27.1 C
Bhubaneswar
Saturday, July 27, 2024
Homeଓଡିଶାଓଡ଼ିଶା ଗସ୍ତରେ ପୁଣି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶା ଗସ୍ତରେ ପୁଣି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

– ଫେବ୍ରୁଆରୀ ୨୮ରୁ ଆସି ମାର୍ଚ୍ଚ ୨ରେ ନୂଆଦିଲ୍ଲୀ ଫେରିବେ
– ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ
– ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କୁ ମିଳିବ ଡକ୍ଟରେଟ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ଫେବ୍ରୁଆରୀ ୨୮ରୁ ଆସି ମାର୍ଚ୍ଚ ୨ରେ ନୂଆଦିଲ୍ଲୀ ଫେରିବେ । ପ୍ରଥମ ଦିନ ରାଷ୍ଟ୍ରପତି ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ପହଞ୍ଚି କିଛି କାର୍ଯ୍ୟକ୍ରମରେ ଯୋଗଦେବା ପରେ ସେଇଦିନ ସେ ମୟୂରଭଞ୍ଜର ରାଇରଙ୍ଗପୁର ଗସ୍ତ କରିବେ । କେନ୍ଦ୍ର ସରକାରଙ୍କର ଏକ ହଲିଡେ ହୋମ୍‌ର ଶିଳାନ୍ୟାସ ସହ ରାଇରଙ୍ଗପୁର ସ୍ପୋଟ୍ସ କମ୍ଲେକ୍ସ, କିଛି ରାସ୍ତା ଓ ବଡ଼ସାହିସ୍ଥ ଏକଲବ୍ୟ ସ୍କୁଲକୁ ଭର୍ଚୁଆଲରେ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି ।

ଫେବ୍ରୁଆରି ୨୯ରେ ରାଷ୍ଟ୍ରପତି କେନ୍ଦୁଝରର ଗୋନାସିକାର ଗାଦଲିବାଡ଼ି ଗାଁର କିଛି ଆଦିମ ଜନଜାତି ସଂପ୍ରଦାୟର ଲୋକଙ୍କ ସହ ଆଲୋଚନା କରିବେ । ଏହି ଅବସରରେ ସେ ଧରଣୀଧର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଜାତୀୟ କର୍ମଶାଳା ‘ଟ୍ରାଇବ୍ସ ଅଫ୍ କେନ୍ଦୁଝର’ରେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ଦେବେ । ସେହିଦିନ ରାଷ୍ଟ୍ରପତି ଭୁବନେଶ୍ୱର ଆସି ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଗଣମାଧ୍ୟମକୁ ଏହି ସୂଚନା ଦେଇ କହିଛନ୍ତି ଯେ ସନ୍ଧ୍ୟା ୫ଟା ୨୫ରେ ଆରମ୍ଭ ହେବ କାର୍ଯ୍ୟକ୍ରମ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । କୁଳାଧିପତି ତଥା ରାଜ୍ୟପାଳ ରଘୁବର ଦାସ ଏହି କାର୍ଯ୍ୟକ୍ରମରେ ଅଧକ୍ଷତା କରିବେ । ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ଅନ୍ୟତମ ଅତିଥି ଭାବେ ରହିବେ । ଏହି କାର୍ଯ୍ୟକ୍ରମ ୬ଟା ୨୫ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ୧୬୬ ଜଣଙ୍କୁ ପିଏଚ୍‌ଡି ଓ ୯୫ ଜଣଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଓ ହିଣ୍ଡାଲକୋର ପରିଚାଳନା ନିର୍ଦେଶକ ସତୀଶ୍ ସମ୍ମାନସୂଚକ ଡକ୍ଟରେଟ୍ ଉପାଧିରେ ସମ୍ମାନିତ ହେବେ ।

ମାର୍ଚ୍ଚ ୧ରେ ଭଞ୍ଜବିହାରସ୍ଥ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପରେ ରାଷ୍ଟ୍ରପତି କଟକ ଆସି ବ୍ରହ୍ମକୁମାରୀ ଗୋଲଡେନ ଜୁବଲି କାର୍ଯ୍ୟକ୍ରମରେ ଯୋଗଦେବେ । ସେହିଦିନ ରାଜଭବନରେ ‘ପିଏମ ଜନମନ’ କାର୍ଯ୍ୟକ୍ରମରେ ବି ସାମିଲ ହେବେ । ପୁଣି ମାର୍ଚ୍ଚ ୨ରେ ରାଷ୍ଟ୍ରପତି ସମ୍ବଲପୁର ଗସ୍ତ କରି ସନ୍ଥ କବି ଭୀମଭୋଇଙ୍କ ପୀଠ ଦର୍ଶନ କରିବେ ଏବଂ ସମ୍ବଲପୁର ମିନି ଷ୍ଟାଡିଅମରେ ମହିମା ଧର୍ମର ଲୋକମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking