ସିନ୍ସିନାଟି: ଏଠାରେ ଚାଲିଥିବା ଡବ୍ଲ୍ୟୁଟିଏ ସିନ୍ସିନାଟି ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟ୍ରେ ଫ୍ରେଞ୍ଚ୍ କ୍ୱାଲିଫାୟର୍ କ୍ୟାରୋଲିନ୍ ଗାର୍ସିଆ ଓ କ୍ରୋଏସିଆର ଅଣସିଡେଡ୍ ଖେଳାଳି ବୋରା କୋରିକ୍ ଯଥାକ୍ରମେ ମହିଳା ଓ ପୁରୁଷ ସିଙ୍ଗଲ୍ସ ଟାଇଟଲ୍ ହାସଲ କରିଛନ୍ତି । ଗାର୍ସିଆ ରବିବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ଫାଇନାଲ୍ରେ ଚେକ୍ ଗଣରାଜ୍ୟର ପେତ୍ରା କ୍ୱିତୋଭାଙ୍କୁ ୬-୨, ୬-୪ ସିଧାସଳଖ ସେଟ୍ରେ ପରାସ୍ତ କରି କ୍ୟାରିୟର୍ରେ ତୃତୀୟ ମାଷ୍ଟର୍ସ ଟାଇଟଲ୍ ହାତେଇଛନ୍ତି । ଏହା ମଧ୍ୟ ତାଙ୍କ କ୍ୟାରିୟର୍ର ଦଶମ ଟାଇଟଲ୍ । ୧୯୮୦ ପରଠାରୁ ସେ ୧୦ କିମ୍ବା ତଦୁ୍ର୍ଦ୍ଧ୍ୱ ଡବ୍ଲ୍ୟୁଟିଏ ଟାଇଟଲ୍ ଜିତିବାରେ ଆମେଲି ମୌରେସ୍ମୋ, ମେରୀ ପିୟର୍ସ ଓ ଜୁଲି ହାଲାର୍ଡଙ୍କ ପରେ ଚତୁର୍ଥ ଫ୍ରେଞ୍ଚ୍ ଖେଳାଳି ହୋଇଛନ୍ତି । ଡବ୍ଲ୍ୟୁଟିଏ ର୍ୟାଙ୍କିଙ୍ଗ୍ରେ ୩୫ ନମ୍ବର ସ୍ଥାନରେ ଥିବା ଗାର୍ସିଆ ଗତ ଜୁନ୍ ପରଠାରୁ ତାଙ୍କର କ୍ରମାଗତ ବିଜୟ ସଂଖ୍ୟାକୁ ୨୭ରେ ପହଞ୍ଚାଇଛନ୍ତି ।
ଅନ୍ୟପକ୍ଷରେ ଦୁଇ ଦୁଇ ଥର ୱିମ୍ବଲଡନ୍ ଓପନ୍ରେ ଚାମ୍ପିଅନ୍ ହୋଇଥିବା କ୍ୱିତୋଭା ୪୦ତମ ଫାଇନାଲ୍ରେ ପହଞ୍ଚିଥିଲେ ମଧ୍ୟ ୩୦ତମ ଟାଇଟଲ୍ ହାସଲ କରିବାରେ ବିଫଳ ହୋଇଛନ୍ତି । ସେହିପରି କୋରିକ୍ ଫାଇନାଲ୍ରେ ଚତୁର୍ଥ ସିଡ୍ ଗ୍ରୀସ୍ର ଷ୍ଟେଫାନୋସ୍ ସିଟ୍ସିପାସ୍ଙ୍କୁ ୭୦୬(୭/୦), ୬-୨ ସେଟ୍ରେ ହରାଇଛନ୍ତି । ଏଟିପି ର୍ୟାଙ୍କିଙ୍ଗ୍ରେ ୧୫୨ତମ ସ୍ଥାନରେ ଥିବା କୋରିକ୍ ଗତ ମାର୍ଚ୍ଚରେ ପେସାଦାର ଟେନିସ୍କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ରବିବାର ସେ ସର୍ବନିମ୍ନ ର୍ୟାଙ୍କ୍ର ଖେଳାଳି ଭାବେ ଏଠାରେ କୌଣସି ମାଷ୍ଟର୍ସ ଟ୍ରଫି ହାତେଇପାରିଛନ୍ତି । ଏହା ପୂର୍ବରୁ ସ୍ପେନ୍ର ୧୪୩ତମ ର୍ୟାଙ୍କ୍ର ଖେଳାଳି ରୋବେର୍ଟୋ କାରେଟେରୋଙ୍କ ନାମରେ ଏହି ରେକର୍ଡ ରହିଥିଲା, ଯିଏକି ୧୯୯୬ରେ ହାମବର୍ଗ ଓପନରେ ଚାମ୍ପିଅନ୍ ହୋଇଥିଲେ ।