ମୁମ୍ବାଇ: ଏବେ ବିବାହ ଋତୁ ଚାଲିଛି । ନିଜ ବିବାହକୁ ନିଆରା କରିବାର ସ୍ୱପ୍ନ କିଏ ବା ଦେଖି ନଥାଏ ନିମନ୍ତ୍ରଣ କାର୍ଡ ଛପାରୁ ଆରମ୍ଭ ହୋଇଥାଏ ବିବାହ କାର୍ଯ୍ୟ । ବିବାହ ନିମନ୍ତ୍ରଣ କାର୍ଡକୁ ଆକର୍ଷଣୀୟ କରିବାକୁ ଲୋକେ ବିଭିନ୍ନ ଉପାୟ ଆପଣେଇଥାନ୍ତି । ନିକଟରେ ଏକ ଯୋଡ଼ି ସେମାନଙ୍କ ନିମନ୍ତ୍ରଣ କାର୍ଡକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସୋସିଆଲ ମିଡିଆରେ କାର୍ଡଟିର ଫଟୋ ଭାଇରାଲ ହେବା ପରେ ବ୍ୟବହାରକାରୀ ବିଭିନ୍ନ ପ୍ରକାରର ମତ ରଖିଛନ୍ତି । କାର୍ଡଟିକୁ ଷ୍ଟକ୍ ମାର୍କେଟ୍ ତରିକାରେ ଡିଜାଇନ୍ କରାଯାଇଛି । କାର୍ଡର ପୂରା ଉପରେ ଇନଭେଷ୍ଟର ଝୁନଝୁନୱାଲା, ୱାରେନ୍ ବାଫେଟ୍ ଓ ହର୍ଷଦୟାଲ ମେହେତାଙ୍କ ନାମ ଲେଖାଯାଇଛି । ଆମନ୍ତ୍ରିତ ଅତିଥିଙ୍କୁ ବି ଇନଭେଷ୍ଟର ଭାବେ ସମ୍ବୋଧନ କରାଯାଇଛି ।
ବିବାହର ବିଭିନ୍ନ ରୀତିକୁ ସେୟାର ମାର୍କେଟରେ ବ୍ୟବହୃତ ଶବ୍ଦ ଆକାରରେ ଦର୍ଶାଯାଇଛି । ଏହାକୁ ଦେଖି କିଛି ବ୍ୟବହାରକାରୀ ମତ ରଖିଛନ୍ତି ଯେ ଅତିଥି ଏହି କାର୍ଡକୁ ବୁଝିପାରିବେ ତ? କାର୍ଡ ମୁତାବକ, ଏହି ଦମ୍ପତି ମହାରାଷ୍ଟ୍ରର ନାନ୍ଦେଡ ଜିଲ୍ଲାର ବାସିନ୍ଦା । ବରଙ୍କ ନାମ ଡକ୍ଟର ସନ୍ଦେଶ ଓ କନ୍ୟାଙ୍କ ନାମ ଡକ୍ଟର ଦିବ୍ୟା । କାର୍ଡରେ ବରଙ୍କ ନାମ ଆଗରେ ମେଡିସିନ ଲିମିଟେଡ ଓ କନ୍ୟାଙ୍କ ନାମ ଆଗରେ ଆନାସ୍ତେସିଆ ଲିମିଟେଡ ଲେଖାଯାଇଛି । କାର୍ଡରେ ବନ୍ଧୁ ଓ ପରିଜନମାନଙ୍କୁ ରିଟେଲ ଇନଭେଷ୍ଟର ଭାବେ ଉଲ୍ଲେଖ କରାଯାଇଛି । ସଂଗୀତ ଉତ୍ସବକୁ ରିଙ୍ଗିଂ ବେଲ୍, ରିସେପ୍ସନକୁ ଇନ୍ଟରିଂ ଡିଭିଡେଣ୍ଟ ପେଆଉଟ୍ ଓ ଫେରେକୁ ଲିଷ୍ଟିଂ ସେରିମୋନି ଲେଖାଯାଇଛି । ସେହିପରି ୱେଡିଂ ଭେନ୍ୟୁକୁ ଷ୍ଟକ୍ ଏକ୍ସଚେଞ୍ଜର ନାମ ଦିଆଯାଇଛି ।