ରାୟପୁର: କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡ଼ ଯାତ୍ରା ଆୟୋଜନ କରିଥିବା କଂଗ୍ରେସ ପାର୍ଟି ଏବେ ଦେଶର ପୂର୍ବରୁ ପଞ୍ଚିମ ପର୍ଯ୍ୟନ୍ତ ଆଉ ଏକ ଭାରତ ଯୋଡ଼ ଯାତ୍ରା କରିବା ନେଇ ଚିନ୍ତା କରୁଛି । ଛତିଶଗଡ଼ ରାଜଧାନୀ ରାୟପୁରରେ ଶେଷ ହୋଇଥିବା କଂଗ୍ରେସର ୮୫ତମ ଅଧିବେଶର ତୃତୀୟ ତଥା ଅନ୍ତିମ ଦିନରେ ପାର୍ଟି ସାଧାରଣ ସମ୍ପାଦକ ଜୟରାମ ରମେଶ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । କଂଗ୍ରେସ ଅରୁଣାଚଳ ପ୍ରଦେଶରୁ ଗୁଜରାଜ ପର୍ଯ୍ୟନ୍ତ ଆଉ ଏକ ଭାରତ ଯୋଡ଼ ଯାତ୍ରା ଆୟୋଜନ ନେଇ ଚିନ୍ତା କରୁଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଅଧିବେଶନରେ ରାହୁଲ ଗାନ୍ଧୀ ୩୨ ମିନିଟ୍ର ଭାଷଣ ଦେଇ ଭାରତ ଯୋଡ଼ ଯାତ୍ରା, ଅଦାନୀ-ହିଣ୍ଡେନ୍ବର୍ଗ ମାମଲା, ଚୀନ୍ ଉପରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ବୟାନ ଏବଂ ୨୦୨୪ ଲୋକସଭା ନିର୍ବାଚନ ସମେତ ବହୁ ପ୍ରସଙ୍ଗ ଉପରେ କହିଥିଲେ । ରାହୁଲ ନିଜ ଭାଷଣରେ ୧୯୭୭ର ଏକ କାହାଣୀ ମଧ୍ୟ ଶୁଣାଇଛନ୍ତି। ତାଙ୍କର ନିଜର ଘର ନାହିଁ ବୋଲି ସେତେବେଳେ ସେ ପ୍ରଥମ ଥର ପାଇଁ ଅନୁଭବ କରିଥିଲେ । ସେ କହିଛନ୍ତି, ୫୨ ବର୍ଷ ହୋଇଗଲା, ମୋ ପାଖରେ ଆଜି ବି ଘରଟିଏ ନାହିଁ । ତାଙ୍କର ଏହି କଥା ଶୁଣି ମାଆ ସୋନିଆ ଗାନ୍ଧୀ ଭାବୁକ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା ।