22.1 C
Bhubaneswar
Thursday, November 21, 2024
Homeଅପରାଧଶୁଭଶ୍ରୀ ହତ୍ୟା ମାମଲାରୁ ହଟିଲା ପରଦା: ପ୍ରଥମ ପ୍ରେମିକ ଗିରଫ

ଶୁଭଶ୍ରୀ ହତ୍ୟା ମାମଲାରୁ ହଟିଲା ପରଦା: ପ୍ରଥମ ପ୍ରେମିକ ଗିରଫ

ଭୁବନେଶ୍ୱର: ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ହତ୍ୟା ମାମଲାର ହଟିଛି ପରଦା । ଖାରବେଳନଗର ଥାନା ପୁଲିସକୁ ମିଳିଛି ସଫଳତା । ଏହି ମାମଲାରେ ପୁଲିସ ଶୁଭଶ୍ରୀଙ୍କ ପ୍ରଥମ ପ୍ରେମିକ ଚିତ୍ତରଞ୍ଜନ ଜେନାଙ୍କୁ ନୟାଗଡ଼ରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ଚିତ୍ତରଞ୍ଜନଙ୍କ ଘର ମୃତ ଶୁଭଶ୍ରୀଙ୍କ ଗାଁରେ ବୋଲି ଜଣାପଡ଼ିଛି । ହତ୍ୟାଦିନ ଅଭିଯୁକ୍ତ ଏକାଧିକ ଥର ଶୁଭଶ୍ରୀଙ୍କ ସହ କଥା ହୋଇଥିବା ନେଇ ସିଡିଆର ରିପୋର୍ଟରେ ସ୍ପଷ୍ଟ ହେବା ପରେ ପୁଲିସ ଗତକାଲି ରାତିରେ ନୟାଗଡ଼ରୁ ଚିତ୍ତରଞ୍ଜନକୁ ଉଠାଇଥିଲା ।

ସକାଳୁ ଡିସିପି ପ୍ରତୀକ ସିଂ,ଏସିପି ମାନସ ଗଡ଼ନାୟକ ଏବଂ ଥାନା ଅଧିକାରୀ ଅଭିଯୁକ୍ତକୁ ମାରାଥନ ଜେରା ପରେ ସେ ପୂରା ହତ୍ୟାକାଣ୍ଡ ସମ୍ପର୍କରେ ଖୁଲାସା କରିଥିଲା । ମିଳିଥିବା ସୂଚନାମୁତାବକ, ଶୁଭ୍ରଶ୍ରୀ ହତ୍ୟା ମାମଲାରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ବୟାନ ଘଟଣାକୁ ଭିନ୍ନ ମୋଡ଼ ଦେଇଛି । ଅଧିକାରୀ ଜଣଙ୍କ କହିଛନ୍ତି, ଉଭୟ କଲେଜ ପଢିବା ସମୟରୁ ଭଲ ପାଉଥିଲେ । ଶୁଭଶ୍ରୀଙ୍କ ବିବାହ ପରେ ମଧ୍ୟ ଉଭୟଙ୍କ ସମ୍ପର୍କ ସେମିତି ଚାଲିଥିଲା । ସ୍ୱାମୀଙ୍କ ଅଗୋଚରରେ ଶୁଭଶ୍ରୀ ପ୍ରେମିକ ସହ ମିଶୁଥିଲେ । ହେଲେ ଗତ ଜୁଲାଇ ମାସରେ ପ୍ରେମିକର ବିବାହ ଅନ୍ୟ ଜଣେ ଯୁବତୀଙ୍କ ସହ ସ୍ଥିର ହୋଇଥିଲା । ଶୁଭଶ୍ରୀ ତାଙ୍କୁ ଏହା କରାଇ ଦେବାକୁ ଚାହୁଁନଥିଲେ ।

ବିବାହ ନକରିବାକୁ ପ୍ରେମିକ ଚିତ୍ତରଞ୍ଜନଙ୍କୁ କହିଥିଲେ । ଘଟଣା ଦିନ ଶୁଭଶ୍ରୀ ୭ଥର ଫୋନ୍ କରି ପ୍ରେମିକକୁ ଘରକୁ ଡାକିଥିଲେ । ଘର ନିକଟରେ ପ୍ରେମିକକୁ ଛିଡ଼ା କରି ପିଲାକୁ ଟିଉସନ୍ ଛାଡ଼ିବାକୁ ଯାଇଥିଲେ । ସେଠାରେ ଛାଡ଼ି ଆସିବା ପରେ ଘର ଭିତରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ସେଠାରୁ ଚିତ୍ତରଞ୍ଜନ ପଳାଇ ଆସିଥିଲେ । ହେଲେ ଏହାପରେ ଶୁଭଶ୍ରୀ ଆତ୍ମହତ୍ୟା କରିଦେବାକୁ ଧମକ ଦେଇଥିଲେ । କିନ୍ତୁ ଏହାର କିଛି ସମୟ ପରେ ଚିତ୍ତରଞ୍ଜନ ଯିବା ପରେ ସେ ଝୁଲୁଥିବା ଦେଖିବାକୁ ପାଇଥିଲେ । ସେ ଫସି ଯିବା ଭାବି ତୁରନ୍ତ ଦଉଡ଼ି କାଟି ମୃତଦେହ ତଳକୁ କାଢ଼ିଥିଲେ । ପରେ ଦଉଡ଼ି ଏବଂ ଅନ୍ୟାନ୍ୟ ସାମଗ୍ରୀ ନେଇ ସେଠାରୁ ଚମ୍ପଟ ମାରିଥିଲା ।

