ ଭରା କଣ୍ଠରେ କହିଛନ୍ତି ନିଃସହାୟ ବାପା ।

ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୧୨ନମ୍ବର ୱାର୍ଡରେ ରୁହନ୍ତି ବିନୋଦଙ୍କ ୩ପ୍ରାଣୀ କୁଟୁମ୍ବର ପରିବାର । ସ୍ତ୍ରୀ ବିଦୁଲତା ଓ ଏକମାତ୍ର ଝିଅ ବୀଣାକୁ ନେଇ ହସଖୁସିର ସଂସାର ଠିକ୍‌ଠାକ ଚାଲିଥିଲା । ଜନ୍ମରୁ ବଡ଼ ଗେହ୍ଲାରେ ବଢ଼ିଆସିଥିଲେ ବୀଣା । ହଠାତ୍ ଦିନେ ବୀଣା ମାଟ୍ରିକ୍ ପରୀକ୍ଷା ଦେଇ ଫେରିବା ବାଟରେ ତଳେ ପଡ଼ିଯାଇଥିଲା । ପରେ ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଗଲେ । ଝିଅର ଏ ଅବସ୍ଥାରେ ମାଆ ବିଦୁଲତା ଭାଙ୍ଗି ପଡ଼ିଥିବା ବେଳେ ବାପା ବିନୋଦ ଝିଅର ଚିକିତ୍ସା ପାଇଁ ବଡ଼ ବଡ଼ ଡାକ୍ତରଙ୍କ ପାଖକୁ ଯାଇ ଭଲ କରିବା ପାଇଁ ଗୁହାରି କରିଥିଲେ । ମାତ୍ର ଝିଅର ଚିକିତ୍ସାରେ ଅଧିକ ଅର୍ଥ ଖର୍ଚ୍ଚ ହେବ ଶୁଣିବା ପରେ ସେ କଟକ ଜିଲ୍ଲାର ଗୁଡ଼ି ଝରିଆରେ ଥିବା ନିଜ ଭିଟାମାଟି ସହ ସମସ୍ତ ସମ୍ପତ୍ତିକୁ ବିକ୍ରି ମଧ୍ୟ କରିଦେଇଥିଲେ ।

ଏପରିକି ସ୍ତ୍ରୀ ବିଦୁଲତାଙ୍କର ସମସ୍ତ ଗହଣାପତ୍ର ମଧ୍ୟ ବିକି ଦେଇଥିଲେ। ସେ ଓଟିଏମ୍‌ରେ ଚାକିରି କରିଥିଲେ ମଧ୍ୟ ତାହା ବହୁ ଦିନ ହେଲା ବନ୍ଦ ପଡ଼ିଥିବାରୁ ତାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଛି । ବହୁ ଅର୍ଥ ଖର୍ଚ୍ଚ ଓ ଚେଷ୍ଟା ପରେ ବି ବୀଣା ସୁସ୍ଥ ହେଇପାରିଲେନି । ବାପାମାଆ ଅନ୍ୟ ଉପାୟ ନ ପାଇ ବନ୍ଦୁବାନ୍ଧବ ଓ ପଡ଼ୋଶୀଙ୍କ ଠାରୁ ଧାର କରଜ କରି ପ୍ରାୟ ୫ଲକ୍ଷ ଟଙ୍କା ଆଣି ଝିଅର ଚିକିତ୍ସା ନିମନ୍ତେ ଖର୍ଚ୍ଚ କଲେ । ଏ ମଧ୍ୟରେ ମାଆ ବିଦୁଲତା ମଧ୍ୟ ଉଚ୍ଚରକ୍ତଚାପର ଶିକାର ହୋଇ ସେ ମଧ୍ୟ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଗଲେ । ଭଙ୍ଗା ଛାତ ତଳେ ଅତି ବିପଜ୍ଜନକ ଅବସ୍ଥାରେ ୨ ରୋଗୀଙ୍କୁ ନେଇ ରହୁଥିବାବେଳେ ପ୍ରଶାସନର ଦୃଷ୍ଟି ଏମାନଙ୍କ ଉପରେ ପଡ଼ିନି । ଯଦି ଆଗାମୀ ଦିନରେ ପ୍ରଶାସନ ମୋ ଦୁଃଖ ନ ବୁଝେ ମୋ ଝିଅ ଓ ସ୍ତ୍ରୀଙ୍କୁ ସରକାରୀ ସାହାଯ୍ୟ ପ୍ରଦାନ ନକରେ ମୁଁ ଆତ୍ମହତ୍ୟା କରିବି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking