ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିଥିବା ସଂଗଠନ ଜମାତ-ଏ-ଇସଲାମି ଉପରେ ଲାଗିଥିବା ନିଷେଧାଦେଶକୁ ଭାରତ ସରକାର ଆଉ ୫ ବର୍ଷ ପାଇଁ ବୃଦ୍ଧି କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ଜମାତ-ଏ-ଇସଲାମି ଉପରେ ଲାଗିଥିବା ନିଷେଧାଦେଶ କୁ ନେଇ ମଧ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ ସରକାର ଜମ୍ମୁ-କଶ୍ମୀରର ଜମାତ-ଏ-ଇସଲାମି ଉପରେ ନିଷେଧାଦେଶକୁ ୫ ବର୍ଷ ପାଇଁ ବୃଦ୍ଧି କରିଛନ୍ତି ।
ଦେଶର ନିରାପତ୍ତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ବିରୋଧରେ ଜମାତ-ଏ-ଇସଲାମି ନିଜର କାର୍ଯ୍ୟକଳାପ ଜାରି ରଖିଥିବା ଜଣାପଡ଼ିଛି । ୨୦୧୯ ଫେବ୍ରୁଆରି ୨୮ତାରିଖରେ ପ୍ରଥମେ ଏହି ସଂଗଠନକୁ ‘ବେଆଇନ ଗୋଷ୍ଠୀ’ ଘୋଷଣା କରାଯାଇଥିଲା । ଯିଏ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ ତାଙ୍କୁ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ । କେନ୍ଦ୍ର ସରକାର ଜମାତ-ଏ-ଇସଲାମିକୁ ନିଷିଦ୍ଧ କରିବାର କାରଣ ହେଲା, ୨୦୧୯ରେ ନିଷିଦ୍ଧ ହୋଇଥିଲେ ମଧ୍ୟ ସଂଗଠନ ଗୁପ୍ତ ଭାବରେ ନିଜର କାର୍ଯ୍ୟକଳାପ ଜାରି ରଖିଥିଲା ଏବଂ କାଶ୍ମୀରରେ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୋଏବା ଭଳି ଆତଙ୍କବାଦୀ ସଂଗଠନକୁ ସମର୍ଥନ କରିଥିଲା ।