କଲେଜରୁ ପ୍ରେମ :
ଗାଁରେ ରହି ଶୁଭଶ୍ରୀ ନିକଟ କଲେଜରେ ପାଠ ପଢୁ୍‌ଥିବା ବେଳେ ସେହି କଲେଜରେ ପଢୁଥିବା ଚିତ୍ତରଞ୍ଜନଙ୍କ ସହ ଭଲ ପାଇବା ହୋଇଥିଲା । ଉଭୟଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେବା ପରେ ପରିବାର ରହୁଥିବା ପାତ୍ରପଡ଼ାକୁ ଚାଲି ଆସିଥିଲେ । ଏଠାରେ ଏରସମା ଅଞ୍ଚଳର ଅନନ୍ତ ନାରାୟଣ ନାଥଙ୍କୁ ଭଲ ପାଇ ବିବାହ କରିଥିଲେ । ଇତି ମଧ୍ୟରେ ତାଙ୍କର ଏକ ୪ବର୍ଷର ପୁଅ ରହିଥିଲା । କିନ୍ତୁ ବିବାହର କିଛି ଦିନ ପରେ ତାଙ୍କର ପୁରୁଣା ପ୍ରେମିକ ଚିତ୍ତରଞ୍ଜନ ଖୋଜି ଖୋଜି ଶୁଭଶ୍ରୀଙ୍କ ନମ୍ବର ପାଇ ତାଙ୍କୁ ଫୋନ୍ କରିଥିଲେ । ଫଳରେ ପୁଣି ଉଭୟଙ୍କ ମଧ୍ୟରେ ପୂର୍ବ ସମ୍ପର୍କ ଗଢ଼ି ଉଠିଥିଲା ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ।

ଶ୍ୱାସରୁଦ୍ଧରୁ ମୃତ୍ୟୁ:
ପୁଲିସ ନିକଟରେ ଶୁଭଶ୍ରୀଙ୍କ ପ୍ରାଥମିକ ଶବ ବ୍ୟବଛେଦ ରିପୋର୍ଟ ହସ୍ତଗତ ହୋଇଛି । ଏଥିରେ ଦର୍ଶାଯାଇଛି ଯେ ଶ୍ୱାସରୁଦ୍ଧରୁ ଶୁଭଶ୍ରୀଙ୍କ ମୃତ୍ୟୁ ଘଟିଛି । ବେକରେ ଦଉଡ଼ି ଚିହ୍ନ ରହିବା ସହ ଗାଲ ଏବଂ ଅନ୍ୟାନ୍ୟ ସ୍ଥାନରେ ଚିହ୍ନ ରହିଛି । ଗାଲରେ ଥିବା ଚିହ୍ନ ଛୋଟ ପିଲାର ବୋଲି ଜଣାପଡ଼ିଛି । ମୃତ୍ୟୁପରେ ଶୁଭଶ୍ରୀଙ୍କ ଛୋଟ ପୁଅ ଡାକିବା ସମୟରେ ଆମ୍ପୁଡ଼ି ହୋଇଥିବା ସନ୍ଦେହ କରାଯାଉଛି । ତେଣୁ ବେକରେ ଥିବା ଚିହ୍ନ ଆତ୍ମହତ୍ୟା ଦିଗକୁ ଦର୍ଶାଉଥିବା ଡାକ୍ତର ପରୋକ୍ଷରେ ପୁଲିସକୁ କହିଛନ୍ତି ।

ସାନ ଭାଇକୁ କହିଥିଲେ ସତ:
ଶୁଭଶ୍ରୀଙ୍କ ସିଡିଆର ରିପୋର୍ଟରେ ଏକାଧିକ ଥର ଚିତ୍ତରଞ୍ଜନଙ୍କ ସହ କଥା ହୋଇଥିବା ଜଣାପଡ଼ିଛି । ହେଲେ ମୃତ୍ୟୁଦିନ ସେ ୧୫ ମିନିଟ୍‌ରୁ ଅଧିକ ସମୟ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ କଥା ହୋଇଛନ୍ତି । ଉକ୍ତ ବ୍ୟକ୍ତିଙ୍କ ବିଷୟରେ ତଦନ୍ତ କରିବା ପରେ ସେ ଶୁଭଶ୍ରୀଙ୍କ ସାନଭାଇ ବୋଲି ଜଣାପଡ଼ିଛି । ତେଣୁ ଶୁଭଶ୍ରୀ ତାଙ୍କ ଆଗରେ କ’ଣ କହିଛନ୍ତି, ସେନେଇ ପୁଲିସ ତାଙ୍କ ସାନ ଭାଇକୁ ପଚରାଉଚରା କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking